• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟମାନଙ୍କୁ ଧରିବାକୁ ଲାଠୋର ପୋଲିସ ଜୋରଦାର ପ୍ରୟାସ କରୁଛି । ହତ୍ୟା ପାଇଁ ସୁପାରି ଦିଆଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାର ପ୍ରକୃତ କାରଣ କଣ, ଏହା ରାଜନୈତିକ ହତ୍ୟା ନା କଣ, ସେ ଦିଗକୁ ମଧ୍ୟ ପୋଲିସ ଧ୍ୟାନ ଦେଉଛି ।

ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ୍ୟୁ ପୂର୍ବରୁ ଲୋକନାଥ କହିଛନ୍ତି, କିଛି ଯୁବକ ଆସି ତାଙ୍କୁ ଗୁଳି ମାରିଛନ୍ତି । ସେ ୩ ଜଣଙ୍କୁ ନାଁ ମଧ୍ୟ କହିଛନ୍ତି, ଯେଉଁମାନେ କି ଗୁଳି ମାରିଥିବା ଯୁବକଙ୍କୁ ଘର ଦେଖାଇଥିଲେ । ଲୋକନାଥ ଯେଉଁ ୩ ଜଣଙ୍କ ନାଁ କହିଛନ୍ତି, ସେମାନେ ହେଲେ -ବସୁ, ବଡ଼ ବୁଢ଼ା ଓ ନିୟନ୍ତ ।

ସୂଚନା ଅନୁସାରେ ୨-୩ ଜଣ ଯୁବକ ଲୋକନାଥଙ୍କ ଘରକୁ ଆସି ତାଙ୍କ ସହ ହାତ ମିଳାଇ କଥା ହୋଇଥିଲେ ଏବଂ ହଠାତ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ବେଲପଡ଼ା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଲୋକନାଥ ବେଲପଡ଼ା ଅଞ୍ଚଳରେ ବିଜେଡିର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ନିକଟରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ନା ଆଉ କିଛି ତାହା ସ୍ପଷ୍ଟ ହୋଇନି ।