• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୩୬ ଘଣ୍ଟା ହେଲାଣି, ଆୟକର ବିଭାଗର ରେଡ୍ ସରୁନି କି ଜବତ ଟଙ୍କା ଗଣତି ସରୁନି । ଆୟକର ଫାଙ୍କି ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଉପରେ ଜାରି ରହିଛି ମାରାଥନ ରେଡ୍ । ଆଉ ଏହି ଚଢ଼ଉ ବେଳେ ଆୟକର ଅଧିକାରୀଙ୍କୁ ତାଜୁବ କରିଛି ଦେଶୀ ଭାଟିରୁ ମିଳିଥିବା ବିଡ଼ା ବିଡ଼ା ନୋଟ୍ । ଦୁଇ ଦିନର ରେଡ୍ ରେ ୨ଶହ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି । ରାଜ୍ୟରେ ଚାଲିଥିବା ସବୁଠାରୁ ବଡ଼ ଧରଣର ଏହି ଆଇଟି ରେଡ୍ ଭିତରେ ଭୁବନେଶ୍ୱରରେ ପହଁଚିଛନ୍ତି ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୁର ।

ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଯାହାକୁ ଦେଖି ତାଜୁବ ଆୟକର ଟିମ୍ ।

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି । ପରିମାଣ କୋଟି କୋଟିରେ । ତେଣୁ ଟଙ୍କା ନେବାକୁ ଡକାଯାଇଥିଲା କର୍ମଚାରୀଙ୍କୁ । ୧୫୬ଟି ବ୍ୟାଗ ଆଉ ଅଖାରେ ଭର୍ତ୍ତି କରି ନିଆଯାଇଥିଲା ବ୍ୟାଙ୍କକୁ । ରାତି ପାହିବା ପରେ ଆରମ୍ଭ ହୋଇଥିଲା ଗଣତି । ୬ଟି ମେସିନରେ ୮ ଜଣ କର୍ମଚାରୀ ଲାଗି ପଡିଥିଲେ ଟଙ୍କା ଗଣିବାରେ । ଟଙ୍କା ଗଣି ଗଣି କର୍ମଚାରୀ ବେଦମ ହୋଇପଡିଥିଲେ ବି ସରିନଥିଲା ଗଣତି ।

ସୂଚନା ଅନୁସାରେ, ଦୁଇଟି ଆଲମିରାରୁ ମିଳିଥିବା ଟଙ୍କା ଦେଢଶହ କୋଟିରୁ ଅଧିକ ହେବ । ପରେ ମଦଭାଟି ଦାୟିତ୍ୱରେ ଥିବା ରାଜେଶ ସାହୁଙ୍କୁ ଉଠାଇ ଆଣି ପଚରା ଉଚରା କରୁଛନ୍ତି ଆଇଟି ଅଧିକାରୀ । ସେପଟେ ସମ୍ବଲପୁର ଧନୁପାଲି ଅଂଚଳରେ ଥିବା ଦେଶୀ ମଦଭାଟି ଓ ବଡ ବଜାର ଅଂଚଳରେ ଥିବା ବଳଦେବ ସାହୁ ଆଣ୍ଡ ସନ୍ସର ଅଫିସରେ ଚଢାଉ କରିଛି ଆୟକର ବିଭାଗ । ଆଉ ଏଠି ବି ମିଳିଛି ପୁଳା ପୁଳା ଟଙ୍କା । ଅଫିସରୁ ଟଙ୍କା ଭର୍ତ୍ତି ବ୍ୟାଗଗୁଡିକୁ ୨ଟି ଭ୍ୟାନରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ନିଆଯାଇ ଗଣା ଚାଲିଛି । ଶାଖା ପରିଚାଳକ କହିଛନ୍ତି, ଏତେ ପରିମାଣର ଟଙ୍କା ମିଳିଛି ଯେ, ଆଜି ଗଣତି ସରିବନି ।

