Job Scam: ଡାକ୍ତର ଚାକିରୀ କରାଇଦେବାକୁ କହି ସୁଇପର ଲୁଟିନେଲେ କୋଟି କୋଟି

ପ୍ରମିଳା ପରିଡାଙ୍କୁ ପୋଲିସ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ସରୋଜ ପଣ୍ଡା ଓ ଭୁବନ ମହନ୍ତଙ୍କୁ କାହିଁକି ଏଯାଏଁ ଗିରଫ କରିନି ପୋଲିସ ? ତେବେ ଜବ ସ୍କାମରେ ବଡ ରାକେଟ କାମ କରୁନି ତ ? ବର୍ଷ ବର୍ଷ ଧରି ଏହି ରାକେଟ କେତେ ନିରୀହ ଲୋକଙ୍କୁ ଚାକିରୀ ଦେବା ନାଁରେ ଠକେଇ କରିଛନ୍ତି ? ସେମାନଙ୍କ ପାଖରେ କେଉଁଝର ଟାଉନ ପୋଲିସ ପହଞ୍ଛି ପାରିବତ ?

ଚାକିରୀ ନାଁରେ ଠକେଇ

କେଉଁଝର ଜିଲ୍ଲାରେ ଖୋଲିଥିବା ମେଡିକାଲ କଲେଜରେ ଚାକିରୀ କରାଇଦେବା କଥା କହି ଜଣେ ସୁଇପର କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା କେଉଁଝର ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ଏ ସଂପର୍କରେ ସ୍ୱତନ୍ତ୍ର ରିପୋର୍ଟ...। 

କେଉଁଝର ଜିଲ୍ଲାରେ ନୁଆ କରି ଖୋଲିଥିବା ମେଡିକାଲ କଲେଜରେ ଚାକିରୀ କରାଇଦେବା କଥା କହି ଜଣେ ଅଭିଭାବକଠୁ ଟଙ୍କା ନେଇ ଗଣି ନେଇଛନ୍ତି ଏହି ମହିଳା ସୁଇପର। ସେ ପ୍ରଥମେ ୪୦ ହଜାର ଟଙ୍କା ନେବା ପରେ କହୁଛନ୍ତି ଜଏନିଂ ପୂର୍ବରୁ ବାକି ଟଙ୍କା ଦେଇ ଦେବ।

ମ୍ୟାଡାମ ହେଉଛନ୍ତି ଚିକିତ୍ସାଳୟରେ କାମ କରୁଥିବା ସୁଇପର ପ୍ରମିଳା ପରିଡା। ଯେମିତି ଜାଣିଲେ ହସପିଟାଲରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ, ତା ପୂର୍ବରୁ ଆରମ୍ଭ କରିଦେଲେ ଫ୍ରଡ କରିବାର ଯୋଜନା। ନିରିହ ପିଲାଙ୍କଠୁ ଟଙ୍କା ନେଇ ହସପିଟାଲରେ ଚାକିରୀ କରାଇଦେବେ ବୋଲି ମିଛ କଥା କହିଚାଲିଲେ।

ପିଲାଙ୍କ ସହ ଏଗ୍ରିମେଣ୍ଟ କରିବା, ମିଛି ମିଛିକା ଇଣ୍ଟରଭିୟୁ କରିବା, ତାଲିକା ତିଆରି କରିବା ଏବଂ ଚାକିରି ପକ୍କା ହେବ କହି ଅଫିସ ଆଇ କାର୍ଡ ବାଣ୍ଟି ଶତାଧିକ ପିଲାଙ୍କୁ ଚୁନା ମାରି ଚାଲିଥିଲେ ପ୍ରମିଳା। ବର୍ଷ ପରେ ବର୍ଷ ବିତିଥିଲେ ବି ଚାକିରି ନ ମିଳିବାରୁ ଚାକିରି ଆଶାୟୀଙ୍କ ଭିତରେ ଆଶଙ୍କା ଦେଖାଦେଲା। ଅଧିକାଂଶ ଆଶାୟୀ ଓ ଅଭିଭାବକ ତାଙ୍କ ଟଙ୍କା ଫେରସ୍ତ ଚାହିଁଲେ। ଟଙ୍କା କ’ଣ ଫେରାଇବେ ପ୍ରମିଳା ମୁହଁ ତୋଡ ଦେଖାଇ ଧମକ ଦେଲେ। କେହି ଯଦି ଟଙ୍କା ଫେରସ୍ତ କରିବାକୁ ଫୋନ୍ କରି କହୁଥିଲେ, ସେପଟୁ କେବଳ ଧମକ ହିଁ ମିଳୁଥିଲା।

