ଅତି ନୃଶଂସ-ବିଭତ୍ସ-ବର୍ବର ! କମେଣ୍ଟମରାକୁ ନେଇ ୪ ଜଣଙ୍କୁ ପିଟିପିଟି ମାରିଦେଲେ

ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ।

Crime

ଗୋଟିଏ ପରିବାରର ଚାରି ଚାରି ଜଣଙ୍କୁ ପିଟି ପିଟି ହତ୍ୟା କଲେ ଅନ୍ୟ ଏକ ଗୋଷ୍ଠୀର ଲୋକ । ଗଞ୍ଜାମ ହିଂଜିଳି ଥାନା ପିତ୍ତଳରେ ଗତକାଲି ରାତିରେ ଘଟିଥିବା ଏଭଳି ନୃଶଂସ କାଣ୍ଡକୁ ନେଇ ପୁରା ଜିଲ୍ଲାରେ ଚହଳ ପଡ଼ିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ରହ୍ମପୁର-ଆସିକା ରାସ୍ତାକୁ ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । କମେଣ୍ଟମରା ଭଳି ସାମାନ୍ୟ ଘଟଣାକୁ ନେଇ ଏ ଗଣହତ୍ୟା ସଂଘଟିତ ହୋଇଥିବା ପୋଲିସ କହୁଥିଲେ ବି ଏହା ପଛରେ ଆଉ କିଛି କାରଣ ଥିବା ସନ୍ଦେହ କରାଯାଉଛି ।

ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ରାମଚନ୍ଦ୍ରପୁର ଗାଁର ୬ରୁ ୭ ଜଣ ବ୍ୟକ୍ତି ସେମାନଙ୍କ ଉପରେ କରିଥିଲେ ଅତର୍କିତ ଆକ୍ରମଣ । ପୋଲିସ କହିବା ଅନୁସାରେ ଆକ୍ରମଣ ପାଇଁ ଠେଙ୍ଗା, ଇଲେକ୍‌ଟ୍ରିକ୍‌ ପୋଲରେ ଲାଗୁଥିବା ଲୁହା ଆଙ୍ଗେଲ ବ୍ୟବହାର ହୋଇଛି । ଏ ଖଣ୍ଡଯୁଦ୍ଧ ଭିତରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ । ସେପଟେ ଆକ୍ରମଣକାରୀଙ୍କ ମଧ୍ୟରୁ ବି ଜଣେ ଗୁରୁତର ହୋଇ ଏବେ MKCGରେ ଚିକିତ୍ସାଧୀନ ରହିଛି ।

ଏପଟେ ହତ୍ୟା ଖବର ପ୍ରଚାରିତ ହେବା ମାତ୍ରେ ସକାଳୁ ପିତ୍ତଳ ଛକରେ ସୃଷ୍ଟି ହୋଇଥିଲା ପ୍ରବଳ ଉତ୍ତେଜନା । ହତ୍ୟାକାରୀଙ୍କୁ ତୁରନ୍ତ ଧରିବା ଦାବିରେ ବ୍ରହ୍ମପୁର-ଆସିକା ୫୯ ନମ୍ବର ଜାତୀୟ ରାଜପଥକୁ ପିତ୍ତଳ ଛକଠାରେ ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ସହ ନିଜେ ଜିଲ୍ଲାପାଳ ଓ ଏସ୍‌ପି ଗ୍ରାଉଣ୍ଡକୁ ଆସିଥିଲେ । ପୋଲିସ ଓ ପ୍ରଶାସନର ବୁଝାସୁଝା ସତ୍ତ୍ୱେ ରାସ୍ତା ଉପରୁ ହଟିନଥିଲେ ଆନ୍ଦଳନକାରୀ । ଏପଟେ ଏ ଘଟଣା ପରେ ନରେନ୍ଦ୍ରପୁର ଗାଁରେ ସୃଷ୍ଟି ହୋଇଛି ଅତ୍ୟନ୍ତ ଶୋକାକୂଳ ପରିବେଶ । ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଚାଲିଯିବା ପରେ ଛାରଖାର ହୋଇପଡ଼ିଛି ସେମାନଙ୍କ ସଂସାର ।

 

କୁହାଯାଉଛି ଯେ, କମେଣ୍ଟ ମରା ଭଳି ସାମାନ୍ୟ ଘଟଣାକୁ ନେଇ ସଂଘଟିିତ ହୋଇଛି ଏ ଗଣ ହତ୍ୟାକାଣ୍ଡ । ଏ ଘଟଣାରେ ଏବେ ସୁଦ୍ଧା ମୋଟ ୩ ଜଣଙ୍କୁ ଅଟକ ରଖାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ସେପଟେ ଗୋଟିଏ ପରିବାରର ୩ ପୁଅ ଓ ସମ୍ପର୍କୀୟଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ପରିବାରକୁ ସବୁ ପ୍ରକାର ସହାୟତା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଉଭୟ ଜିଲ୍ଲାପାଳ ଓ ଏସପି ଆଜି ନରେନ୍ଦ୍ରପୁର ଗାଁକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ ।

ଏଠାରେ ପ୍ରଶ୍ନ ଉଠୁଛି ସାମାନ୍ୟ କମେଣ୍ଟ ମରାରୁ କଣ ସୂତ୍ରପାତ ହୋଇପାରେ ଏଭଳି ଭୟଙ୍କର ଗୋଷ୍ଠୀ ସଂଘର୍ଷ ? ଘଟଣା ପଛରେ କିଛି ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ତିକ୍ତତା ନଥିଲା ତ ? ଏଭଳି ହତ୍ୟାକାଣ୍ଡ ପାଇଁ ହତ୍ୟାକାରୀ ବହୁ ଆଗରୁ ଯୋଜନା କରିଥିଲେ କି ? ଘଟଣା ଓ ଘଟଣାସ୍ଥଳକୁ ଗଲେ ଏ ପ୍ରଶ୍ନ ସ୍ୱତଃ ଆସୁଥିବା ବେଳେ ପୋଲିସ କିନ୍ତୁ ଏସବୁ ଆଶଙ୍କାକୁ ଖଣ୍ଡନ କରିଛି ।