• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୈତୃକ ସମ୍ପତ୍ତି ବିବାଦରୁ ତିକ୍ତତା ନେଲା ଭୟଙ୍କର ଭ୍ରାତୃ ବିବାଦର ରୂପ । ଆଉ ଶେଷରେ ସାନ ଭାଇର ସଇତାନୀ କାଣ୍ଡରେ ନିଶ୍ଚିହ୍ନ ହୋଇଗଲା ବଡ଼ ଭାଇର ପରିବାର । ମାହାଙ୍ଗା କୁସୁପୁର ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଆଜି ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ?

୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ଆଜିକୁ ୨ଦିନ ହେଲା, ସମସ୍ତଙ୍କ ମୁଣ୍ଡରେ ଘୁରିବୁଲୁଛି ଏମିତି ଅସମାହିତ ପ୍ରଶ୍ନ । ଏସବୁ ଭିତରେ ଆଜି ଅଭିଯୁକ୍ତ ଶିବର ପତ୍ନୀ ସେହି କାଳରାତିର କାହାଣୀ ବଖାଣିଛନ୍ତି । ଅଭିଯୁକ୍ତ ଶିବ ସାହୁକୁ କାଲିଠୁ ୩ ଦିନ ରିମାଣ୍ଡରେ ନେବ ପୋଲିସ । ୩ ଦିନିଆ ରିମାଣ୍ଡରେ ନେବାକୁ ସାଲେପୁର JMFCଙ୍କ ଅନୁମତି ଦେଇଛନ୍ତି । ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ ।

ଗଣହତ୍ୟାର ମୁକସାକ୍ଷୀ ଘର ଆଜି ଜନଶୂନ୍ୟ । ପିତୃ ପୁରୁଷ ଅର୍ଜିତ ଘରକୁ ଆଜି ଯିଏ ବି ଦେଖୁଛି, ଭୟ କରୁଛି । ମାହାଙ୍ଗା କୁସୁପୁର ଗାଁର ସେହି ଘରେ ମଙ୍ଗଳ ରାତିରେ ସଂଘଟିତ ହୋଇଥିଲା ମରଣର ମହାଭାରତ । ଭାତ୍ରୁ ବିବାଦରୁ ଗଡ଼ିଥିଲା ପାଞ୍ଚ ପାଞ୍ଚଟି ମୁଣ୍ଡ । ଆଜି ସେହି ଘରେ ତାଲା ପଡ଼ିଛି, ସିଲ୍ କରିଛି ପୋଲିସ । ରାତିର ନିସ୍ତବ୍ଧ ପହରରେ ସୈତାନ ସାଜି ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାକୁ ଶିବ ନିଶ୍ଚିହ୍ନ କରିଦେଇଥିଲା ଏହି ଘରେ ।

ଆଜି କାନ୍ଦି କାନ୍ଦି ସେହି କାଳରାତିର କାହାଣୀ ବଖାଣିଛନ୍ତି ଅଭିଯୁକ୍ତ ଶିବ ସାହୁର ପତ୍ନୀ ସୁନୀତା । ନିଜର ନାବାଳିକା ଝିଅ ଓ ସୁନୀତାଙ୍କୁ ଧରି କୁସୁପୁର ନିକଟ ଏକ ଗାଁରେ ଭଡ଼ା ଘରେ ରହୁଥିଲା ଶିବ । ମଝିରେ ମଝିରେ ନିଜ ପୈତୃକ ଘରକୁ ମଧ୍ୟ ଆସୁଥିଲା । ଯେଉଁ ଘରକୁ ନେଇ ବଡ଼ଭାଇ ସହ ବିବାଦ ଲାଗିରହିଥିଲା ।

ସୁନୀତାଙ୍କ କହିବା କଥା, ବଡ଼ ଭାଇଙ୍କୁ ଘର ଚାବି ମାଗିବାରୁ ମଙ୍ଗଳବାର ଦିନ କଳହ ହୋଇଥିଲା । ପରେ ବଡ଼ ଭାଇ ଓ ତାଙ୍କ ପରିବାର ଶିବଙ୍କୁ ଆକ୍ରମଣ କରିଥିଲେ । ପୁରୁଣା ତିକ୍ତତାକୁ ନେଇ ପ୍ରତିଶୋଧ ନିଆଁରେ ଜଳୁଥିଲେ ଶିବ । ଘଟଣାବେଳେ ସୁନୀତାଙ୍କୁ ଏକ ଘରେ ବନ୍ଦ ରଖି ବଡ଼ଭାଇ ସମେତ ୫ ଜଣଙ୍କୁ ଶିବ ହତ୍ୟା କରିଥିଲା ।

