• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀ ଭୁବନେଶ୍ୱରରେ ଓଟିଡିସିର ରେଷ୍ଟୁରାଂଟ୍ ନିମନ୍ତ୍ରଣରେ ବଡ଼ ଧରଣର ଘୋଟାଲା । ରେଷ୍ଟୁରାଂଟର ଟଙ୍କା ଆତ୍ମସାତ୍ କରିଛନ୍ତି କର୍ମଚାରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ସାଢେ ୧୭ ଲକ୍ଷ ଟଙ୍କା ୬ ମାସ ମଧ୍ୟରେ ମ୍ୟାନେଜର ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଏତେ ଟଙ୍କା ଚଳୁ କରିଦେଇଛନ୍ତି । ଐକାଉଣ୍ଟସ୍ ସୁନୀଲ କୁମାର ଘଡେଇ ଓଟିଡିସିର ଅଡିଟ୍ ବେଳେ ଟଙ୍କା ଆତ୍ମସାତ୍ ହୋଇଥିବା ଜଣାପଡିଥିଲା । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ପରେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାଲିଆତିରେ ଆଉ କିଏ କିଏ ସଂପୃକ୍ତ, ସେନେଇ ପୋଲିସ ଖୋଳତାଡ କରୁଛି ।

ରେଷ୍ଟୁରାଂଟରେ ପ୍ରତିଦିନର ଆୟ ସରକାରୀ ଆକାଉଣ୍ଟରେ ଡିପୋଜିଟ୍ ହେବା କଥା । ଆକାଉଣ୍ଟସ୍ ଦାୟିତ୍ୱରେ ଥିବା ସୁନୀଲ ଘଡେଇ ଟଙ୍କା ଜମା କରୁଛନ୍ତି କି ନାହିଁ ତାହା ଦେଖିବା କାମ ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତିଙ୍କର । ହେଲେ ଏଠି ଉଭୟ ମିଳିମିଶି ରେଷ୍ଟୁରାଂଟର ଲକ୍ଷାଧିକ ଟଙ୍କା ଚଳୁ କରିଦେଇଛନ୍ତି ।

ପୋଲିସ ସୂଚନା ଅନୁସାରେ, ସାଢେ ୧୭ ଲକ୍ଷ ଟଙ୍କାରୁ ସୁନୀଲ ଏକାକୀ ୧୦ଲକ୍ଷ ଟଙ୍କା ହଡପ କରିଛନ୍ତି । ଏବଂ ହଡପ ଟଙ୍କାକୁ ଅନଲାଇନ୍ ଜୁଆ ଖେଳରେ ଲଗାଇଥିଲେ, ତେବେ ତାହା ବୁଡି ଯାଇଛି । ସେପଟେ ବାକି ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି ମ୍ୟାନେଜର । ଆଜି ଓଟିଡିସିର କିଛି ଅଧିକାରୀ ନିମନ୍ତ୍ରଣକୁ ଆସି ଘଟଣା ବାବଦରେ ପଚରାଉଚରା କରିଥିଲେ । ହେଲେ ଘୋଟାଲା ନେଇ କ୍ୟାମେରା ସାମ୍ନାରେ କିଛି ବି ପ୍ରତିକ୍ରିୟା ରଖିନଥିଲେ ।

ସୂଚନା ଅନୁସାରେ, ୩ ସେମ୍ବେର ୨୦୨୧ ଭୁବନେଶ୍ୱରର ସହିଦ ନଗରରେ ବହୁ ଆଡମ୍ବରରେ ଆରମ୍ଭ ହୋଇଥିଲା ଓଟିଡିସିର ରେଷ୍ଟୁରାଂଟ୍ ନିମନ୍ତ୍ରଣ । ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସୁଲଭ ଦରରେ ଗ୍ରାହକକୁ ପରଷିବା । ତେବେ ଚଢା ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏବେ ରେଷ୍ଟୁରାଂଟରେ କର୍ମଚାରୀଙ୍କ ଟଙ୍କା ଜାଲିଆତି ଘଟଣା ସାମ୍ନାକୁ ଆସିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି, ନିମନ୍ତ୍ରଣ ରେଷ୍ଟୁରାଣ୍ଟର ଚଢ଼ାଦର ଓ ନିମ୍ନମାନ ନେଇ ବରାବର ସୋସିଆଲ ମିଡିଆରେ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକଟକ କରୁଥିବା ବେଳେ, ଓଟିଡିସି କର୍ତ୍ତୃପକ୍ଷ ଜାଣିଥିଲେ ନା ସବୁ ଜାଣି ଅଜଣା ଥିଲେ? କର୍ମଚାରୀଙ୍କ ଠକେଇରେ ରହିଛି କି ଉଚ୍ଚ ଅଧିକାରୀଙ୍କ ସମ୍ପୃକ୍ତି?