Advertisment

'ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ସାଧୁଙ୍କ ହତ୍ୟା କରି ରକ୍ତ ପିଇବାକୁ ଚାହୁଁଥିଲା ବାବା ବୋଲାଉଥିବା ପିଶାଚ !'

ସାଧୁସନ୍ଥ ରହୁଥିବା ଆଶ୍ରମରେ ସୈତାନୀ କାଣ୍ଡର କାରଣ କଣ? ବାବାଙ୍କୁ କାହିଁକି ନିର୍ମମ ଭାବେ ହତ୍ୟାକଲେ ଆଉ ଜଣେ ବାବା? ଜଘନ୍ୟ କାରନାମା ପଛରେ ଲୁଚିଛି କି ତନ୍ତ୍ରମନ୍ତ୍ରର କଳାକାହାଣୀ?

Police arrest godman for killing another baba in Puri

Police arrest godman for killing another baba in Puri

Advertisment

ସେ ପୁରୀ ଭଳି ସହର ହେଉ କି ଅନୁଗୁଳ କିଆକଟା ଭଳି ପଛୁଆ ଇଲାକା । ଏବେବି ଲୋକଙ୍କ ମନରୁ ହଟିନି ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିର କୁହେଳିକା । ପୁରୀର ଏକ ଆଶ୍ରମରେ ଜଣେ ବାବା ଆଉ ଜଣେ ବାବାଙ୍କୁ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଚର୍ଚ୍ଚା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ମୃତକଙ୍କ ରକ୍ତ ପିଇଥିବା ଚର୍ଚ୍ଚା ହେଉଛି। ତେଣେ ଅନୁଗୁଳ କିଆକଟାରେ ନାବାଳକ ହତ୍ୟା ଘଟଣାରେ ବି ଖୋଲୁଛି ଅନ୍ଧବିଶ୍ବାସରୁ କରୁଣ ପରିଣତିର ଗୋଟିକ ପରେ ଗୋଟିଏ କଳାଫର୍ଦ୍ଦ। ମଙ୍ଗଳା କୋଠିରେ ରାତିରେ ଅଧିଆ ପଡ଼ିଥିବା ବେଳେ, ନାବାଳକକୁ ସେଠାକାର ସାଧିକା ବଳି ଦେଇଥିବା ଅଭିଯୋଗ ହୋଇଛି।

Advertisment

ସାଧୁସନ୍ଥ ରହୁଥିବା ଆଶ୍ରମରେ ସୈତାନୀ କାଣ୍ଡର କାରଣ କଣ? ବାବାଙ୍କୁ କାହିଁକି ନିର୍ମମ ଭାବେ ହତ୍ୟାକଲେ ଆଉ ଜଣେ ବାବା? ଜଘନ୍ୟ କାରନାମା ପଛରେ ଲୁଚିଛି କି ତନ୍ତ୍ରମନ୍ତ୍ରର କଳାକାହାଣୀ? ବାବା ବୋଲାଉଥିବା ପିଶାଚ- ରବୀନ୍ଦ୍ର ଜେନା ଓରଫ୍ ବିଷ୍ଣୁ ବାବା। ନିଜେ ସ୍ବୀକାର କରୁଛି ହତ୍ୟାକାଣ୍ଡ ପଛରେ ତନ୍ତ୍ରସାଧନାର କଥା। ପୁରୀ ବାସେଳିସାହି ଲୋକନାଥ ରୋଡରେ ଥିବା ଗୁରୁକୃପା ଆଶ୍ରମରେ ଗତକାଲି ନିଶାଶକ୍ତ ଅବସ୍ଥାରେ ରକ୍ତର ହୋଲି ଖେଳିଛି ବିଷ୍ଣୁ। ଜଣେ ବୟୋଜ୍ୟେଷ୍ଠ ସାଧୁ ଅର୍ଜୁନ ବାବା ଓରଫ୍ ନାରୁ ଗୋପାଳ ମିଶ୍ରଙ୍କୁ ଶୋଇଥିବା ଅବସ୍ଥାରେ କାଠଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ଜଣେ ବାବା ଦୟାନିଧି ଦାସ ମଧ୍ୟ ବିଷ୍ଣୁର ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁସାରେ ଦେଢ଼ ବର୍ଷ ହେଲା ଏହି ଆଶ୍ରମରେ ରହିଆସୁଥିଲେ ପଶ୍ଚିମବଙ୍ଗର ଅର୍ଜୁନ ବାବା। ମାତ୍ର ୩ ମାସ ତଳେ ଆସି ରହିଥିଲେ ଗଞ୍ଜାମର ବିଷ୍ଣୁ ବାବା। ତେବେ ଉଭୟ ତନ୍ତ୍ର ସାଧନାରେ ଲିପ୍ତ ଥିଲେ ବୋଲି କହିଛନ୍ତି ଗୁରୁକୃପା ଆଶ୍ରମର ପରିଚାଳକ। ଅଭିଯୋଗ କରିଛନ୍ତି ଯେ, ବ୍ଲେଡରେ ଜିଭ କଟାଯିବା କଥା ମିଛ। ସତ କଥା ହେଉଛି, ଅର୍ଜୁନଙ୍କୁ ହତ୍ୟା କରିବା ପରେ ତାଙ୍କ ରକ୍ତ ପିଇବାକୁ ଚେଷ୍ଟା କରୁଥିଲା ବିଷ୍ଣୁ। ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ତେଣେ ପୋଲିସ ଅଭିଯୁକ୍ତ ବିଷ୍ଣୁ ବାବାକୁ ଗିରଫ କରି ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଛି। ଏହି ମାମଲାରେ ୩୦ ଦିନ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ପୁରୀ ଏସପି।