ଗାଁ ଲୋକଙ୍କ କହିବା କଥା, ଗତ ୧୦-୧୫ ବର୍ଷ ହେଲା ଏହି ଘରକୁ ନେଇ ବିବାଦ ରହିଛି । ଅନେକ ଥର ଗାଁରେ ସଭା କରି ନିଷାପ କରିବାକୁ ଚେଷ୍ଟା ବି କରାଯାଇଛି । ପରସ୍ପର, ପରସ୍ପର ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରିଛନ୍ତି । ଏପରିକି ବଡ଼ ଭାଇ ଅଲେଖ ସାହୁ ବିରୋଧରେ ସାନ ଭାଇ ଶିବ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ ନେଇ ଥାନାରେ ମାମଲା ବି ରୁଜୁ ହୋଇଛି । ଆଉ ସେହି ବିବାଦ ଉଗ୍ରରୂପ ନେବା ପରେ ବଡ଼ଭାଇର ପରିବାରକୁ ଶିବ ହତ୍ୟା କରିଥିବା ଆଶଙ୍କା କରିଛନ୍ତି ଗାଁ ଲୋକେ ।

ତେବେ ଅଣଓସାରିଆ ଘର ଭିତରେ କିଭଳି ଢଙ୍ଗରେ ଏକୁଟିଆ ଶିବ ଆକ୍ରମଣ କଲା ଯେ, ଏକାସଙ୍ଗେ ୫ ଜଣଙ୍କ ଜୀବନ ଚାଲିଗଲା ? ଖଟ, ଚଟାଣ, କାନ୍ଥ ଚାରିଆଡ଼େ ରକ୍ତରଂଜିତ ହୋଇଯାଇଛି । ହେଲେ ୫ ଜଣଙ୍କୁ ଏକୁଟିଆ ମାରିବା ସତ୍ତ୍ୱେ ତାଦେହରେ କେମିତି ରକ୍ତଛିଟା ବି ଲାଗିଲାନି ? ପ୍ରଥମେ କୌଣସି ନିଶାଦ୍ରବ୍ୟ ପ୍ରୟୋଗ କରିବା ପରେ ହତ୍ୟାକାଣ୍ଡ ଭିଆଇଛି କି ଶିବ ? ପୋଲିସ ବି ଏକଥାକୁ ଅସ୍ୱୀକାର କରିନି । ତେଣୁ ଏକାଧିକ ଅସମାହିତ ପ୍ରଶ୍ନ ଭିତରେ ଅଲେଖଙ୍କ ଶାଶୂ ରୀନା ପୃଷ୍ଟି ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି । ତାସହ ଏକାଧିକଙ୍କ ସଂପୃକ୍ତି କଥାକୁ ଦୋହରାଇଛନ୍ତି ।

ସେପଟେ ଆଜି ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ବେଳେ ପାରିବାରିକ ବିବାଦରୁ ଏଭଳି କାଣ୍ଡ ଭିଆଇଥିବା କହିଛି ଶିବ । ଅପରପକ୍ଷେ ପୋଲିସ ଆଜି କଟକରେ ୫ଟି ମୃତଦେହର ବ୍ୟବଛେଦ କରାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ, ବିଷ ଦିଆଯାଇଥିଲା ନା ନାହିଁ, କେଉଁ ଅସ୍ତ୍ରରେ ହତ୍ୟା କରାଯାଇଥିଲା । ଆବଶ୍ୟକ ହେଲେ ପୋଲିସ ଶିବ ସାହୁକୁ ରିମାଣ୍ଡରେ ନେଇ କ୍ରାଇମ୍‌ସିନ୍‌ ରିକ୍ରିଏଟ୍ କରିବ ବୋଲି କହିଛି। ଆଜି ସମସ୍ତ ୫ ମୃତଦେହକୁ ନେଇ କଟକ ସ୍ଥିତ କାଳିଆବୋଦା ମଶାଣିରେ ଅନ୍ତିମ ସତ୍କାର କରିଛନ୍ତି ସମ୍ପର୍କିୟ ।

ରିପୋର୍ଟର- ମନୋଜ ଆଚାର୍ଯ୍ୟ, ବିଶ୍ୱଜିତ ଆଚାଯର୍ୟ, ପ୍ରଭାତ ବିଶୋୟୀ