• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହଙ୍ଗା ପଡ଼ିଲା ନିବିଡ଼ ସମ୍ପର୍କର ମୋହ । କଲେଜର ଯେଉଁ ପୂର୍ବତନ ଛାତ୍ର ସହ ବନ୍ଧୁ ବାନ୍ଧିଥିଲେ ଲେଡ଼ି ଆକାଉଣ୍ଟାଣ୍ଟ, ଆଜି ସେହି ଛାତ୍ର ଲଗାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଚୂନା । ଝାଡ଼ଖଣ୍ଡର ଏହି ଯୁବକର ଏଭଳି କାଣ୍ଡ ପରେ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶାର ଜଣେ ବାନ୍ଧବୀ । ଏଭଳି ଘଟଣା ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଘଟିଛି । ସ୍ଥାନୀୟ ଏକ ଘରୋଇ ଇଂଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟଙ୍କଠୁ ୯୭ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନି ବୟଫ୍ରେଣ୍ଡ । ତେଣୁ କମିଶନରେଟ୍ ପୋଲିସ ଏବେ ଝାଡ଼ଖଣ୍ଡ ଯିବାକୁ ଯୋଜନା କରୁଛି । ଅପରପକ୍ଷେ ପ୍ରଥମେ ପ୍ରେମ ଓ ପରେ ବ୍ଲାକମେଲିଂ କରି ଜଣେ କିଶୋରୀଙ୍କୁ ଆଉ ଜଣେ ଯୁବକଙ୍କ ୧୦ ଭରି ସୁନା ହଡ଼ପ କରି ଗିରଫ ହୋଇଥିବା ଘଟଣା ମଧ୍ୟ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । 

ନାମ ଦେଲା ନିବିଡ଼ ସମ୍ପର୍କ । ୯୭ ଲକ୍ଷର ଚୂନା ଲଗାଇ ଚାଲିଗଲା ଦଗାଦିଆ ବୟଫ୍ରେଣ୍ଡ । ଏବେ ନା ଟଙ୍କା ମିଳୁଛି ନା ବୟଫ୍ରେଣ୍ଡ ବି ଧରାପଡୁଛି । ବରଂ ବିଶ୍ୱାସ ଆଉ ସମ୍ପର୍କକୁ ଦେଖି ଫୋନ୍ ପେରେ ୯୭ ଲକ୍ଷ ଟଙ୍କା ପୈଠ କରିଥିବା ବାନ୍ଧବୀ ଏବେ ଥାନାକୁ ଟଣା ହୋଇଛନ୍ତି । ଯାହାଙ୍କ ନାଁ ହେଉଛି ପାୟଲ ମହାପାତ୍ର । ସେ ତମାଣ୍ଡୋରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଆକାଉଣ୍ଟାଣ୍ଟ । ଅଭିଯୋଗ ହେଉଛି ଯେ, କଲେଜ ଟଙ୍କାକୁ ସଂପୃକ୍ତ ବୟଫ୍ରେଣ୍ଡକୁ ପଠାଇଛନ୍ତି ପାୟଲ ।

ଅଭିଯୁକ୍ତ ଯୁବକଙ୍କ ନାଁ ହେଉଛି ବିକାଶ କୁମାର । ତାଙ୍କ ଘର ଝାଡ଼ଖଣ୍ଡରେ । ଏକ ଇଞ୍ଜିନିୟରିଂ କଲେଜର ସେ ପୂର୍ବତନ ଛାତ୍ର । ବୟସରେ ସାନ ହେଲେ ବି ଆକାଉଣ୍ଟାଣ୍ଟ ପାୟଲଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା । ଆଉ ସେହି ସମ୍ପର୍କକୁ ଆଧାର କରି ବିକାଶ କୁମାର ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା । ତେବେ କଲେଜ କର୍ତ୍ତୃପକ୍ଷ ଯେତେବେଳେ ବାର୍ଷିକ ଅଡିଟ୍ କରାଇଲେ, ସେତେବେଳେ ସତ ସାମ୍ନାକୁ ଆସିଥିଲା ଓ ପାୟଲ ମଧ୍ୟ ଏନେଇ ସବୁ ସ୍ୱୀକାର ମଧ୍ୟ କରିଥିଲେ ।   

