ପୁଣି ଥରେ ଅଶାନ୍ତ ହୋଇଉଠିଛି ସିଲ୍କ ସିଟି ବ୍ରହ୍ମପୁର। ସହରରେ ନିୟମିତ ଲୁଟ୍ , ବୋମାମାଡ଼, ବିଚ୍ ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ ଭଳି ଘଟଣା ଘଟୁଛି । ସେପଟେ ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ସହରର ସାହି ସାହିରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ତେବେ ଏହାର କୌଣସି ପ୍ରଭାବ ନ ପଡିଥିବା ବେଳେ ଦାଗୀଙ୍କ ଲିଷ୍ଟ ପ୍ରସ୍ତୁତ କରି ତାଙ୍କ ଉପରେ ପୋଲିସ କଡ଼ା ନଜର ରଖିଥିବା କହିଛି ।
ସିଲକ୍ ସିଟିରେ ପୁଣି ମାତିଲେ ଅପରାଧୀ । ଲଗାତାର ତିନି ଦିନରେ ତିନୋଟି କ୍ରାଇମ୍ ନେଇ ସହରବାସୀଙ୍କ ମନରେ ଛନକା । କେତେବେଳେ ଲୁଟ, ବୋମାମାଡ଼ ତ କେତେ ବେଳେ ବଜାର ଉପରେ ଲୋକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଫେବ୍ରୁଆରୀ ୧୨ ତାରିଖ ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଜଣେ ଆଇନଜୀବୀଙ୍କ ଠାରୁ ୫ ଲକ୍ଷ ୨୦ ହଜାର ଟଙ୍କା ଝାମ୍ପି ନେଇଥିଲେ ଲୁଟେରା । ଏହାର ପର ଦିନ ଅର୍ଥାତ୍ ଫେବ୍ରୁଆରୀ ୧୩ ତାରିଖ । ବଡ଼ବଜାର ଥାନା ଅଞ୍ଚଳରେ ଖଣ୍ଡାଧରି ଜଣେ ବ୍ୟକ୍ତିଙ୍କ ଆତଙ୍କରାଜ, ଆଉ ସିସିଟିଭିରେ ଏହାର ଭିଜୁଆଲ ଭାଇରାଲ ପରେ ଆବଶ୍ୟ ପୋଲିସ ତାକୁ କାବୁ କରିଛି ।
Also Read
ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ପରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ପାଟ୍ରୋଲିଂ ହେଉଛି । ସଶସ୍ତ୍ର ବିଏସ୍ଏଫ ସହ ସ୍ଥାନୀୟ ପୋଲିସ ସହର ଓ ଆଖପାଖ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛି । ପୁରୁଣା ଅପରାଧୀଙ୍କୁ ନନ୍ ବେଲେବୁଲ ୱାରେଣ୍ଡ ଜରିଆରେ ଗିରଫ ଲାଗି ପୋଲିସ ପଦକ୍ଷେପ ନେଉଛି । ଏମିତିକି ଯେଉଁ ଅପରାଧୀ ଫେରାର ଅଛନ୍ତି ସେମାନଙ୍କ ସଂପତ୍ତି ଜବତ ଲାଗି ପୋଲିସ ପଦକ୍ଷେପ ନେବ ବୋଲି କହିଛି ।
କେବଳ ଏତିକିରେ ବ୍ରହ୍ମପୁର ସହରରେ କ୍ରାଇମ ଥମିନି, ଗତ ୨୦ ତାରିଖରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ମାତ୍ର ୫ ସେକଣ୍ଡରେ ଡିକି ଭାଙ୍ଗି ୫ ଲକ୍ଷ ଲୁଟି ନେଇଥିଲେ ଚୋର।