Advertisment

ତୃତୀୟ ପର୍ଯ୍ୟାୟରେ ସବୁ ସୀମା ଟପିଗଲା ପଞ୍ଚାୟତ ଭୋଟ୍ ବିଶୃଙ୍ଖଳା

ପ୍ରିଜାଇଡିଂ ଅଫିସର୍ ଜଣକ ବାହାରକୁ ଆସି ପୋଲିସ୍ ଆଗରେ କେମିତି ହାତ ଯୋଡ଼ି ନେହୁରା ହେଲେ।

undefined

ସୀମା ଟପିଗଲା ପଞ୍ଚାୟତ ଭୋଟ୍ ବିଶୃଙ୍ଖଳା

Advertisment

ଭୁବନେଶ୍ୱର: ସୀମା ଟପିଲା ଭୋଟ୍ ହିଂସା, ବିଶୃଙ୍ଖଳା। ରାଜନଗରରେ ପୋଲିସ୍‌କୁ ପିଟିଲେ। ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ। ତିହିଡ଼ିରେ ବୁଥ୍ ଜବରଦଖଲ। ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ ବେଳେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଚରମ ବିଶୃଙ୍ଖଳାର ମାଳ ମାଳ ଚିତ୍ର। ଯାଜପୁର ବିଞ୍ଝାରପୁର ବାଛୋଳ ପଞ୍ଚାୟତରେ ଖବର ସଂଗ୍ରହ ବେଳେ, ସାମ୍ବାଦିକଙ୍କୁ ହୋଇଛି ନିର୍ଘାତ ମାଡ଼। ୨ନମ୍ବର ବୁଥ୍‌ରେ ରିପୋର୍ଟଂ ବେଳେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ପ୍ରତିନିଧି ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁଙ୍କୁ ଆଟାକ୍ କରିଛନ୍ତି ଦୁର୍ବୃତ୍ତ। ଏସ୍‌ପି କହିଛନ୍ତି- ଦୋଷୀଙ୍କୁ ଧରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଯାଜପୁରରେ ଭୋଟ୍ ବିଶୃଙ୍ଖଳା ଏଇଠି ସରିନି। ସେହି ବିଞ୍ଝାରପୁର ବାଛୋଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍‌ରୁ ବାଲାଟ୍ ବାକ୍ସ ବି ଉଠାଇ ନେଇ ଦୁର୍ବୃତ୍ତମାନେ।  ପୋଖରୀରେ ପକାଇ ଦେଇଥିଲେ। ଫଳରେ ସେଠି ବନ୍ଦ ରହିଛି ମତଦାନ। ସେମିତି କୋରେଇ ବ୍ଲକ ଗୋଳେଇପୁରରେ ଭୋଟିଂ ବେଳେ କିଛି ଦୁବୃର୍ତ୍ତ ଜୋରଜବରଦସ୍ତ ବୁଥ୍‌ରେ ପଶି ଜବରଦଖଲ ଉଦ୍ୟମ କରିବା ସହ କୋରେଇ ବିଡିଓଙ୍କ ଉପରେ ଆକ୍ରମଣ କରିଛନ୍ତି। ପୋଲିସ୍ ପହଞ୍ଚି ବିଡିଓଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏସବୁ ଘଟଣା ପରେ ସେଠିକାର ୮, ୯, ୧୦, ୧୧ ନମ୍ବର ବୁଥ୍‌ରୁ ପୋଲିଂ ପାର୍ଟି ଫେରି ଯାଇଛନ୍ତି। ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବି ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା।

ଭୋଟ ବେଳେ ପୋଲିସ୍-ଜନତା ତୁମୁଳକାଣ୍ଡ ହୋଇଥିଲା କେନ୍ଦ୍ରାପଡ଼ା ରାଜନଗରର ଡେରା ପଞ୍ଚାୟତର ଗୋଖଣି ଗାଁରେ। ଜଣେ ଏଜେଣ୍ଟଙ୍କ ନାଁ ଭୋଟର ଲିଷ୍ଟରେ ନଥିବାରୁ ଉପୁଜିଥିଲା ଉତ୍ତେଜନା। ପ୍ରଥମେ କଥା କଟାକଟି, ହଠାତ୍ ଆକ୍ରମଣର ରୂପ ନେଇଥିଲା। ପୋଲିସ୍ ଧରିଥିବା ପାଇପ୍‌ରେ ହିଁ ଜଣେ ପୋଲିସ୍ ଏସ୍‌ଆଇଙ୍କୁ ପିଟିଥିଲେ ଉତ୍ତ୍ୟକ୍ତ ଲୋକେ। ଗାଁ ଲୋକଙ୍କ ଅଭିଯୋଗ, ପ୍ରଥମେ ପୋଲିସ ସେମାନଙ୍କୁ ପିଟିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକେ ପାଲଟା ଜବାବ ଦେଇଥିଲେ। ପରିସ୍ଥିତିକୁ କାବୁ କରିବାକୁ ଯାଇ ମାଡ଼ ଖାଇଥିବା ପୋଲିସ୍ ଅଧିକାରୀ ଲୋକଙ୍କୁ ନିଜ ସର୍ଭିସ୍ ବନ୍ଧୁକ ଦେଖାଇଥିଲେ।