ଷ୍ଟିଲ ସିଟି ରାଉରକେଲାରେ ବି ପଶିଛି ଆୟକର ଟିମ୍ । ସିଭିଲ ଟାଉନ୍ ସିପ୍ ଅଂଚଳର ମଦ ବ୍ୟବସାୟୀ କାମେଶ୍ୱର ତିୱାରୀଙ୍କ ଘର, ଅଫିସ ଓ ଦୋକାନରେ ରେଡ୍ ହୋଇଥିବା ବେଳେ ଆୟକର ଫାଙ୍କିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସେହିପରି ମଦ ବ୍ୟବସାୟୀ ରାଜେଶ କୁମାର ସାହୁଙ୍କ ବୀରମିତ୍ରପୁର ସ୍ଥିତ ଦେଶୀ ମଦ ଭାଟିରେ ପଶି ଯାଂଚ୍ କରିଛିି ଆୟକର ଟିମ୍ । ରାୟଗଡା ସହରର ଗାନ୍ଧୀ ନଗରରେ ଥିବା ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘର ଏବଂ ଅଫିସରେ ଆୟକର ଟିମ୍ ଚଢାଉ କରିଥିବା ବେଳେ ଆୟକର ଫାଙ୍କି ଅଭିଯୋଗରେ ତାଙ୍କୁ ଉଠାଇ ନେଇଛି ।

ସେପଟେ ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀରେ ଦୁଇ ଦିନ ହେଲା ଆୟକର ବିଭାଗ ଚଢାଉ ଜାରି ରଖିଛି । ସେଠାରୁ କିଛି ନଗଦ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ଏହି ସଂସ୍ଥା ସହ ଜଡିତ ବୌଦ୍ଧ ପୁରୁଣା କଟକସ୍ଥିତ ବ୍ୟବସାୟୀ ଅଶୋକ ଅଗ୍ରୱାଲଙ୍କ ରାଣୀ ସତୀ ରାଇସ୍ ମିଲରେ ବି ଚଢାଉ କରିଛି ଆୟକର ଟିମ୍ । ଏପଟେ ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ବୌଦ୍ଧ ଡିଷ୍ଟିଲାରୀର କର୍ପୋରେଟ୍ ଅଫିସ ସମେତ ଦୁଇଟି ସ୍ଥାନରେ ଦୁଇ ଦିନ ହେଲା ଆଇଟି ରେଡ୍ ଜାରି ରହିଛି ।

ଆୟକର ବିଭାଗ ସ୍କାନରରେ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲ । ଗତକାଲିଠାରୁ ରାଜକିଶୋରଙ୍କ ରାଣୀବଗିଚା ସ୍ଥିତ ଘର, ଅଫିସ ଓ ସର୍ଗିପାଲିରେ ଥିବା ମଦଭାଟି ଉପରେ ରେଡ୍ କରୁଛି ଆଇଟି ଟିମ୍ । ରାଜକିଶୋର କେତେ ଆୟକର ଫାଙ୍କିଛନ୍ତି ଏବଂ ତାଙ୍କ ଠାରୁ କେତେ ଟଙ୍କା ଜବତ ହୋଇଛି, ସେନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହି ରେଡ୍‌କୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ଅଛନ୍ତି ବିଜେଡି ନେତା ଯୋଗେଶ ସିଂ ଓ ବିଧାୟିକା କୁସୁମ ଟେଟେ ।

ରାଜ୍ୟରେ ବଡ଼ ଧରଣର ଆଇଟି ରେଡ୍ ଭିତରେ ଭୁବନେଶ୍ୱରରେ ପହଁଚିଛନ୍ତି ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୁର । ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ଆଗକୁ ରାଜ୍ୟରେ ଚଢାଉ ଆହୁରି ବ୍ୟାପକ ହେବ ବୋଲି କୁହାଯାଉଛି । ବିଶେଷ କରି ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଆୟକର ଫାଙ୍କିଥିବା ଅଭିଯୋଗରେ ଏହି ଚଢାଉ ହେଉଥିବା ଜଣାପଡିଛି । ସେହିପରି ପଶ୍ଚିମ ଓଡିଶାରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରୁଥିବା ସଂସ୍ଥାର ପାର୍ଟନରସିପ୍ ଫାର୍ମ ବଳଦେବ ସାହୁ ଆଣ୍ଡ ସନ୍ସ ବି ରହିଛି ଆଇଟି ବିଭାଗର ସ୍କାନରରେ । ତେବେ ରାଜ୍ୟରେ ଚାଲିଥିବା ଏତେ ବଡ ରେଡ୍ ସମ୍ପର୍କରେ ଆୟକର ଅଧିକାରୀ କିମ୍ବା କଂପାନୀ ମାଲିକମାନେ ଏଯାଏଁ ମୁହଁ ଖୋଲୁନାହାନ୍ତି ।

  • Reported by:
  • SANJAY JENA , PAWAN TIWARI , MANARANJAN JOSHI , CHANDAN PAIKRAY