Advertisment

ସେପଟେ ଅନୁଗୁଳ କିଆକଟା ଥାନା ଅଞ୍ଚଳରେ ନାବାଳକର ବିଭତ୍ସ ହତ୍ୟା ପଛରେ ନରବଳି ସନ୍ଦେହ। ନିଖୋଜ ହେବାର ୩ ଦିନ ପରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୧୩ ବର୍ଷୀୟ ବାଳକର ଗୋଡ଼କଟା ବିଭତ୍ସ ଶବ। ଅଭିଯୋଗ ଅନୁସାରେ, ମୃତକ ସଞ୍ଜୀବ ସବୁବେଳେ ଅସୁସ୍ଥ ରହୁଥିବାରୁ, ଟୁସର ସ୍ଥିତ ଏହି ମଙ୍ଗଳା କୋଠିକୁ ଆସି ପୂଜାର୍ଚ୍ଚନା କରୁଥିଲେ ସୁବର୍ଣ୍ଣପୁର ଗାଁର ବାସନ୍ତୀ । ସେଠାରେ ହୁକୁମ୍ ଦେଉଥିଲେ ନିଜକୁ ମଙ୍ଗଳା ସାଧିକା ବୋଲାଉଥିବା ଗୀତାଞ୍ଜଳି ବାଘ। ଗତ ଶନିବାର ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ, ବାସନ୍ତୀଙ୍କୁ ବାରଣ୍ଡାରେ ଶୋଇବାକୁ କହି, ସଞ୍ଜୀବଙ୍କୁ ମଙ୍ଗଳା କୋଠି ଭିତରକୁ ନେଇଯାଇଥିଲେ ଗୀତାଞ୍ଜଳି ।

ଆଉ ସକାଳ ହେଲା ବେଳକୁ ପୁଅ ନିଖୋଜ ହୋଇଯାଇଥିଲା । ଏହି ଘଟଣା ପରେ ନରବଳି ଚର୍ଚ୍ଚାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିବା ବେଳେ, ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିବା ଅନୁଗୁଳ ଏସପି କହିଛନ୍ତି। ସେପଟେ ଏହି ଉଭୟ ଘଟଣା ପଛରେ ଅନ୍ଧବିଶ୍ବାସ, ଅବୈଜ୍ଞାନିକ ଚିନ୍ତାଧାରା ଓ ସଚେତନତାର ଅଭାବକୁ ଦାୟୀ କରିଛନ୍ତି ହେତୁବାଦୀ।

Advertisment
Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