ରିଲ୍ସ କୁଇନ୍ ରୁକ୍ସାନାଙ୍କ ମୃତ୍ୟୁ ସସ୍ପେନ୍ସ ! ଡାକ୍ତର କହିଲେ ସ୍କ୍ରବ୍‌ ଟାଇଫସ୍‌, ମାଆ କହୁଛନ୍ତି ସ୍ଲୋ ପଏଜନ୍‌

ଜୁସରେ ବିଷ ଥିଲା ବୋଲି ରୁକସାନାଙ୍କ ମାଆ କେଉଁ ଆଧାରରେ ଦାବି କରୁଛନ୍ତି ? ଏସବୁ ଦିଗକୁ ତଦନ୍ତ କରି ପୋଲିସ ଏହା ଉପରୁ କେବେ ପରଦା ଉଠାଉଛି, ତା ଉପେର ସମସ୍ତଙ୍କ ନଜର।

Rukshana

ସମ୍ବଲପୁରୀ ରିଲ୍ସ କୁଇନ୍ ରୁକସାନା ବାନୋଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର? ରୁକସାନାଙ୍କ ମାଆ ଆଣୁଥିବା ସଙ୍ଗୀନ୍ ଅଭିଯୋଗ ପଛରେ ରହିଛି କି ସତ୍ୟତା ? ଗତକାଲି ସମ୍ବଲପୁରୀ ଗାୟିକା, ରିଲ୍ସ ରାଣୀ, ଅଭିନେତ୍ରୀ ଓ ୟୁଟୁବର ରୁକସାନା ବାନୋଙ୍କ ମୃତ୍ୟୁ ପରେ ସମଗ୍ର ପଶ୍ଚିମ ଓଡ଼ିଶା କଳା ଜଗତରେ ହଇଚଇ। ଆଜିକୁ ଦୀର୍ଘ ୧୫ ଦିନ ଧରି ଭବାନୀପାଟଣା, ବଲାଙ୍ଗିର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକାସାନା।

ତେବେ ତାଙ୍କ ମୃତ୍ୟୁ ପରେ ଆଜି ବରଗଡ଼ ଘରୋଇ ହସ୍ପିଟାଲର ଡାକ୍ତର କହିଛନ୍ତି, ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ଥିଲେ ରୁକସାନା। ଯାହା ତାଙ୍କ ଏଲିସା ଟେଷ୍ଟ ରିପୋର୍ଟର ସ୍ପଷ୍ଟ ହୋଇଛି। ଏପଟେ ରୁକସାନା ମାଆଙ୍କ ଅଭିଯୋଗ, ତାଙ୍କ ଝିଅକୁ ସ୍ଲୋ ପୟଜନ୍ ଦେଇ ହତ୍ୟା କରାଯାଇଛି।

ଭବାବନୀପାଟଣା ଟିଭି ସେଣ୍ଟର ପଡ଼ାରେ ରହୁଥିବା ଗରିବ ପରିବାର ଝିଅ ରୁକସାନା, ଯୁକ୍ତ ଦୁଇ ପରେ ପ୍ରଥମେ ସମ୍ବଲପୁରୀ ସଙ୍ଗୀତରେ କଣ୍ଠଦାନ ଆଉ ପରେ ୟୁଟୁବରେ ବିଭିନ୍ନ ସମ୍ବଲପୁରୀ ଗୀତରେ ରିଲ୍ସ କରୁଥିଲେ। ନିଜ ନିଛକ ଅଭିନୟ ଚାତୁରୀ ପାଇଁ ଖୁବ୍ କମ ସମୟ ଭିତରେ ଲୋକପ୍ରିୟ ହେବା ସହ ବଢ଼ି ଚାଲିଥିଲା ରୁକସାନାଙ୍କ ଫ୍ୟାନ୍ ଓ ଫଲୋରଙ୍କ ସଂଖ୍ୟା। ତା ଭିତରେ ଛୋଟବଡ଼ ସମ୍ବଲପୁରୀ ଆଲବମରେ ଅଭିନୟର ସୁଯୋଗ ପରେ ରୁକସାନାଙ୍କ ଡିମାଣ୍ଡ ବଢ଼ିଥିଲା।

ଏ ଭିତରେ ରୁକସାନାଙ୍କ ଲୋକପ୍ରିୟତା ବଢୁଥିବାରୁ ତାଙ୍କୁ ଇଣ୍ଡଷ୍ଟ୍ରିର କିଛି ଲୋକ ବିରୋଧ କରୁଥିବା ନେଇ କାଳେ ତାଙ୍କ ମାଆଙ୍କୁ କହିଥିଲେ ରୁକସାନା। ସମ୍ବଲପୁରୀ କଣ୍ଠଶିଳ୍ପୀ, ରୁକୁ ସୁନା ତାଙ୍କୁ କୌଣସି କାରଣରୁ ବିରୋଧ କରୁଥିବାରୁ ତାଙ୍କୁ ଧମକ ମଧ୍ୟ ଦେଇଥିବାର ଅଭିଯୋଗ କରିଛନ୍ତି ମା। ତେଣୁ ସେ ହିଁ ଏହି ସ୍ଲୋ ପୟଜନ ପଛର ଖଳନାୟକ ବୋଲି ରୁକସାନାଙ୍କ ମାଆ ସୋସିଆଲ ମିଡିଆରେ କହିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ମିଛ ଏବଂ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି ରୁକୁ ସୁନା।

୧୫ ଦିନ ତଳେ ସୁଟିଂ ପାଇଁ ମାଆଙ୍କ ସହ ବଲାଙ୍ଗିର ଯାଇଥିଲେ ରୁକ୍ସାନା। ସେଠାରେ ତାଙ୍କୁ କେହି ଜୁସ୍ ସହ ବିଷ ଦେଇଥିବା କହୁଛନ୍ତି ତାଙ୍କ ମାଆ। ଯଦି ଏହି ଅଭିଯୋଗ ସତ ହୋଇଥାଏ, ତାହାଲେ ପ୍ରଶ୍ନ ରୁକସାନାଙ୍କୁ ଜୁସରେ ବିଷ ଦେବା ପଛର କାରଣ କଣ ? ଏହି ବିଷ କିଏ ଦେଲା ? ଅନ୍ୟପଟେ ଜୁସରେ ବିଷ ଥିଲା ବୋଲି ରୁକସାନାଙ୍କ ମାଆ କେଉଁ ଆଧାରରେ ଦାବି କରୁଛନ୍ତି ? ଏସବୁ ଦିଗକୁ ତଦନ୍ତ କରି ପୋଲିସ ଏହା ଉପରୁ କେବେ ପରଦା ଉଠାଉଛି, ତା ଉପେର ସମସ୍ତଙ୍କ ନଜର।