ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସିସିଟିଭି କହିଲା ସତ, ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ

ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି ।

Planned Crime

ଦ୍ରୁତ ଗତିରେ ମାଡ଼ି ଆସିଲା, ମଣିଷଙ୍କ ଉପରେ ଚଢ଼ିଗଲା, ସାମ୍ନା ପଟୁ ଟ୍ରକକୁ ପିଟିଲା । ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ମାମଲାର ଖୋଲୁଛି ମର୍ଡର ପ୍ଳଟର ଗହନ କଥା । କ୍ୟାମେରାରେ କଏଦ ହୋଇଛି ଅଭିଯୁକ୍ତର ଚେହେରା ଆଉ ହତ୍ୟା ଷଡଯନ୍ତ୍ରର ଚିତ୍ର । ଗତକାଲି ଆପଣ ସିସିଟିଭିର ଚିତ୍ରରେ ଦେଖିଥିଲେ, କେମିତି ଜାଣିଶୁଣି ୨ ଯୁବକଙ୍କ ଉପରେ ଗାଡି ମଡ଼ାଇ ଦିଆଯାଇଥିଲା । ଏବେ ଏହି ଘଟଣାର ଆସିଛି ଅପ୍‌ଡେଟ୍‌ ଭିଜୁଆଲ୍ । ଯେଉଁଥିରେ ନଜର ଆସିଛନ୍ତି ସେହି କିଲର ଟ୍ରକର ଡ୍ରାଇଭର । ଯାହାର ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି ।

ବଲାଙ୍ଗିରର ଏହି ହିଟ୍ ଆଣ୍ଡ ରନ୍ ମାମଲାର ଫିଟୁଛି ରହସ୍ୟ । ଖୋଲୁଛି ହତ୍ୟା ଷଡ଼ଯନ୍ତ୍ରର ଗୁମର, ସାମ୍ନାକୁ ଆସିଛି ଅଭିଯୁକ୍ତର ଚେହେରା । ଆଉ ହତ୍ୟା ଅଭିଯୁକ୍ତ ହେଉଛନ୍ତି ସେହି ଚିତ୍ତରଞ୍ଜନ ମହାନ୍ତି । ଗାଡ଼ିରେ ଥିବା ଭିଜୁଆଲରୁ ସ୍ପଷ୍ଟ ଜଣାପଡ଼ିଛି, ଚିତ୍ତରଂଜନ ମହାନ୍ତିଙ୍କ ସେହି ଖୁନୀ ଚେହେରା । ଯିଏ ଜାଣିଶୁଣି ଦୁର୍ଘଟଣା ଭିଆଇ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପାଞ୍ଚିଥିଲେ ନାନା ଫନ୍ଦି । ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଚିତ୍ତରଂଜନ ମହାନ୍ତି କହିଥିଲେ, ମୁଁ ରାସ୍ତା କଡ଼ରେ ସିଗାରେଟ ପିଉଥିଲି । ମୋତେ ଗାଡ଼ି ଧକ୍କା ଦେଲା । ମୋତେ ମାରିବା ପାଇଁ ଉଦ୍ୟମ କରାଯାଇଥିଲା ।

ହେଲେ, ଅସଲ କଥା ହେଉଛି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ଶ୍ରୀକାନ୍ତ ବାଗ୍‌ । ଗୁରୁତର ହୋଇଛନ୍ତି ସାନୁ ନାଏକ । ସିଧାସଳଖ ଚିତ୍ତ ମହାନ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ସାନୁ । ଆଉ ସେହି ହତ୍ୟା ଅଭିଯୁକ୍ତ ହେଉଛନ୍ତି କ୍ୟାମେରାରେ କଏଦ ଥିବା ଚିତ୍ତରଂଜନ ମହାନ୍ତି ।

କିଲର୍ ମିନିଟ୍ରକ୍‌ର ଡ୍ରାଇଭର ସିଟ୍‌ରେ ଥିବା ଚିତ୍ତରଂଜନ ମୁଖ୍ୟ ଅଭିଯୁକ୍ତ ବୋଲି କେବଳ ଭିଜୁଆଲ୍ ନୁହେଁ, ଓଟିଭିକୁ ଏକ୍ସକ୍ଳୁସିଭ ସାକ୍ଷାତକାର ଦେଇ ବଲାଙ୍ଗିର ଏସ୍.ପି.ନୀତିନ କୁଶଲକର ମଧ୍ୟ ଅଭିଯୁକ୍ତ ଏବଂ ହତ୍ୟା ଷଡ଼ଯନ୍ତ୍ରକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଚେଷ୍ଟା କରାଯାଇଥିଲା । ଗାଡ଼ି ଭିତରେ ଚିତ୍ତ ମହାନ୍ତିଙ୍କ ସହିତ ଆଉ ଜଣେ ଉପସ୍ଥିତ ଥିଲା । ଅନ୍ୟ ଜଣେ ଫେରାର ମାରିଥିବାରୁ, ପୋଲିସ ତାକୁ ଖୋଜୁଛି । କିନ୍ତୁ ଗାଡି କିଏ ଡ୍ରାଇଭ୍ କରୁଥିଲା, ଏନେଇ ସ୍ପଷ୍ଟ କରୁନାହାନ୍ତି ଏସ୍.ପି ।

କିଲର ଡ୍ରାଇଭରକୁ ଚିହ୍ନଟ ପାଇଁ ବୈଷୟିକ ଟିମ୍ ସହାୟତାରେ ତଦନ୍ତ କରାଯାଉଛି । ଘଟଣାରେ ୩ ଜଣଙ୍କ ସଂପୃକ୍ତି ଥିବାବେଳେ, ଚିତ୍ତରଂଜନ ମହାନ୍ତିଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ସାନୁଙ୍କ ବଡଭାଇ ଭୂବନଙ୍କୁ ବି ସମାନ ଷ୍ଟାଇଲରେ ଆକ୍ରମଣ କରାଯାଇଥିବାରୁ, ଏହାର ତଦନ୍ତ ଚାଲିଥିବା କହିଛନ୍ତି ଏସ୍‌ପି । ସେପଟେ ଗିରଫ ଚିତ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତ ଚିତ୍ତରଂଜନ ମହାନ୍ତିଙ୍କ ବାମ ଗୋଡ ଭାଙ୍ଗି ଯାଇଥିବାରୁ, ପୋଲିସ ହେପାଜତରେ ବର୍ତ୍ତମାନ ଚିକିତ୍ସା କରାଯାଉଥିବା କହିଛନ୍ତି ଏସ୍‌ପି ।