ମାଆ-ବାପା-ଭାଇଙ୍କୁ ମାରିବାକୁ ଦେଇଥିଲା ସୁପାରୀ, ହେଲେ ହତ୍ୟାର ଶିକାର ହେଲେ ସମ୍ପର୍କୀୟ....

ବିନାୟକ ହିଁ ତାଙ୍କ ପିତା ପ୍ରକାଶ, ମାତା ସୁନନ୍ଦା ଏବଂ ଭାଇ କାର୍ତ୍ତିକଙ୍କୁ ହତ୍ୟା କରିବା ପାଇଁ ୬୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ।

supari killing

ପୁଅ ସାଜିଲା ବଇରୀ । ନିଜ ବାପା, ମାଆ ଓ ଭାଇଙ୍କୁ ମାରିବା ପାଇଁ ଦେଇଥିଲା ସୁପାରୀ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। କିନ୍ତୁ ଏହା ସତ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଗଡଗ-ବେଟାଗେରିରେ। ଏହି ଅଞ୍ଚଳର ବିଜେପି ନେତା ପ୍ରକାଶ ବକଲେଙ୍କ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାରେ ପର୍ଦ୍ଦାଫାସ କରିଛି ପୋଲିସ୍‌ । ଏହି ମାମଲାରେ ବିଜେପି ନେତାଙ୍କ ବଡ଼ ପୁଅ ବିନାୟକ ବକଲେଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବିନାୟକ ହିଁ ତାଙ୍କ ପିତା ପ୍ରକାଶ, ମାତା ସୁନନ୍ଦା ଏବଂ ଭାଇ କାର୍ତ୍ତିକଙ୍କୁ ହତ୍ୟା କରିବା ପାଇଁ ୬୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ପାରିବାରିକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା, ଯେଉଁଥିପାଇଁ ବାପା-ମାଆ-ଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବିନାୟକ ।

ସୂଚନା ଅନୁଯାୟୀ, ଏପ୍ରିଲ୍‌ ୧୯ରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଖବର ସାମ୍ନାକୁ ଆସିଥିଲା । ବିନାୟକ ତାଙ୍କ ପିତାମାତା ଏବଂ ଭାଇଙ୍କୁ ହତ୍ୟା କରିବା ପାଇଁ ଫିରୋଜ ଖାଜି (୨୯)ଙ୍କୁ ସୁପାରୀ ଦେଇଥିଲେ। ଏହି ସମୟ ମଧ୍ୟରେ ବିନାୟକ ଓ ସୁପାରୀ କିଲର ମଧ୍ୟରେ ଏକ ଚୁକ୍ତି ମଧ୍ୟ ହୋଇଥିଲା ଯେ, ତିନିଜଣଙ୍କ ହତ୍ୟା ପରେ ଫିରୋଜ ଘରୁ ସମସ୍ତ ସାମଗ୍ରୀ ଲୁଟ୍‌ କରିନେବେ । ଯୋଜନା ଅନୁଯାୟୀ ଫିରୋଜ ତାଙ୍କ ଗ୍ୟାଙ୍ଗ ସହଯୋଗୀମାନଙ୍କ ସହିତ ପ୍ରକାଶ ବକଲେଙ୍କ ଘରେ ପ୍ରବେଶ କରିଥିଲେ।

ଫିରୋଜଙ୍କୁ କୁହାଯାଇଥିଲା ଯେ ଘରେ କେବଳ ତିନି ଜଣ ଲୋକ ଉପସ୍ଥିତ ଅଛନ୍ତି । ସେ ସେହି ଅନୁଯାୟୀ ପୂରା ଷଡ଼ଯନ୍ତ୍ର ରଚିଥିଲେ। କିନ୍ତୁ କାର୍ତ୍ତିକଙ୍କ ବିବାହ ସ୍ଥିର ହୋଇଥିବାରୁ ତାଙ୍କର କିଛି ସମ୍ପର୍କୀୟ ଘରକୁ ଆସିଥିଲେ। ଆକ୍ରମଣକାରୀଙ୍କୁ ଦେଖିବା ମାତ୍ରେ ପ୍ରକାଶ ପାଟି କରିବା ଆରମ୍ଭ କରିଥିଲେ। ଏହା ଶୁଣି ତାଙ୍କ ଘରେ ଥିବା ଲୋକମାନେ ଏକତ୍ରିତ ହେବାକୁ ଲାଗିଲେ। ଏଥିରେ ଭୟଭୀତ ହୋଇ ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଘଟଣାରେ ପ୍ରକାଶ ଏବଂ ସୁନନ୍ଦା ଅଲଗା କୋଠରୀରେ ଥିବାରୁ ବଞ୍ଚିଯାଇଥିଲେ, କିନ୍ତୁ ପୁଅ କାର୍ତ୍ତିକ ଆକ୍ରମଣକାରୀଙ୍କ ଗୁଳିରେ ଶିକାର ହୋଇଥିଲେ। ତାଙ୍କ ସହ ଏହି ଘଟଣାରେ ଅନ୍ୟ ତିନି ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ପୋଲିସର ସୂଚନାନୁସାରେ, ଏହି ଆକ୍ରମଣରେ କାର୍ତ୍ତିକ (୨୭), ପର୍ଶୁରାମ ହାଡିମାନି (୫୫), ଲକ୍ଷ୍ମୀ ହାଡିମାନି (୪୫) ଏବଂ ଆକଂକ୍ଷା ହାଡିମାନି (୧୬)ଙ୍କ ମୃତ୍ୟୁ ହୋଇଛି । ତେବେ ଆକ୍ରମଣକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା କାର୍ତ୍ତିକ ହେଉଛନ୍ତି ବିଜେପି ନେତା ପ୍ରକାଶ ବକାଲେଙ୍କ ଦ୍ୱିତୀୟ ପତ୍ନୀ ସୁନନ୍ଦା ବକାଲେଙ୍କ ପୁଅ । ସେ ଗଡଗ-ବେଟାଗେରି ସିଟି ମ୍ୟୁନିସିପାଲିଟି ପରିଷଦର ଉପାଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କ ସାବତ ଭାଇ ବିନାୟକଙ୍କ ସହ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ଉପୁଜିଥିଲା ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତେବେ ଅନୁସନ୍ଧାନ ବେଳେ ଘରେ ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ଏବଂ ନଗଦ ଟଙ୍କା ସବୁ ସୁରକ୍ଷିତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ସନ୍ଦେହ କରିଥିଲା ​​ଯେ ଏହି ଘଟଣାର ଉଦ୍ଦେଶ୍ୟ ଡକାୟତି ନୁହେଁ ବରଂ ଅନ୍ୟ କିଛି । ଏହା ପରେ ପୋଲିସ୍‌ ମାମଲାର ଅନ୍ୟ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଅଧିକ ତଦନ୍ତ କରିବାରୁ ପୋଲିସ୍‌ ଉଭୟ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଚାଲୁଥିବାର ଜାଣିବାକୁ ପାଇଥିଲା ।

ଯେତେବେଳେ ପୋଲିସ ବିନାୟକ ବକଲେଙ୍କୁ ପଚରାଉଚରା କରିଥିଲା, ସେତେବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା । IGP ଇନ୍ସପେକ୍ଟର ଜେନେରାଲ ବିକାଶ କୁମାର କହିଛନ୍ତି ଯେ ଏହି ଘଟଣାରେ ଆମେ ବିନାୟକଙ୍କ ସମେତ ଆଠ ଜଣଙ୍କୁ ଗିରଫ କରିଛୁ।