ଏମବିବିଏସ ଛାତ୍ରୀ ସୁଜାତା ବେହେରା ପ୍ରମିଳାଙ୍କ ନାଁରେ ଟଙ୍କା ହଡପ ଅଭିଯୋଗରେ କେଉଁଝର ଟାଉନ ଥାନାରେ ମାମଲା ରୁଜ୍ଜୁ କରିଥିଲେ। ସୁଜାତାଙ୍କଠୁ ପ୍ରମିଳା ପାଖାପାଖି ୪ ଲକ୍ଷଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି।

ତେବେ ମିଳିଥିବା ଅଭିଯୋଗ ମୁତାବକ ସୁଜାତାଙ୍କ ଭଳି ଅନେକ ଛାତ୍ରଛାତ୍ରୀଙ୍କଠୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଛନ୍ତି ପ୍ରମିଳା। 

ତେବେ କେବଳ ପ୍ରମିଳା ନୁହଁନ୍ତି ପ୍ରମିଳାଙ୍କ ସହ ସରୋଜ ପଣ୍ଡା ଓ ଭୁବନ ମହନ୍ତ ମଧ୍ୟ ଏତେ ବଡ ନିଯୁକ୍ତି ସ୍କାମରେ ସାମିଲ ଥିବା ଜଣାପଡିଛି। ଏହି ଦୁଇ ସହଯୋଗୀ ହିଁ ପୁରା ନିଯୁକ୍ତି ସ୍କାମର ମାଷ୍ଟର ମାଇଣ୍ଡ ଥିବା କୁହାଯାଉଛି। ପ୍ରମିଳାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାରୁଥିଲେ ସରୋଜ ଓ ଭୁବନ। ତେବେ ସରୋଜ ଓ ଭୁବନ କିନ୍ତୁ ଏହି ଘଟଣା ବିଷୟରେ କିଛି ଜାଣିନାହାନ୍ତି ବୋଲି କହୁଛନ୍ତି।

ଏଠି ପ୍ରଶ୍ନ ଉଠୁଛି, ପ୍ରମିଳା ପରିଡ଼ାଙ୍କୁ ପୋଲିସ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ସରୋଜ ପଣ୍ଡା ଓ ଭୁବନ ମହନ୍ତଙ୍କୁ କାହିଁକି ଏ ଯାଏଁ ଗିରଫ କରିନି ପୋଲିସ ? ଏ ଜବ ସ୍କାମରେ ବଡ ରାକେଟ କାମ କରୁନି ତ ? ବର୍ଷ ବର୍ଷ ଧରି ଏହି ରାକେଟ କେତେ ନିରୀହ ଲୋକଙ୍କୁ ଚାକିରି ଦେବା ନାଁରେ ଠକେଇ କରିଛନ୍ତି ? ସେମାନଙ୍କ ପାଖରେ କେଉଁଝର ଟାଉନ ପୋଲିସ ପହଞ୍ଛି ପାରିବତ ?

କେଉଁଝର ଜିଲ୍ଲାରେ ବର୍ଷ ବର୍ଷ ଧରି ଚାଲିଥିବା ଜବ ସ୍କାମର ଅଭିଯୋଗ ପରେ କେମିତି ପୋଲିସ ଚୁପ ବସିଥିଲା ତାଆ ଏବେ ବଡ ପ୍ରଶ୍ନ? କେବଳ କେଉଁଝର ଜିଲ୍ଲାରେ ଏହି ଫ୍ରଡ ହୋଇଛି ନା ଅନ୍ୟ କେଉଁ ଜିଲ୍ଲାରେ ଏହି ରାକେଟ କାମ କରୁଛି ତା ତଦନ୍ତ ସାପେକ୍ଷ।

(କେନ୍ଦୁଝରରୁ ପ୍ରଣୟ କୁମାର ପାଣି ଓ ଭୁବନେଶ୍ୱରରୁ ସରୋଜ ରଞ୍ଜନ ବେହେରାଙ୍କ ରିପୋର୍ଟ)