BJB କଲେଜରେ ପୁଣି ରାଗିଂ, ମାଡ଼ ମାରି ଗାଡ଼ି ଛଡ଼ାଇ ନେଲେ ଛାତ୍ର

ବଡ଼ଗଡ଼ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର । ତେବେ ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି ।

BJB College Ragging

ପୁଣି ବିଜେବି କଲେଜରେ ରାଗିଂ । ଏଥର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସର ଜଣେ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସହପାଠୀ ମାଡ଼ ମାରିବା ସହ ବାଇକ ଛଡ଼ାଇ ନେଇଛନ୍ତି । ବଡ଼ଗଡ଼ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର । ତେବେ ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି ।

ଏହାପୂର୍ବରୁ ରାଗିଂ ନେଇ ବେସିକ ସାଇନ୍ସ କଲେଜର ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଅଭିଯୋଗ କରିଥିଲେ । କଲେଜର ୩ ସିନିଅର ଛାତ୍ର ରାଗିଂ କରୁଥିବା ଅଭିଯୋଗ କରିଥିଲେ । ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ଼ ମାରିଥିବା କହିଥିଲେ ଛାତ୍ର ଜଣକ ।

ସେହିଭଳି ଏହି ଘଟଣା ପୂର୍ବରୁ ମଧ୍ୟ ରାଗିଂ କଥା ଉଠିଥିଲା । ବିଜେବି କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଥିବା ବେଳେ ଦେବଗଡ଼ରୁ ମଧ୍ୟ ଆସିଥିଲା ରାଗିଂ ଅଭିଯୋଗ । ଜଣେ ଏଏନ୍‌ଏମ୍‌ ଛାତ୍ରୀ ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଦେବଗଡ଼ ଏଏନ୍ଏମ୍ ସେଂଟରରୁ ଆସିଥିଲା ଏହି ରାଗିଂ ଅଭିଯୋଗ ।

ପ୍ରଥମ ବର୍ଷ ଛାତ୍ରୀ କଳ୍ପନା କିଷାନ ଏହି ଅଭିଯୋଗ ଆଣିଥିଲେ । ଗତ ୩ ମାସ ହେଲା ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରୁଥିବା ସେ ଅଭିଯୋଗ କରିଥିଲେ । କଳ୍ପନାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଲଗାତର ମାନସିକ ନିର୍ଯାତନା ଦିଆଯାଉଛି । ସିନିୟର ଛାତ୍ରୀ ମନ ମୁତାବକ କରିଥିବା ନିୟମକୁ ମାନିବାକୁ ବାଧ୍ୟ କରୁଛନ୍ତି । ନିୟମ ନମାନିଲେ ମାନସିକ ନିର୍ଯାତନା ଦେଉଛନ୍ତି । ରାଗିଂ ବିଷୟରେ କାହାକୁ ନଜଣାଇବାକୁ ତାଗିଦ କରୁଛନ୍ତି ।

ତେବେ ଏନେଇ ସେ ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ଅଭିଯୋଗ କରିଥିବା ବେଳେ ଦେବଗଡ ସିଡିଏମଓଙ୍କୁ ଅଭିଯୋଗ କରିଥିଲେ କଳ୍ପନା । ଏହାପରେ ପ୍ରଶିକ୍ଷଣ କେନ୍ଦ୍ରରେ ତଦନ୍ତ ଆରମ୍ଭ ହୋଇଥିଲା । ସିଡିଏମଓଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତଦନ୍ତ କରୁଛି ।