ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ମଧୁଚନ୍ଦ୍ରିକା, କାରନାମା ପଦାରେ ପଡ଼ିବା ପରେ ଉଭାନ୍‌

ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣି ।

Sand Mafia

ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଛି ବୁଢ଼ାବଳଙ୍ଗ ନଦୀର ବାଲି । ଆଇନ ଓ ସରକାରୀ ବ୍ୟବସ୍ଥା ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ ଖୋଳ କରିବାରେ ଲାଗିଛନ୍ତି ଚୀରସ୍ରୋତା ନଦୀକୁ । ଶେଷରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ୍-ଏନ୍‌ଜିଟିଙ୍କ ଛାଟ ପରେ ଫିଟିଛି କଳା କାରବାରର ଗୁମର । ଏଭଳି ସ୍ଥିତିରେ ଜଣେ ବହୁଚର୍ଚ୍ଚିତ ବାଲିଘାଟ ଲିଜଧାରୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ବଡ଼ସାହି ତହସିଲଦାରଙ୍କୁ ନେଇ ନାନା ଚର୍ଚ୍ଚା । ସେ କୁଆଡ଼େ ଗଲେ, କେଉଁଠି ଅଛନ୍ତି, ଆଜି ପ୍ରାୟ ୪ ଦିନ ହେଲା ପତ୍ତା ମିଳୁନି ।

ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣି । ହେଲେ ମିଳୁନି ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ପତ୍ତା । ମମତାଜ ହେଉଛନ୍ତି ସେହି ତହସିଲଦାର, ଯାହାଙ୍କ ଦାୟିତ୍ୱକୁ ନେଇ ଭର୍ସନା କରିଥିଲ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ୍ । ମମତାଜଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ ହେବ ନାହିଁ ବୋଲି କହି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ ଏନ୍‌ଜିଟି । ଏଭଳି କଠୋର ଆଭିମୁଖ୍ୟ ପରଠୁ ତହସିଲଦାର ମମତାଜ ମହାରଣାଙ୍କ ମିଳୁନି ପତ୍ତା । କୁହାଯାଉଛି, ପ୍ରଦୀପ ବିନ୍ଧାଣୀ ଗିରଫ ହେବାର ପୂର୍ବଦିନ ଅର୍ଥାତ, ଗତ ୨୯ରେ ତହସିଲ ଅଫିସରୁ କିଛି କାଗଜପତ୍ର ନେଇ କୁଆଡ଼େ ଗଲେ, କେହି କହିପାରୁନାହାଁନ୍ତି । ଏପରିକି ଉପ-ଜିଲ୍ଲାପାଳଙ୍କୁ ନିଜର ଛୁଟି ଦରଖାସ୍ତ ମଧ୍ୟ ଦେଇନାହାଁନ୍ତି । ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ତାଙ୍କ ଅବସ୍ଥିତି ସମ୍ପର୍କରେ ବି କୌଣସି ସୂଚନା ମିଳୁନି ।

ବୁଢାବଳଙ୍ଗ ନଦୀର ଡିଙ୍ଗିରା ଓ ଆରପଟା ବାଲିଘାଟର ସେହି ବାଲି ଖାଦାନରୁ ବେଆଇନ ଖନନ କରି ଲିଜଧାରୀ ଚଳାଇଥିଲେ କଳା ବେପାର । ଆଉ ଏହା ଜାଣିପାରି ଏନ୍‌ଜିଟିର ଏକ୍ସପର୍ଟ କମିଟି ଆସି ପରିଦର୍ଶନ କରିବା ସହ ସାଂଘାତିକ ଅନିୟମିତତାକୁ ଦେଖି ଜିଲ୍ଲା ପ୍ରଶାସନକୁ ଏକ ରିପୋର୍ଟ ଦେଇଥିଲେ । ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ସମେତ ୧୬ ଜଣଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ବି ଦେଇଥିଲା ଏନ୍‌ଜିଟି ।

ଯେଉଁଥିରେ ଉଭୟ ବାଲିଘାଟରୁ ମୂଳ ଲିଜ୍‌କୁ ୨ଶହ ଗୁଣା ଅଧିକ କ୍ୟୁବିକ ବାଲିଉଠାଣ, ମେସିନ ବ୍ୟବହାର କରି ପ୍ରାକୃତିକ ଜଳସ୍ରୋତର ଦିଗ ବଦଳାଇବା, ଲିଜ୍ ସଇରାତରେ ସୀମା ନିର୍ଦ୍ଧାରଣ ନକରିବା ଆଦି ଦର୍ଶାଯାଇଥିଲା । ଏଥିରେ ପ୍ରମୁଖ କାର୍ପଟଦାର ସାଜିଥିଲେ ତହସିଲଦାର ମମତାଜ ମହାରଣା । ଯିଏ ପରିବେଶ ମଞ୍ଜୁରୀ ଓ ପ୍ରଦୂଷଣ ବୋର୍ଡର ବିନା ଅନୁମତିରେ ଲିଜଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ଟ୍ରାନ୍‌ଜିଟ୍ ପାସ ପ୍ରଦାନ କରିଥିଲେ । ଏହି କାରଣ ପାଇଁ ଏନ୍‌ଜିଟି ମଧ୍ୟ ଭର୍ସନା କରିଥିଲେ । ତାସହ ପ୍ରଦୀପ ବିନ୍ଧାଣୀଙ୍କଠୁ ୧୭ କୋଟି ୩ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ ପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏନ୍‌ଜିଟି ।

କେବଳ ମୟୁରଭଞ୍ଜ ନୁହେଁ, ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ବି ଚାଲିଛି ବେଆଇନ ବାଲି ଉଠାଣ । ଜଳେଶ୍ୱର ବ୍ଲକର ଦକ୍ଷିଣ ପ୍ରହରାଜପୁର, କୁଅଁରପୁର, ସେକସରାଇ ଓ ରାଜଘାଟରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଉଠାଉଛନ୍ତି ମାଫିଆ । ଏ ସମ୍ପର୍କରେ ତହସିଲଦାରଙ୍କୁ ଗାଁ ଲୋକେ ଲିଖିତ ଅଭିଯୋଗ ବି କରିଛନ୍ତି ।