 

ମିଳିଥିବା ସୂଚନା ଅନୁଯାୟୀ, ଏହି ଟଙ୍କା ହେଉଛି ଛାତ୍ରଛାତ୍ରୀଙ୍କ ଟ୍ୟୁସନ୍ ଫି । ନଗଦ ଆକାରରେ ଦେଇଥିବା କିଛି ପିଲାଙ୍କ ଟଙ୍କାକୁ ପାୟଲ କଲେଜର ବ୍ୟାଙ୍କ ଆକାଉଣ୍ଟ ବଦଳରେ ନିଜ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ । ତେବେ କଲେଜ କର୍ତ୍ତୃପକ୍ଷ ଯେତେବେଳେ ଟଙ୍କା ରସିଦ ଏବଂ ବ୍ୟାଙ୍କ ଡିପୋଜିଟ୍‌କୁ ମେଳ କରାଇଲେ, ସେତେବେଳେ ସତ ସାମ୍ନାକୁ ଆସିଥିଲା ।

ତେବେ ଜଣେ ମାତ୍ର ଲେଡି ଆକାଉଣ୍ଟ ଏତେବଡ଼ ଚଞ୍ଚକତା କରିଦେଲେ କିପରି ? ଏହାପଛରେ କେବଳ ସେ ଜଣେ ନା ଆଉ କାହାର ହାତ ଅଛି ?ଟ୍ୟୁସନ୍‌ ଫିକୁ ଡିମାଣ୍ଡ ଡ୍ରାଫ୍ଟ ବଦଳରେ ନନେଇ ନଗଦ ଆକାରରେ ଆଦାୟ କରାଯାଉଥିଲା କାହିଁକି ? ଏଭଳି ନାନା ପ୍ରଶ୍ନ ଭିତରେ କଲେଜ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ପାୟଲଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୋଲିସ । ତାସହ ବୟଫ୍ରେଣ୍ଡ ବିକାଶକୁ ଧରିବାକୁ ଝାଡ଼ଖଣ୍ଡ ଯିବାକୁ ବି ଯୋଜନା କରିଛି । ତେବେ ଏ ସଂପର୍କରେ ପାୟଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ସେପଟେ ନୂଆପଲ୍ଲୀରେ ଅନ୍ୟ ଜଣେ ଦଗାଦିଆ ପ୍ରେମିକର କାରନାମାକୁ ନେଇ ଚର୍ଚ୍ଚା । ଯିଏ ନିଜ ଘର ପାଖର ଜଣେ କିଶୋରୀକୁ ପ୍ରେମ ନାଁରେ ଜାଲ ବିଛାଇ ବ୍ଲାକମେଲିଂ କରିଥିଲା । କେବେ ହ୍ୱାଟ୍ସଆପ୍‌ରେ ତ ଆଉ କେବେ ମୋବାଇଲରେ ଭିଡ଼ିଓ କଲ୍ କରି କଥାବାର୍ତ୍ତା ହେଉଥିଲା । ତାହାରି ଭିତରେ ଭିଡ଼ିଓ କଲ୍‌ ବେଳେ ଆପତ୍ତିଜନକ ଦୃଶ୍ୟକୁ କଏଦ୍ ମୋବାଇଲ୍‌ରେ କରୁଥିଲା । ସେସବୁ ଦୃଶ୍ୟକୁ ଭାଇରାଲ କରିଦେବାର ଭୟ ଦେଖାଇ ସଂପୃକ୍ତ ନାବାଳିକାଠୁ ହାତେଇ ନେଇଥିଲା ୧୦ ଭରି ସୁନା । ଏ ସମ୍ପର୍କରେ ପରିବାର ଲୋକେ ଜାଣି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଟ୍ରାକ୍ କରି ଗିରଫ କରିବା ସହ ଘରୋଇ ସଂସ୍ଥାରେ ବନ୍ଧକ ରଖିଥିବା ସୁନାକୁ ଉଦ୍ଧାର କରିଛି । 
 ଭୁବନେଶ୍ୱରରୁ କ୍ୟାମେରାପର୍ସନ ଓମ୍କାରଙ୍କ ସହ ଅାଲୋକ ମହାନ୍ତିଙ୍କ ରିପୋର୍ଟ, ଓଟିଭି