ANM ସେଣ୍ଟରରେ ରାଗିଂ, ୩ ମାସ ହେଲା ସିନିୟର ଛାତ୍ରୀ ଦେଉଥିଲେ ନିର୍ଯାତନା !

ଆଣ୍ଟିଂ ରାଗିଂ ସ୍କ୍ୱାର୍ଡ ଓ ସିଡିଏମଓଙ୍କୁ ଅଭିଯୋଗ କଲେ ଛାତ୍ରୀ । ସିଡିଏମଓଙ୍କ ନେତୃତ୍ୱରେ ଟିମ୍ କରୁଛି ତଦନ୍ତ ।

Ragging

ବିଜେବି କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଥିବା ବେଳେ ଏବେ ଦେବଗଡ଼ରୁ ଆସିଛି ରାଗିଂ ଅଭିଯୋଗ । ଜଣେ ଏଏନ୍‌ଏମ୍‌ ଛାତ୍ରୀ ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଦେବଗଡ଼ ଏଏନ୍ଏମ୍ ସେଂଟରରୁ ଆସିଛି ଏହି ରାଗିଂ ଅଭିଯୋଗ ।

ପ୍ରଥମ ବର୍ଷ ଛାତ୍ରୀ କଳ୍ପନା କିଷାନ ଏହି ଅଭିଯୋଗ ଆଣିଛନ୍ତି । ଗତ ୩ ମାସ ହେଲା ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରୁଥିବା ସେ ଅଭିଯୋଗ କରିଛନ୍ତି । କଳ୍ପନା କହିଛନ୍ତି, ତାଙ୍କୁ ଲଗାତର ମାନସିକ ନିର୍ଯାତନା ଦିଆଯାଉଛି । ସିନିୟର ଛାତ୍ରୀ ମନ ମୁତାବକ କରିଥିବା ନିୟମକୁ ମାନିବାକୁ ବାଧ୍ୟ କରୁଛନ୍ତି । ନିୟମ ନମାନିଲେ ମାନସିକ ନିର୍ଯାତନା ଦେଉଛନ୍ତି । ରାଗିଂ ବିଷୟରେ କାହାକୁ ନଜଣାଇବାକୁ ତାଗିଦ କରିଛନ୍ତି ।

ତେବେ ଏନେଇ ସେ ଗତକାଲି ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ଅଭିଯୋଗ କରିଥିବା ବେଳେ ଦେବଗଡ ସିଡିଏମଓଙ୍କୁ ଅଭିଯୋଗ କରିଛନ୍ତି କଳ୍ପନା । ଏହାପରେ ପ୍ରଶିକ୍ଷଣ କେନ୍ଦ୍ରରେ ତଦନ୍ତ ଆରମ୍ଭ ହୋଇଛି । ସିଡିଏମଓଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତଦନ୍ତ କରୁଛି ।