Advertisment

ପରୀ ହତ୍ୟା ମାମଲା: ସାଢ଼େ ୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ, ଖୁସି ନାହାନ୍ତି ମାଆ

ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।

ଅଦ୍ୟତନ ହୋଇଛି
Nayagarh Pari Case

Nayagarh Pari Case

Advertisment

ଆସିଲା ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ । ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ । ନୟାଗଡ଼ ଯଦୁପୁର ଅଞ୍ଚଳରୁ ୨୦୨୦ ଜୁଲାଇ ୧୪ ତାରିଖରେ ଜଣେ ୫ବର୍ଷୀୟ ଝିଅକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ବିଚାର କରି ଆଜି ଏଇ ରାୟ ଶୁଣାଇଛନ୍ତି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ । କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଓ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଚିଲଡ୍ରେନ୍ସ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୁଦାଲାକୁ ସେକ୍ସନ୍ 6 ପୋକ୍ସୋ ଆକ୍ଟ ଓ ଆଇପିସିର ଧାରା 302, 201, 376, 363ରେ 20 ବର୍ଷ ସଶ୍ରମ କାରାଦାଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରିଛନ୍ତି।

Advertisment

ଜରିମାନା ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ସରକାରୀ ପକ୍ଷ ଓକିଲଙ୍କ ସୂଚନା ଅନୁଯାୟୀ, ଦୋଷୀ ନାବାଳକ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ୍ ହେଲା। କିନ୍ତୁ ଏଭଳି ଅପରାଧ ପାଇଁ ସାବାଳକ ହୋଇଥିଲେ ସର୍ବାଧିକ ମୃତ୍ୟୁଦଣ୍ଡର ସମ୍ଭାବନା ଥିଲା। ଏଥିସହ ଦଣ୍ଡାଦେଶ ପରେ ଏବେ ସେ ୨୧ ବର୍ଷ ବୟସ ଯାଏଁ ବାଳ ସୁଧାର ଗୃହରେ ରହିବ ଓ ଏହାପରେ ତାକୁ ଜେଲ୍ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି।

ହେଲେ ବଡ଼ କଥା ହେଉଛି ଝିଅ ମୃତ୍ୟୁର ପାଖାପାଖି ସାଢ଼େ ୪ ବର୍ଷ ପରେ ଆସିଥିବା ଏରାୟରେ ନା ତାଙ୍କ ପରିବାର ଖୁସି ଅଛନ୍ତି ନା ସନ୍ତୁଷ୍ଟ ଅଛନ୍ତି ତାଙ୍କ ଓକିଲ। ନାବାଳିକାଙ୍କ ମା ଆଦୌ ନ୍ୟାୟ ମିଳିନଥିବା କହିବାସହ ତଦନ୍ତ ପ୍ରକ୍ରିୟା ଉପରେ ତୀବ୍ର ଅସନ୍ତୋଷ ଝାଡ଼ି, ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ କହିବାକୁ ବି ପଛାଇନାହାନ୍ତି । ଏପରିକି ପୂର୍ବରୁ କରିଥିବା ଅଭିଯୋଗରେ କାୟମ ରହି ବାବୁଲି ନାୟକ ମୋ ଛୁଆକୁ ମାରିଛି, ଏଥିରେ ଅରୁଣ ସାହୁଙ୍କ ହାତ ଅଛି ବୋଲି କହିବା ସହ ଧର୍ମ ଉପରେ ସବୁ ଛାଡ଼ି ଦେଇଛନ୍ତି।

Advertisment

ସେହିପରି ପ୍ରସିକ୍ୟୁସନ୍ ଗପ ତିଆରି କଲେ, ସେହି ଗପ ଆଧାରରେ ଦଣ୍ଡ ଦିଆଯାଇଛି କହି ଏହା ବିରୋଧରେ ହାଇକୋର୍ଟକୁ ଯିବୁ ବୋଲି କହିଛନ୍ତି ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ। ତେବେ ଏନେଇ ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଘର ଅଗଣାରେ ଖେଳୁଥିବା ବେଳେ ୨୦୨୦ ଜୁଲାଇ ୧୪ ତାରିଖରେ ହଠାତ୍ କୁଆଡ଼େ ନିଖୋଜ ହୋଇଯାଇଥିଲା ଝିଅଟି। ତେବେ ପୋଲିସ ଅନୁସନ୍ଧାନରୁ ରହସ୍ୟଜନକ ଭାବେ ଘର ପାଖ ପୋଖରୀ କୂଳରୁ ଅଖାରେ ବନ୍ଧା ହେବା ଅବସ୍ଥାରେ କିଛି ଦେହାବଶେଷ ମିଳିଥିଲା। ଯାହାକୁ ପୋଲିସ ସଂପୃକ୍ତ ନାବାଳିକାର ଦର୍ଶାଇ ତଦନ୍ତ ଆଗକୁ ବଢ଼ାଇଥିଲା। ହେଲେ ତଦନ୍ତରେ ଅସନ୍ତୁଷ୍ଟ ବାପା-ମାଆ ଯେତେବେଳେ ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ କଲେ, ସେତେବେଳେ ସାରା ରାଜ୍ୟରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ଘଟଣାରେ ସ୍ଥାନୀୟ ବିଧାୟକ ତଥା ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଅସଲ ଅପରାଧୀକୁ ଘଣ୍ଟ ଘଡ଼ାଉଥିବାର ଅଭିଯୋଗ ପରେ ରାଜନୀତି ରଙ୍ଗ ଲାଗିଥିଲା । ବାଧ୍ୟ ହୋଇ ସରକାର କ୍ରାଇବ୍ରାଞ୍ଚ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ନାବାଳିକାକୁ ହତ୍ୟା ଓ ଦୁଷ୍କର୍ମର ଚାଞ୍ଚଲ୍ୟକର ଖୁଲାସା ହୋଇଥିଲା। 

ପଡ଼ୋଶୀ କଲେଜ ପଢ଼ୁଆ ନାବାଳକକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ୍। ହେଲେ ସେତେବେଳେ ନାବାଳିକାର ବାପା-ମାଆ ଅଭିଯୁକ୍ତକୁ ଦୋଷୀ ବୋଲି ମାନୁ ନଥିଲା ବେଳେ ଆଜି ରାୟ ପ୍ରକାଶ ପରେ ମଧ୍ୟ ସମାନ ପ୍ରତିକ୍ରିୟା ରଖିବା ଏବଂ ସେମାନେ ଅଭିଯୋଗ କରୁଥିବା ଅଭିଯୁକ୍ତ ପାଖରେ ଏଯାଏଁ ତଦନ୍ତକାରୀ ସଂସ୍ଥା ନପହଞ୍ଚିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