/odishatv-khabar/media/post_attachments/uploadimage/library/16_9/16_9_0/murder_1752927516.jpg)
murder
ଦିଲ୍ଲୀରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପତ୍ନୀର ପ୍ରେମିକ ମିଶି ହତ୍ୟା କରିଛନ୍ତି । ଏହି ପ୍ରେମିକ ଜଣକ ହେଉଛନ୍ତି ମୃତକଙ୍କ ପତ୍ନୀର ସଂପର୍କୀୟ ମଧ୍ୟ । ଫୋନ୍ ଚାଟିଂରୁ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି ।
ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପ୍ରେମିକ ମିଶି ମାରିଦେଇଛନ୍ତି । ପୋଲିସ ଅଭିଯୁକ୍ତ ପତ୍ନୀ ସୁସ୍ମିତା ଦେବ ଏବଂ ତାର ପ୍ରେମିକ ରାହୁଲ ଦେବଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ଫୋନରୁ ଅପରାଧମୂଳକ ଚାଟ୍ ଉଦ୍ଧାର କରିଛି । ଏହି ଚାଟିଂରେ ସେମାନେ ସୁସ୍ମିତାଙ୍କ ସ୍ୱାମୀ କରଣ ଦେବଙ୍କୁ ନିଦ ଔଷଧ ଦେଇ ଏବଂ ବିଦ୍ୟୁତ୍ ସଂସ୍ପର୍ଶରେ ଆଣି ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଦେଖାଯାଇଛି । ଜୁଲାଇ ୧୩ରେ କରଣ ସନ୍ଦେହଜନକ ପରିସ୍ଥିତିରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ।
ସୁସ୍ମିତା କରଣଙ୍କ ପରିବାରକୁ ଜଣାଇଥିଲେ ଯେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଅଚେତ ହୋଇପଡ଼ିଛନ୍ତି। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ପରିସ୍ଥିତି ସନ୍ଦେହ ସୃଷ୍ଟି କରିଥିଲା ଏବଂ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। କିନ୍ତୁ ସୁସ୍ମିତା, ରାହୁଲ ଏବଂ ରାହୁଲର ପିତା ପୋଷ୍ଟମର୍ଟମକୁ ବିରୋଧ କରିଥିଲେ । ସେମାନେ ଚାହୁଁନଥିଲେ ପୋଷ୍ଟମର୍ଟମ ହେଉ ବୋଲି । ଯାହା ପରିବାରର ସନ୍ଦେହକୁ ଆହୁରି ଦୃଢୀଭୂତ କରିଥିଲା। ମାମଲାରେ ନିର୍ଣ୍ଣାୟକ ମୋଡ଼ ଆସିଥିଲା ଯେତେବେଳେ କରଣଙ୍କ ସାନ ଭାଇ କୁନାଲ ସୁସ୍ମିତାଙ୍କ ଫୋନରେ ଅପରାଧମୂଳକ ଚାଟ୍ ଆବିଷ୍କାର କରିଥିଲେ । ଯେଉଁଥିରେ ସୁସ୍ମିତାଙ୍କ ରାହୁଲଙ୍କ ସହ ଅନୈତିକ ସମ୍ପର୍କ ଏବଂ କରଣଙ୍କୁ ହତ୍ୟା କରିବାର ବିସ୍ତୃତ ଯୋଜନା ପ୍ରକାଶ ପାଇଥିଲା।
ପରିବାର ତୁରନ୍ତ ପୋଲିସକୁ ଏହି ସୂଚନା ଦେଇଥିଲେ । ଏହି ଚାଟିଂ ଆଧାରରେ ସୁସ୍ମିତା ଏବଂ ରାହୁଲଙ୍କୁ ପୋଲିସ ଗିରଫ କରିଥିଲା । ଏହି ଚାଟିଂରେ ରାହୁଲ ସୁସ୍ମିତାଙ୍କୁ କ’ଣ କରିବାକୁ ନିର୍ଦ୍ଦେଶ ଦେଉଥିବା ଦେଖାଯାଇଛି ଏବଂ ତାଙ୍କ ସ୍ୱାମୀଙ୍କୁ ମାରିବା ପାଇଁ ଅଧିକ ଡ୍ରଗ୍ସ ଓ ନିଦ ଔଷଧ ଦେବାକୁ କହୁଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ସୁସ୍ମିତା ଏବଂ ରାହୁଲ ଗତ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ।
ଗୋଟିଏ ଚାଟ୍ ବାର୍ତ୍ତାରେ ସୁସ୍ମିତା ରାହୁଲଙ୍କୁ ପଚାରିଛନ୍ତି, "ଔଷଧ ଖାଇବା ପରେ ମରିବାକୁ କେତେ ସମୟ ଲାଗୁଛି, ଦେଖ। ତା’ ଖାଇବାରୁ ତିନି ଘଣ୍ଟା ହେଲା, କିନ୍ତୁ କିଛି ହେଉନାହିଁ। ଆଉ ସେ ମରି ମଧ୍ୟ ନାହିଁ।" "ଆମେ କ’ଣ କରିବା? ତୁମେ କିଛି ପରାମର୍ଶ ଦେଇପାର?" ସେ ପଚାରିଥିଲା।
ରାହୁଲ ଉତ୍ତର ଦେଇଥିଲା, "ଯଦି ତୁମେ ଆଉ କିଛି ଚିନ୍ତା କରିପାରୁନାହଁ, ତାକୁ ବିଦ୍ୟୁତ୍ ସ୍ପର୍ଶ ଦିଅ।"
ସୁସ୍ମିତା: "ବିଦ୍ୟୁତ ସ୍ପର୍ଶ ଦେବା ପାଇଁ ତାକୁ କେମିତି ବାନ୍ଧିବି?"
ରାହୁଲ: "ଟେପ୍ ବ୍ୟବହାର କର।"
ସୁସ୍ମିତା: "ତା’ର ନିଃଶ୍ୱାସ ବହୁତ ଧୀରେ ଚାଲୁଛି।"
ରାହୁଲ: "ତୁମେ ପାଖରେ ଥିବା ସମସ୍ତ ଔଷଧ ତାକୁ ଦେଇଦିଅ।"
ସୁସ୍ମିତା: "ମୁଁ ତା’ର ମୁହଁ ଖୋଲି ପାରୁନାହିଁ। ମୁଁ ପାଣି ଢାଳି ପାରୁଛି, କିନ୍ତୁ ଔଷଧ ଦେଇ ପାରୁନାହିଁ। ତୁମେ ଏଠାକୁ ଆସ, ହୁଏତ ଆମେ ଏକାଠି ତାକୁ ଖୁଆଇ ପାରିବା।"
କରଣଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ହତ୍ୟାର ଉଦ୍ଦେଶ୍ୟ ଥିଲା ଏହି ପ୍ରେମିକ ପ୍ରେମିକା ଏକାଠି ରହିବା ଏବଂ କରଣଙ୍କ ସମ୍ପତ୍ତି ଉପରେ ନିୟନ୍ତ୍ରଣ ହାସଲ କରିବା। ସୁସ୍ମିତା ଏବଂ ରାହୁଲ ଦୁହେଁ ଏବେ ପୋଲିସ ହେପାଜତରେ ଅଛନ୍ତି ଏବଂ ପଚରାଉଚରା ଚାଲିଛି। ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)