• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ । ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ଯାଜପୁର ଚଣ୍ଡିଖୋଲକୁ ଯାଇଥିଲେ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତ । ଏହାର ଠୋସ୍ ପ୍ରମାଣ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଟାଙ୍ଗୀ ଟୋଲ୍ ଗେଟ୍ ଦେଇ ଶର୍ମିଷ୍ଠାଙ୍କ କାର୍ ଅତିକ୍ରମ କରିବା ସମୟର ଭିଡିଓ ଏବଂ ସିସିଟିଭି ଫୁଟେଜ୍‌କୁ ଜବତ କରିଛି ତଦନ୍ତକାରୀ ଟିମ୍ । ସେପଟେ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବା ପାଇଁ ଚାନ୍ଦବାଲି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଛି ।

ଶର୍ମିଷ୍ଠାଙ୍କ କାର୍ OD 02 BA 6599 କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ, ହତ୍ୟା, ମୃତଦେହ ପୋତିବା ଏବଂ ପ୍ରମାଣ ଲୁଚାଇବା ଯାଏଁ, ସବୁଠି ବ୍ୟବହାର ହୋଇଛି ଏହି କାର୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଏହାର ଆଉ ଏକ ଠୋସ୍ ପ୍ରମାଣ । ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ଯାଜପୁର ଚଣ୍ଡିଖୋଲକୁ ଯାଇଥିଲେ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତ ।

ଗତ ଫେବ୍ରୁଆରୀ ୯ ତାରିଖ ୧୨ଟା ୨୮ ମିନିଟ୍‌ରେ ଟାଙ୍ଗୀ ଟୋଲ୍ ଗେଟ୍ ଦେଇ ଗାଡି ଚଣ୍ଡିଖୋଲ୍ ଯାଇଥିଲା । ଏହାର ଦେଢ ଘଣ୍ଟା ପରେ ପ୍ରାୟ ଗୋଟାଏ ୫୯ ମିନିଟ୍‌ରେ ଚଣ୍ଡିଖୋଲ ପଟୁ ଫେରିଥିଲା କାର୍ ଟୋଲ୍ ଗେଟ୍ ସିସିଟିଭିରେ କଏଦ ହୋଇଛି । ସେହି ସମୟର ପୁରା ଦୃଶ୍ୟ ଏହି କାର୍‌ରେ ହିଁ ମାନସ ହତ୍ୟାରେ ବ୍ୟବହୃତ କୋଦାଳ, ଗଇଁତି, ମାନସଙ୍କ ଚପଲ, ଇୟର ଫୋନ୍ ଏବଂ ଶବ ଗୁଡାଯାଇଥିବା କପଡା ଭଳି ପ୍ରମାଣକୁ ନିଆଯାଇଥିଲା ଲୁଚାଇବା ପାଇଁ । ଘଟଣା ସମୟର ଭିଡିଓ ଏବଂ ସିସିଟିଭି ଫୁଟେଜ୍‌କୁ ଜବତ କରିଛି ତଦନ୍ତକାରୀ ଟିମ୍ ।

ସେପଟେ ମାନସ ମର୍ଡରର ୫ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବାକୁ ଚାନ୍ଦବାଲି କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା, ଝୁନୁ, ରାଜଙ୍କୁ ସମେତ ପୂର୍ବରୁ ଗିରଫ ହୋଇଥିବା ବିବେକ ଏବଂ ଭାଗ୍ୟଧରଙ୍କ ଟିଆଇ ପରେଡ୍ କରାଯିବ । ଅପହରଣ ସମୟରେ କିଏ ଥିଲେ? ଏବଂ ଦୟାଲ ଆଶ୍ରମରେ ସେଦିନ କିଏ କିଏ ଥିଲେ ? ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେମାନଙ୍କୁ ଚିହ୍ନିବେ ୩ ଜଣ ସାକ୍ଷୀ ସେପଟେ ବିବେକ ଏବଂ ଭାଗ୍ୟଧରଙ୍କୁ ପଚରାଉଚରା ହୋଇନଥିବାରୁ ଜେଲକୁ ଯାଇ ଜେରା କରିବାକୁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ ପୂର୍ବରୁ ୩ ଜଣ ସାକ୍ଷୀଙ୍କର ୧୬୪ ବୟାନ ରେକର୍ଡ ହୋଇସାରିଥିବା ବେଳେ ଆଜି ଆଉ ଜଣଙ୍କର କରାଯାଇଛି ।

ତେବେ ହତ୍ୟା ପଛର ମୂଳ କାରଣ କୁହାଉଥିବା ରହସ୍ୟଜନକ କ୍ୟାମେରା ଚିପ୍ କେଉଁଠି, ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନି କ୍ରାଇମବ୍ରାଞ୍ଚ୍ ।

ରିପୋର୍ଟର- ବାସୁଦେବ ଦାସ, ଆଲୋକ ମହାନ୍ତି