Advertisment

ଭଦ୍ରକ ଜିଲ୍ଲା ତିହିଡ଼ିରୁ ଆସିଛି ବୁଥ୍ ଜବରଦଖଲର ବଳିଷ୍ଠ ଚିତ୍ର। ଫତେପୁର ପଞ୍ଚାୟତ ବଡ଼ଗାଲୋ ବିଦ୍ୟାଳୟର ୪ନମ୍ବର ବୁଥ୍‌ରେ ଜଣେ ମହିଳା ବାହାରୁ ଭୋଟରମାନଙ୍କୁ ଧାଡ଼ି କରି ଭିତରେ ପୁରାଉଛନ୍ତି, ଆଉ ସେମାନଙ୍କ ହାତରୁ ବାଲାଟ୍ ପେପର ନେଇ ନିଜେ ଭୋଟ୍ ବି ଦେଉଛନ୍ତି। ଅନ୍ୟ କାହା ଭୋଟ୍ ସେ କାହିଁକି ଦେଉଛନ୍ତି ବୋଲି ପଚାରିବାରେ ସେ ମହିଳା ଜଣକ ରାଗ କହିଲେ ନସରେ। ଏସବୁ ଦେଖି ପ୍ରିଜାଇଡିଂ ଅଫିସର ବି ମହିଳା ଜଣଙ୍କୁ ଏଥିରୁ ନିର୍ବୃତ୍ତ ହେବାକୁ କହିଥିଲେ। ହେଲେ ମହିଳା ଜଣକ ତାଙ୍କ କଥା ବି ଶୁଣିନଥିଲେ। ପରେ ପ୍ରିଜାଇଡିଂ ଅଫିସର୍ ଜଣକ ବାହାରକୁ ଆସି ପୋଲିସ୍ ଆଗରେ କେମିତି ହାତ ଯୋଡ଼ି ନେହୁରା ହେଉଛନ୍ତି। 

ଖାଲି ସେତିକି ନୁହେଁ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ବୁଥ୍ ଭିତରେ ଥିବାବେଳେ ବି ମହିଳା ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେବାକୁ ପଛାଇ ନଥିଲେ। ବୁଥ୍ ଭିତରୁ ନ ବାହାରିଲେ ପରିସ୍ଥିତି ଖରାପ ହେବ ବୋଲି ଚେତାବନୀ ବି ଦେଇଥିଲେ। ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମଧ୍ୟ ସେ ବୁଥ୍‌ରେ ଭୋଟ୍ ଦେବାକୁ ଦେଇନଥିଲେ ବୋଲି ଅଭିଯୋଗ ଆସିଛି। ଏସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟି ଚାଲିଥିଲେ ବି ଅତିରିକ୍ତ ଏସ୍‌ପି କିନ୍ତୁ ମତଦାନ ପୁରା ଶାନ୍ତିଶୃଙ୍ଖଳାରେ ହୋଇଥିବା କହିଛନ୍ତି।

Advertisment

ସେଇ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଆଉ ଏକ ବଡ଼ ଭୋଟ୍ ବିଶୃଙ୍ଖଳା। ଭଦ୍ରକ ବ୍ଲକ୍‌ କୋହ୍ଲ ପଞ୍ଚାୟତର ୪ ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରି ଭୋଟ୍ ବାକ୍ସ ଗାଡିଆକୁ ଉତ୍ତ୍ୟକ୍ତ ଲୋକ ଫିଙ୍ଗି ଦେଇଛନ୍ତି। ପାଣିରେ ଭାସିଲା ବାଲାଟ୍ ପେପର। ଏଥିସହ ଭୋଟ୍ ଗ୍ରହଣ କେନ୍ଦ୍ରରେ ବି ଭଙ୍ଗାରୁଜା କରିଛନ୍ତି। 

Odisha Panchayat Elections Odisha Panchayat Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