Son Kills Mother
ମାଆ ରକ୍ତରେ ହୋଲି ଖେଳିଲା ପୁଅ । ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲା, ସେ ହିଁ ଜୀବନ ନେଲା । ଦୋଷ ଏତିକି ଥିଲା, ପୁଅ ନିଶା ଖାଇବାକୁ ଟଙ୍କା ମାଗିଥିଲା । ଆଉ ସେହି ପୁଅର ଭଲ ପାଇଁ ଟଙ୍କା ଦେବାକୁ ମନା କରିଦେଇଥିଲା ମାଆ । ବାସ୍...ଏତିକିରେ ରାକ୍ଷସ ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ମାଆର ମମତାର ମୂଲ ବଦଳରେ ତାକୁ ଫାଉଡାରେ ଚୋଟ ଉପରେ ଚୋଟ ପକାଇ ଜୀବନ ନେଇଗଲା ।
ପୁରୀ ଜିଲ୍ଲା ସଦର ସମଙ୍ଗରାରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ଟଙ୍କା କେଇଟା ପାଇଁ ଫାଉଡା ଚୋଟରେ ମାଆକୁ ହତ୍ୟା କରିଛି ଜନ୍ମକଲା ପୁଅ । ମୃତକ ହେଲେ କନକ ପ୍ରଧାନ (୫୫) । ପେଣ୍ଠକଟା ମେରାଇନ ଥାନା ପୋଲିସ ଅଭିଯୁକ୍ତ ପୁଅ ପିଙ୍କୁ ପ୍ରଧାନ (୩୦)କୁ ଗିରଫ କରିଛି ।
ଅଧିକ ପଢନ୍ତୁ: ଫିଜିକାଲ ଟେଷ୍ଟ ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ସୂଚନା ଅନୁଯାୟୀ, ଆଜି ସକାଳେ ପିଙ୍କୁ ନିଶା ଖାଇବା ପାଇଁ ମାଆ କନକକୁ ଟଙ୍କା ମାଗିଥିଲା । ହେଲେ ମାଆ ଟଙ୍କା ଦେବାକୁ ସିଧା ସିଧା ମନା କରିଦେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଫାଉଡ଼ାରେ କନକଙ୍କ ମୁଣ୍ଡକୁ ଦୁଇ ତିନି ଚୋଟ ପକାଇଥିଲା ପୁଅ ପିଙ୍କୁ । ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ଜହ୍ଲାଦ ପୁଅ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବୋଲି ଜଣାଯାଇଛି ।
ପୁଅର ଫାଉଡ଼ା ଚୋଟରେ ଘଟଣାସ୍ଥଳରେ ହିଁ ମାଆର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଆସି ତାକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748508169.jpg)