ପାରାଦୀପ: ସ୍ୱସ୍ତିକ ଷ୍ଟିଭେଡର ଲିମିଟେଡକୁ ସୋ-କଜ୍ ନୋଟିସ ! ବିନା ସ୍ଲିପ୍‌ରେ ପୋର୍ଟରୁ ଉଠାଉଥିଲା କୋକିଂ କୋଲ

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମାଗିଛନ୍ତି ସୋ-କଜ୍ ନୋଟିସ । କୋକିଂ କୋଲ୍ ଚାଲାଣକୁ ନେଇ କାରଣ ଦର୍ଶାଅ ନୋଟିସ୍ ।

Paradeep

ସିବିଆଇ ଖୋଳତାଡ ପରେ ପାରାଦୀପରେ ହଇଚଇ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସ୍ୱସ୍ତିକ ଷ୍ଟିଭେଡର ଲିମିଟେଡ଼କୁ ସୋ-କଜ୍ ନୋଟିସ ଜାରି କରିଛନ୍ତି । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ର କୋଇଲା ପ୍ଲଟରୁ ସ୍ୱସ୍ତିକ ଷ୍ଟିଭେଡର ୨ ଟ୍ରକ୍ କୋକିଂ କୋଲ୍ ଉଠାଇଥିଲା । ଟ୍ରକ୍ ଦୁଇଟି ଓଜନ ନ ହୋଇ ଓଜନକଣ୍ଟା ନିକଟରେ ଦୀର୍ଘ ସମୟ ଅଟକି ରହିଥିଲା । ସନ୍ଦେହ ହେବାରୁ ପୋର୍ଟ ଟ୍ରାଫିକ କର୍ମଚାରୀ ଯାଞ୍ଚ କରିଥିଲେ । ତେବେ ଟ୍ରକ୍ ଡ୍ରାଇଭର ଉଠାଇଥିବା କୋଇଲା ଲୋଡିଂର ସ୍ଲିପ୍ କିମ୍ବା ଚାଲାଣ ଦେଖାଇ ପାରିନଥିଲେ ।

ସ୍ୱସ୍ତିକ ଷ୍ଟିଭେଡରର ସୁପରଭାଇଜରଙ୍କ ନିର୍ଦ୍ଦେଶରେ ସେମାନେ ସେହି ନିର୍ଦ୍ଦିଷ୍ଟ ପ୍ଲଟରୁ କୋଇଲା ଉଠାଇଥିବା ସଫେଇ ଦେବା ସହ ଇଣ୍ଡୋ ଜର୍ମାନ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ ଲିମିଟେଡ୍‌ର ଲୋଡିଂ ସ୍ଲିପ୍ ଏବଂ ଚାଲାଣ ଦେଖାଇଥିଲେ । ଏଘଟଣା ଗତ ଏପ୍ରିଲ ମାସର ହୋଇଥିବା ଜଣାପଡ଼ିଛି । ତେବେ ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟଙ୍କ ଦ୍ୱାରା ତଦନ୍ତ ରିପୋର୍ଟ ମାଗିବା ପରେ ଚଳିତ ମାସ ୩ ତାରିଖରେ ପାରାଦୀପ ପୋର୍ଟ ଅଥରିଟି ଆକ୍ସନ ମୋଡକୁ ଆସିଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସ୍ୱସ୍ତିକ ଷ୍ଟିଭେଡର ଲିମିଟେଡ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇନି ।