• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂର୍ବ ଶତ୍ରତାକୁ କେନ୍ଦ୍ର କରି ନିର୍ମମ ହତ୍ୟା । ଗୁଳି ମାରି ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମଧ୍ୟପ୍ରଦେଶ ( (Madhya Pradesh)ର ମୋରେନା(Morena)ରେ ଏଭଳି ଏକ ଭୟଙ୍କର ଘଟଣା ଘଟିଛି । ଗୁଳିମାଡ଼ରେ ଆହତ ଆଉ ଦୁଇ ଜଣ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ବେଳର ଭିଡିଓ ମଧ୍ୟ ବିଚଳିତ କରିବା ଭଳି ।

କିଛି ବ୍ୟକ୍ତି ରାଇଫଲ ଧରି ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ମାଡ଼ କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ମୃତଦେହ ଗୁଡ଼ିକର ପୋଷ୍ଟମର୍ଟମ ବିଳମ୍ବିତ ରାତ୍ରି ସୁଦ୍ଧା କରାଯିବ । ଦାୟିତ୍ୱରେ ଥିବା ପୋଲିସ ଅଧୀକ୍ଷକ ଅଧିକ ଫୋର୍ସ ସହିତ ଗାଁରେ ପହଞ୍ଚିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଆଜି ସକାଳ ୧୦ଟାରେ ମୋରେନାରେ ଲେପା ଗାଁରେ ‌ଏହି ଘଟଣା ଘଟିଛି । ୨୦୧୩ରେ ଅଳିଆ ପକେଇବାକୁ ନେଇ ଗାଁର ଧୀର ସିଂହ ତୋମାର ଓ ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଲୋକଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦରେ ଧୀର ସିଂ ତୋମାର ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଗଜେନ୍ଦ୍ର ସିଂ ତୋମାରଙ୍କ ପରିବାର ଲୋକ ଗାଁ ଛାଡି ଅନ୍ୟଆଡ଼େ ପଳାଇ ଯାଇଥିଲେ।

ପରେ ବିବାଦକୁ ନେଇ ଉଭୟ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟରେ ବୁଝାମଣା ପରେ ଆଜି ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଲୋକ ଗାଁକୁ ଫେରିଥିଲେ । ହେଲେ ସେମାନେ ଗାଁରେ ପହଞ୍ଚିବା କ୍ଷଣି ଧୀର ସିଂହ ତୋମାରଙ୍କ ପରିବାର ଲୋକ ଯୋଜନାବଦ୍ଧ ଭାବେ ଆକ୍ରମଣ କରିବା ସହ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଗଜେନ୍ଦ୍ର ସିଂହ ତୋମାର, ତାଙ୍କର ଦୁଇ ପୁଅ ଓ ପରିବାରର ୩ ଜଣ ମହିଳା ଆଖି ବୁଜିଛନ୍ତି ।

ପ୍ରତିଶୋଧ ନେବାକୁ ଯାଇ ଆଜି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ୍‌ କହିଛି । ଗୁଳି କରିଥିବା ୮ ଜଣଙ୍କୁ ପୁଲିସ୍‌ ଚିହ୍ନଟ କରିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।