• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବ୍ରାଉନସୁଗାର ଓ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ହବ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କି କୋକେନ୍ ନେଟୱର୍କ । ଜାଭିୟର ଛକରୁ ଏକକାଳୀନ ୨ଶହ ଗ୍ରାମ କୋକେନ ଜବତ ପରେ ବଢିଛି ଚିନ୍ତା । କାରଣ କୋକେନ ଏକ ମହଙ୍ଗା ନିଶା ଦ୍ରବ୍ୟ ହୋଇଥିବାରୁ ଏଥିରେ ବଡବଡ଼ିଆ ଓ ସଂଭ୍ରାନ୍ତ ଶ୍ରେଣୀଙ୍କ ସଂପୃକ୍ତି ଥିବା ସ୍ପଷ୍ଟ ହେଉଛି । ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍ ରିମାଣ୍ଡରେ ଆଣି ଜେରା କରିବା ପରେ ପୁରା କାରବାରର ଗୁମାର ଖୋଲିବା ଆଶା କରାଯାଉଛି ।

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର କୋକେନ ଜବତ ପରେ ବଢିଛି ଏସ୍‌ଟିଏଫ୍‌ର ଚିନ୍ତା । ଓଡ଼ିଶାରେ କେତେ ଦିନ ହେଲା ଚାଲିଛି ଏହି ନିଶା କାରବାର? ଏହା ପଛରେ ସଂପୃକ୍ତ ଅଛନ୍ତି ଆଉ କେଉଁ ବ୍ୟକ୍ତି? ଦୁଇ ଅଭିଯୁକ୍ତ ରବି ଓ ସନି କୁମାରକୁ ରିମାଣ୍ଡରେ ଆଣି ଜେରା କରିବ ଏସ୍‌ଟିଏଫ୍ ଉଭୟ ଅଭିଯୁକ୍ତ ରାଜସ୍ଥାନ ବାସିନ୍ଦା ହୋଇଥିବା ବେଳେ ରବି କୁମାର ଦିଲ୍ଲୀରେ ରହି କୋକେନ୍ ସପ୍ଲାଏ କରୁଥିଲା ଓ ଭୁବନେଶ୍ୱର ସାଲିଆ ସାହିରେ ରହି ରାଜଧାନୀରେ କାରବାର ଚଳାଇଥିଲା ସନ୍ନି କୁମାର ।

ଓଡ଼ିଶାରେ ବ୍ରାଉନ ସୁଗାର ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର କାରବାର ସାଧାରଣ କଥା ହୋଇଥିବା ବେଳେ କୋକେନ ଧରାପଡିବା ବିରଳ । ତେଣୁ ରାଜ୍ୟରେ କେତେ ଲମ୍ବିଛି କୋକେନ ନେଟୱର୍କର ଚେର । ଏହି କାରବାର ପଛରେ ସଂପୃକ୍ତ ଅଛନ୍ତି ଆଉ କେଉଁ ବ୍ୟକ୍ତି, ରବି ଓ ସନ୍ନି କୁମାରଙ୍କୁ ଜେରା ପରେ ତାର ଗୁମର ଖୋଲିବା ଆଶା କରାଯାଉଛି ।

ରାଜଧାନୀରେ କୋକେନ ଭଳି ମହଙ୍ଗା ନିଶାଦ୍ରବ୍ୟ ଜବତ ପରେ, ପ୍ରଶ୍ନ କିଏ ଏହାର ଗ୍ରାହକ? କାରଣ ଡ୍ରଗ୍ସଗୁଡିକ ମଧ୍ୟରେ କୋକେନ ସବୁଠୁ ଦାମିକା । ଭାରତରେ ପ୍ରତି ଗ୍ରାମ କୋକେନ୍‌ର ଦର ୫ରୁ ୬ ହଜାର ଟଙ୍କା । ତେଣୁ ସାଧାରଣ ନିଶାଡି ଏହାକୁ ବ୍ୟବହାର କରିବା କଳ୍ପନା ବାହାରେ କେବଳ ସଂଭ୍ରାନ୍ତ ଓ ପଇସା ବାଲା ଲୋକ ହିଁ କୋକେନ ସେବନ କରିଥାଆନ୍ତି । ତେଣୁ ରାଜଧାନୀ ଭୁବନେଶ୍ୱରରେ କିଏ ଏହି ମହଙ୍ଗା ନିଶା ଦ୍ରବ୍ୟର ସେବନକାରୀ, ଏସ୍‌ଟିଏଫ୍ ଖୋଳତାଡରୁ ସେ ସୁରାକ ମିଳିବା ଆଶା କରାଯାଉଛି ।

ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲ, କଲମ୍ବିଆ, ଚିଲ୍ଲୀ ଓ ପେରୁ ଭଳି ରାଷ୍ଟ୍ରରେ କୋକେନ ଚାଷ କରାଯାଏ । କୋକା ନାମକ ଗଛରୁ କୋକେନ ପ୍ରସ୍ତୁତ ହୁଏ । ନାର୍କୋଟିକ ବ୍ୟୁରୋର ତଥ୍ୟ ଅନୁସାରେ ଅନ୍ତର୍ଜାତୀୟ ମାଫିଆଙ୍କ ଦ୍ୱାରା ଆରବ ଦେଶ ଦେଇ ଦିଲ୍ଲୀ, ମୁମ୍ବାଇ ଓ କୋଲକତା ଭଳି ମେଟ୍ରୋରେ ପହଞ୍ଚିବା ପରେ କୋକେନ ଅନ୍ୟ ରାଜ୍ୟକୁ ଚାଲାଣ ହୁଏ । ଏବେ ଭୁବନେଶ୍ୱରରୁ ଏହା ଜବତ ହେବା ଚିନ୍ତା ବଢ଼ାଇଛି ।