Advertisment

ପୋଲିସର ବର୍ବରତା: ସେନାର ଉଦବେଗ, ଥାନାରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା ।

author-image
Sangram Keshori Behera
ଅଦ୍ୟତନ ହୋଇଛି
undefined

Crime Branch

ରାଜଧାନୀରେ ଚାଞ୍ଚଲ୍ୟ । ଭରତପୁର ପୋଲିସ୍ ବିରୋଧରେ ନିଜ ବାନ୍ଧବୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ନେଇ ଜଣେ ସ୍ଥଳସେନା ଅଧିକାରୀଙ୍କ ସାଂଘାତିକ ଅଭିଯୋଗ ପରେ ହଲଚଲ୍ ପୁରା କମିଶନରେଟ୍ ପୋଲିସ । ଅଭିଯୋଗ ଅନୁସାରେ ରାତି ତମାମ୍ ସେନା ଅଧିକାରୀଙ୍କୁ ଲକ୍ ଅପରେ ରଖିଲେ, ଆଉ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଲେ । ଏପରିକି ଦୁଷ୍କର୍ମ ଧମକ ବି ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାର ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଥିବାବେଳେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି ସେନା। ତେବେ ସମଗ୍ର ଘଟଣା ନେଇ ଭରତପୁର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।  

Advertisment

ସାଂଘାତିକ ଅଭିଯୋଗ, ଲୋମଟାଙ୍କୁରା କାହାଣୀ, ରାଜଧାନୀକୁ ଲଜ୍ଜିତ କଲା ଭଳି ଘଟଣା । ଜଣେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା । ଏଭଳି ଲୋମଟାଙ୍କୁରା ଘଟଣାକୁ ନେଇ ପୋଲିସ ବିଭାଗରେ ଏବେ ହୁଲସ୍ତୁଲ ।

ମୁହାଁମୁହିଁ ପୋଲିସ୍ ବନାମ ସେନା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କ ନିର୍ଦ୍ଦେଶ ପରେ ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଭରତପୁର ଥାନାରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଥାନା ଅଧିକାରୀ ନଥିବା ଏବଂ ଥାନାରେ ସିସିଟିଭି ନଥିବାରୁ ଖାଲି ହାତରେ ଫେରିଛି କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି କହିଛନ୍ତି, ଥାନାର ସମସ୍ତ ପୋଲିସ୍ କର୍ମଚାରୀଙ୍କ ବୟାନ ରେକର୍ଡ କରାଯିବ । ଆବଶ୍ୟକ ପଡ଼ିଲେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ବି ପଚରାଉଚରା ହେବ। 

Advertisment

୨୨ ଶିଖ୍ ରେଜିମେଣ୍ଟର ସେନା ଅଧିକାରୀ ମେଜର୍ ଗୁରୁବଂଶ ସିଂଙ୍କ ଘର ଦିଲ୍ଲୀରେ । କୌଣସି କାମରେ ସେ ଭୁବନେଶ୍ୱର ଆସିଥିଲେ। ତାଙ୍କ କହିବା କଥା, ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ ବାନ୍ଧବୀଙ୍କ ସହ କାରରେ ଯାଉଥିଲେ ଗୁରୁବଂଶ କିନ୍ତୁ ମଝି ରାସ୍ତାରେ ୨ଟି କାରରେ ଆସି ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କୁ ଛେଡଛାଡ୍ କରିଥିଲେ ରୋଡ୍ ରୋମିଓ । ଏ ସଂପର୍କରେ ଭରତପୁର ଥାନାକୁ ଯାଇ ତୁରନ୍ତ ପିସିଆର ପଠାଇବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ନିବେଦନ କରିଥିଲେ ଗୁରୁବଂଶ ଏବଂ ବାନ୍ଧବୀ । କିନ୍ତୁ ପୋଲିସ୍ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା । 

ଏହାକୁ ନେଇ ପୋଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ । ତାରି ଭିତରେ ଗୁରୁବଂଶଙ୍କୁ ରାତିତମାମ୍ ଲକଅପରେ ରଖି ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୋଲିସ କର୍ମଚାରୀ ଦୁର୍ବ୍ୟବହାର ସହ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ କରିଛନ୍ତି ଗୁରୁବଂଶ।କେବଳ ଏତିକି ନୁହେଁ, ଭରତପୁର ଆଇଆଇସି ଦୁଷ୍କର୍ମ ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି । ଏହାପରେ ନିଜ ସହଯୋଗୀଙ୍କ ସହାୟତାରେ ବାନ୍ଧବୀଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ ଗୁରୁବଂଶ ।

କେବଳ ଏତିକି ନୁହେଁ, ପୋଲିସ ମେଡିକାଲ ରିପୋର୍ଟକୁ ଅଦଳବଦଳ କରିଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଅଭିଯୋଗକାରୀ ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କୁ ଗିରଫ କରିଥିଲା ପୋଲିସ୍ । ଅପରପକ୍ଷେ ପୋଲିସ କହିଛି, ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀ ପୋଲିସକୁ ଦୁର୍ବ୍ୟବହାର କରିଥିଲେ । 

ଏଠି ପ୍ରଶ୍ନ ଉଠୁଛି, ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀ ଯଦି ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ, ଉଭୟଙ୍କୁ ପୋଲିସ ଦୁର୍ବ୍ୟବହାର ସହ ଥାର୍ଡ ଡିଗ୍ରୀ ଦେବା ପଛର କାରଣ କ’ଣ ? କେଉଁ ଆଧାରରେ ଗୁରୁବଂଶ ଓ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ୍? ମଡର୍ଣ୍ଣ 
ପୋଲିସ୍ ଷ୍ଟେସନ କୁହାଯାଉଥିବା ଭରତପୁର ଥାନାରେ କୁଆଡ଼େ ଗଲା ସିସିଟିଭି ? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି ସେନା । ସେନାର ସେଣ୍ଟ୍ରାଲ କମାଣ୍ଡ ଏହାକୁ ଗୁରତ୍ୱର ସହ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୋସିଆଲ୍ ମିଡ଼ିଆରେ କୁହାଯାଇଛି ।

ଅପରପକ୍ଷେ ଗିରଫ ପରେ ହାଜତରେ ଥିବା ଗୁରୁବଂଶଙ୍କ ବାନ୍ଧବୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି କରିବେ ହାଇକୋର୍ଟ ।  ତାସହିତ ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମାମଲା 
ଜାତୀୟ ମାନବାଧିକାର କମିଶନଙ୍କ ପର୍ଯ୍ୟନ୍ତ ବି ଯାଇଛି ।  

Odisha Police Indian Army Officer
Advertisment
Advertisment