• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକରେ ଜଣେ ଜଜ୍‌ଙ୍କ ମୃତ୍ୟୁକୁ ନେଇ ଚାଂଚଲ୍ୟ । ସରକାରୀ କ୍ୱାଟରରୁ ଝୁଲନ୍ତା ଅବସ୍ଥାରେ ବିଚାରପତିଙ୍କ ମୃତଦେହ ମିଳିଛି । କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀ, ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଠିଆ ହୋଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ତେବେ ପ୍ରଶ୍ନ ଉଠୁଛି, ସହଯୋଗୀ ଓ କର୍ମଚାରୀଙ୍କ ସହ ବେଶ ଆମାୟିକ ଥିବା ଜଜ୍‌ଙ୍କ ଜୀବନରେ ଏମିତି କଣ ଘଟିଲା ଯେ, ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ।

କେମିତି ହେଲା ଜଜ୍‌ଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ଆଉ କିଛି ? କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଛି । ପତ୍ନୀ ଓ ଦୁଇ ଝିଅ ଘରେ ନଥିବା ବେଳେ ସେ ଏପରି କାଣ୍ଡ ଭିଆଇଥିବା ପୋଲିସ୍ ପ୍ରାଥମିକ ତଦନ୍ତ ପରେ କହିଛି । 

ସବୁଠୁ ବଡ଼ କଥା ହେଉଛି, ଆଜି ସକାଳେ ହଠାତ୍ ଛୁଟି ନେଇଥିଲେ ବିଚାରପତି ସୁବାସ । ଷ୍ଟେନୋ ରବିନାରାୟଣ ମହାପାତ୍ରଙ୍କ କହିବାନୁସାରେ, ତାଙ୍କୁ ବିଚାରପତି ଛୁଟି ଦରଖାସ୍ତ ଲେଖିବାକୁ କହିଥିଲେ । ହେଲେ ଏହାର କିଛି ଘଣ୍ଟା ପରେ ସେ ଅସୁସ୍ଥ ଥିବା ନେଇ ଖବର ମିଳିବା ପରେ ସେ ତାଙ୍କ ବାସଭବନକୁ ପହଞ୍ଚିଥିଲେ । ସେଠୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ବେଳକୁ ବିଚାରପତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

 

ସିଡିଏ ସେକ୍ଟର-୯ କ୍ୱାଟରରେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ରୁହନ୍ତି ବିଚାରପତି ସୁବାସ ବିହାରୀ । ନିଜ ସହଯୋଗୀ ଓ କୋର୍ଟରେ ସମସ୍ତଙ୍କ ସହ ଭାରି ଭଲ ସମ୍ପର୍କ ରଖିଥିବା ବିଚାରପତି ସୁବାସ ବିହାରୀଙ୍କ ସହ ଏମିତି କଣ ଘଟିଲା? ହଠାତ୍ କାହିଁକି ଛୁଟି ନେଇଥିଲେ ସେ ? ଘରେ ଏମିତି କଣ ହୋଇଥିଲା ? ଶାରିରୀକ କିମ୍ବା ମାନସିକ ଭାବେ କିଛି ସମସ୍ୟା ଥିଲା କି? ଏସବୁ ପ୍ରଶ୍ନକୁ ଏବେ ଖୋଜୁଛି ପୋଲିସ୍ ।

କଟକ ଏସ୍‌ସିବି ମେଡିକାଲ୍‌ରେ ସରିଛି ଜଜ୍ ସୁବାସ ବିହାରୀଙ୍କ ମୃତଦେହ ବ୍ୟବଚ୍ଛେଦ । ତାଙ୍କ ମୃତ୍ୟୁ ପରେ ଶୋକାକୂଳ ହୋଇପଡ଼ିଛି ସାରା କଟକ ।

ରିପୋର୍ଟର - ଦେବାଶିଷ ମହାନ୍ତି ଏବଂ ଗୌତମ ପଣ୍ଡା