ରାଜଧାନୀରେ ସିମ୍ ବକ୍ସ ଆତଙ୍କ ! ଧରାପଡ଼ିଲା ୭ ସିମ୍ ବକ୍ସ, ୫୦୦ ସିମ୍

ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ ।

Sim Box

ଓଡ଼ିଶାରେ ପୁଣି ସିମ୍ ବକ୍ସ ଆତଙ୍କ । ରାଜଧାନୀର ଏକ ଭଡ଼ା ଘରୁ ମିଳିଲା ସାତ ସାତଟି ସିମ୍ ବକ୍ସ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଅଞ୍ଚଳରେ ଥିବା ଏଇ ଭଡ଼ା ଘରୁ ଆଜି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମିଳିତ ଭାବେ ଚଢାଉ କରି ଜବତ କରିଛି ୭ଟି ସିମ୍ ବକ୍ସ। ତା’ସହ ଜବତ ହୋଇଛି ୫ ଶହରୁ ଅଧିକ ସିମ୍ କାର୍ଡ।

ପୋଲିସ ସୂଚନା ଦେଇଛି, ଯେ, ମହାଦେବନଗରର ପ୍ଲଟ୍ ନମ୍ବର ୨୧୫୯/ ୭୦୧୦ରେ ଏକ ଘରେ ପ୍ରାୟ ୮ ମାସ ଧରି ଭଡ଼ାରେ ରହି ଆସୁଥିଲା ଓଡ଼ିଶା ବାହାରର ଜଣେ ବ୍ୟକ୍ତି। ହେଲେ ତାର ଆତଯାତ ଓ ଚାଲିଚଲଣକୁ ସନ୍ଦେହ କରି ତା ସମ୍ପର୍କରେ ସ୍ପେଶାଲ ସ୍କାର୍ଡ ପାଖରେ ଖବର ପହଞ୍ଚିଥିଲା। 

ଶୁକ୍ରବାର ସେ ଘରକୁ ଆସିଥିବା ଖବର ପାଇ ଅତର୍କିତ ରେଡ୍ କରିଥିଲା ସ୍ପେଶାଲ ସ୍କାର୍ଡ। ଆଉ ଘର ଭିତରେ ପଶିବା ପରେ ସତ ହୋଇଥିଲା ପୋଲିସର ସନ୍ଦେହ। ଏକ ରାକରେ ରଖାଯାଇଥିଲା ୭ଟି ସିମ୍ ବକ୍ସ । ସିମ୍ ବକ୍ସକୁ କରେଣ୍ଟ ଓ ଇଣ୍ଟନରେଟର ସଂଯୋଗ ବି ରହିଥିଲା। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ସେସବୁ ଉପକରଣ ଜବତ ପରେ ଘର ସିଲ୍ କରିଛି। ଅଟକ ବ୍ୟକ୍ତିଙ୍କ ନାଁ ରାଜୁ ମଣ୍ଡଳ ବୋଲି ସୂଚନା ମିଳିଥିଲେ ବି ତା ଘର କେଉଁଠି ଏବଂ ତାର ପ୍ରକୃତ ପରିଚୟ କଣ ସେ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି ପୋଲିସ।

ଏବେ ଆସନ୍ତୁ ଜାଣିବା କଣ ଏହି ସିମ୍ ବକ୍ସ ? କାହିଁକି ପୋଲିସ ଟାର୍ଗେଟରେ ଥିଲା ? ସେ ଘର ଆଉ ସିମ୍ ବକ୍ସ ନେଟୱାର୍କ ଚଳାଉଥିବା ସନ୍ଦିଗ୍ଧ ବ୍ୟକ୍ତି କିଏ ? ସିମ୍ ବକ୍ସ ଡିଭାଇସ ବ୍ୟବହାର କରାଯାଇ ବିଦେଶୀ ଇଣ୍ଟନରେଟ କଲକୁ ଲୋକାଲ କଲରେ ପରିଣତ କରାଯାଇପାରେ। ଏଇ ଡିଭାଇସରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସଜ୍ ମଧ୍ୟ କରାଯାଇପାରିବ।

ହେଲେ କଲ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ ବୋଲି ରିସିଭରଙ୍କୁ ଜଣାପଡ଼ିନଥାଏ। ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବର୍ ଫ୍ରଡ୍ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ।

ଏବେ ପ୍ରଶ୍ନ ଉଠୁଛି ରାଜଧାନୀର ଏ ପ୍ରମୁଖ ଅଞ୍ଚଳରେ ରହି ସିମ୍ ବକ୍ସ ନେଟୱାର୍କ ଚଳାଉଥିବା ଏ ସନ୍ଦିଗ୍ଧ ବ୍ୟକ୍ତିଙ୍କର କିଛି ଆତଙ୍କବାଦୀ ଲିଙ୍କ ରହିଛି କି ? କୌଣସି ସାଇବର ଠକେଇ ଗ୍ରୁପ୍ ସହ ତାଙ୍କର ସମ୍ପର୍କ ନାହିଁ ତ ? ଭୁବନେଶ୍ୱରରେ ରହି କୌଣସି ବିଦେଶୀ ଏଜେନ୍ସି କିମ୍ବା ଦେଶ ପାଇଁ ଗୁପ୍ତଚରୀ କାର୍ଯ୍ୟ କାର୍ଯ୍ୟ କରୁଥିଲେ କି ସେ ? କାରଣ ବ୍ୟକ୍ତିଗତ ବ୍ୟବହାର ଲାଗି ଏହି ଡିଭାଇସ ବେଆଇନ ହୋଇଥିବା ବେଳେ ଏହି ସିମ୍ ବକ୍ସ ସବୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲା, ସେ ସମ୍ପର୍କରେ ତନାଘନା ଜାରି ରଖିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାର୍ଡ।