ଭାବି ସ୍ୱାମୀଙ୍କୁ ହତ୍ୟା ଦୁଃଖ ସହିପାରିଲେନି ଭାବିପତ୍ନୀ, ଶେଷରେ ବିଷ ପିଇଦେଲେ

ଗଞ୍ଜାମ ହଂସପୁରରେ ତୁମୁଳକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହିଂସାତ୍ମକ ମୋ଼ଡ ନେଲା ଆନ୍ଦୋଳନ ।

Chhatrapur Murder Case

ଭାବି ସ୍ୱାମୀଙ୍କ ହତ୍ୟା ଓ ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳକାଣ୍ଡ । ମେ’ ୧୩ ତାରିଖରେ ଧୂମଧାମରେ ହୋଇଥାନ୍ତା ବିବାହ । ପରସ୍ପରକୁ ଜୀବନ ସାଥୀ କରି ସାତ ଜନ୍ମ ପାଇଁ ଶପଥ ନେଇଥାନ୍ତେ ଉଭୟ ପତି-ପତ୍ନୀ । ହେଲେ ବ୍ୟବସାୟିକ ଶତ୍ରୁତାରୁ ଭାବି ସ୍ୱାମୀଙ୍କୁ ହତ୍ୟା ପରେ ନିୟତିର ଏ ନିଷ୍ଠୁର ବିଚାରକୁ ସହଜେ ଗ୍ରହଣ କରିପାରିଲେନି ଭାବି ପତ୍ନୀ । ସ୍ୱାମୀ ବୋଲି ହୃଦୟରେ ଗ୍ରହଣ କରିସାରିଥିବା ମନର ମଣିଷକୁ ହରାଇ ମୃତ୍ୟୁର ୩ ଦିନ ପରେ ଶେଷରେ ବିଷ ପିଇ ଜୀବନ ହାରିଛନ୍ତି ଭାବି ପତ୍ନୀ । ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁର ଏ ଘଟଣା ଦୁଇ ଦୁଇଟି ପରିବାରକୁ ଶୋକ ସାଗରରେ ବୁଡାଇ ଦେଇଛି ।

ଅଭିଯୋଗ ଅନୁସାରେ ହଂସପୁପର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ସହ ସେହି ଗାଁର ଆରତୀ ପ୍ରଧାନଙ୍କ ସହ ବିବାହ ସ୍ଥିର ହୋଇଥିଲା । ଆସନ୍ତା ୧୩ ତାରିଖରେ ବାହାଘର ପାଇଁ ଦିନ ବି ଧାର୍ଯ୍ୟ ହୋଇଥିଲା । ହେଲେ ତା’ପୂର୍ବରୁ ଗତ ୨୨ ତାରିଖ ରାତିରେ ଆରତୀଙ୍କ ଜୀବନ ଆକାଶରେ ଘୋଟିଗଲା ଅମା ଅନ୍ଧାର । କୁହାଯାଉଛି, ବ୍ୟବସାୟିକ ଶତ୍ରୁତାକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ସେହିଦିନ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । କୃଷ୍ଣଚନ୍ଦ୍ର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ତାଙ୍କ ଉପରେ ହୋଇଥିଲା ଅତର୍କିତ ଆକ୍ରମଣ । ଆଉ ସେଇଠି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ି ରହି ଆଖି ବୁଜିଦେଇଥିଲେ କୃଷ୍ଣଚନ୍ଦ୍ର ।

ବ୍ୟବସାୟିକ କାରଣରୁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏ ମାମଲାରେ କିଛି ଲୋକଙ୍କୁ ସନ୍ଦେହରେ ନେଇ ପୁଣି ଛାଡ଼ି ଦେବାରୁ ସ୍ଥାନୀୟ ହଂସପୁର ଗାଁ ଲୋକେ ତାତି ଉଠିିଥିଲେ । ଆଉ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆଜି ସକାଳୁ ରାସ୍ତାକୁ ଓହ୍ଲାଇଥିଲେ । ହତ୍ୟାକାରୀ ଧରା ନହେଲେ, ଆଇନକୁ ହାତକୁ ନେବେ ବୋଲି ଚେତାଇ ଦେଇଥିଲେ ।

ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଭିତରେ ଏପଟେ ଘଟି ଯାଇଥିଲା ଆଉ ଏକ ଅଘଟଣ । ଆରତୀଙ୍କ ପରିବାର ଲୋକେ କହିଛନ୍ତି, ନିଜ ଭାବି ସ୍ୱାମୀଙ୍କ ମୃତ୍ୟୁ ପରେ ୩ ଦିନ ହେବ ଠିକ୍‌ରେ ଖିଆପିଆ କରୁନଥିଲେ ଆରତୀ । ସକାଳୁ ମନ୍ଦିର ଯିବାକୁ କହି ଆଉ ଫେରିନଥିଲେ । ଭାବି ସ୍ୱାମୀ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ସେହି ମନ୍ଦିର ନିକଟରେ ହିଁ ବିଷ ପିଇ ଦେଇଥିଲେ ଆରତୀ । ପରେ ତାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତରଙ୍କ ସବୁ ଉଦ୍ୟମ ଫେଲ ମାରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇ ଭାବି ସ୍ୱାମୀଙ୍କ ରାସ୍ତାର ସେ ପଥିକ ହୋଇଥିଲେ ।

କୁହାଯାଏ ପତି-ପତ୍ନୀର ସମ୍ପର୍କ ଜନ୍ମ ଜନ୍ମର, ଯୁଗ ଯୁଗର । ହେଲେ ସମ୍ପର୍କର ଏ ଡୋରିକୁ ଭୁଲି କେଉଁଠି ପତି, ପତ୍ନୀକୁ ହତ୍ୟା କରୁଛି, ତ କେଉଁଠି ସ୍ୱାମୀଙ୍କୁ ଛାଡ଼ି ପରପୁରୁଷ ସହ ରହୁଛି ସ୍ତ୍ରୀ । କିନ୍ତୁ ଜଣଙ୍କୁ ସାତ ଜନ୍ମର ସାଥୀ କରିବା ନିଷ୍ପତ୍ତିରେ ଅଟଳ ଜଣେ ନାରୀ ବିବାହ ପୂର୍ବରୁ ବି ଭାବି ସ୍ୱାମୀଙ୍କ ପାଇଁ ଜୀବନ ଉତ୍ସର୍ଗ କରି ପାଲଟି ଯାଇଛନ୍ତି ସବୁ ଦିନର ସହଯାତ୍ରୀ ।