• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲ୍‌ରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। କାହିଁକି ରାତି ଅଧରେ ସେଠାକୁ ଯାଇଥିଲେ ଶୁଭଲକ୍ଷ୍ମୀ ତାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଏପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କମିଶନରେଟ୍ ପୋଲିସ୍ ମୃତ ଛାତ୍ରୀଙ୍କ ମୋବାଇଲ ଫୋନକୁ ଜବତ କରି ଯାଂଚ କରୁଥିବା ବେଳେ, ଘଟଣା ସଂପର୍କରେ କିନ୍ତୁ ମୁହଁ ଖୋଲିନାହିଁ ।

କେମିତି ହେଲା ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ? ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ? କାହିଁକି ବିଳମ୍ବିତ ରାତିରେ ବାର୍ କୁ ଯାଇଥିଲେ ଶୁଭଲକ୍ଷ୍ମୀ? ସ୍କାନରରେ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଘଟଣାର ମୂଳରେ ପହଞ୍ଚିବାକୁ ଚେଷ୍ଟା କରୁଛି କମିଶନରେଟ୍ ପୋଲିସ୍।ଘର ଭଦ୍ରକ କୁଆବାଗ ସାହିରେ ଶୁଭଲକ୍ଷ୍ମୀ ସାହୁ । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ସେ ରମାଦେବୀର ଯୁକ୍ତ ଦୁଇ ଛାତ୍ରୀ ଥିଲେ । ଗତକାଲି କଟକ ରୋଡରେ ଥିବା ହୋଟେଲ୍ ଦୀପାଳି ଇଣ୍ଟରନ୍ୟାସନାଲର ଏକ ରୁମ୍‌ରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ସେଠାରେ ଏକ ବାର୍ ମଧ୍ୟ ଚାଲିଛି।

ହୋଟେଲ୍ ମ୍ୟାନେଜରଙ୍କ ସୂଚନା ଅନୁଯାୟୀ, ଶୁଭଲକ୍ଷ୍ମୀ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ରେ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ବର ରୁମ୍ ବୁକ୍ କରି ସେଠାରେ ବିଶ୍ରାମ ନେବାକୁ ଯାଇଥିଲେ । କିନ୍ତୁ ଶନିବାର ସକାଳେ କି ମଧ୍ୟାହ୍ନ ସମୟରେ କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା । ପୋଲିସ ଆସି ରୁମ୍‌ର କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଶୁଭଲକ୍ଷ୍ମୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଶୁଭଲକ୍ଷ୍ମୀଙ୍କ ବାପା କହିଛନ୍ତି, ତାଙ୍କ ଝିଅ କାହିଁକି ଏହି ହୋଟେଲ୍‌କୁ ଆସିଥିଲା ସେ ଜାଣିନାହାନ୍ତି । କେହି ତାଙ୍କ ଝିଅକୁ ଏଠାକୁ ଡାକି ହତ୍ୟା କରିଥିବା ସେ ସନ୍ଦେହ କରୁଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁସାରେ, ଶୁଭଲଷ୍ମୀ ଗତ ୩ ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ । ଏଠି ସେ କିଛି ସାଙ୍ଗଙ୍କ ସହ ମେସ୍ କରି ରହୁଥିଲେ। ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନ୍‌କୁ ଯାଂଚ କରାଗଲେ ସତ ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ପରିବାର ।

ସିସିଟିଭି ଫୁଟେଜ୍ ଯାଂଚ ସହିତ ଲକ୍ଷ୍ମୀସାଗର ପୋଲିସ୍ ଏହି ମାମଲାର ତଦନ୍ତ କରୁଛି । ହେଲେ ଘଟଣା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ପ୍ରଶ୍ନ ଉଠୁଛି ଶୁଭଲଷ୍ମୀ ଏଠାକୁ ଏକୁଟିଆ ଆସିଥିଲେ ନା ସାଙ୍ଗରେ ଆଉ କିଏ ଥିଲେ? ଶୁଭଲକ୍ଷ୍ମୀଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ଏଠାକାର ବାର୍‌ରେ କାମ କରୁନଥିଲେ ତ ? ଯଦି କରୁଥିଲେ, ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା?

  • Reported by:
  • ATULYA BOUT