• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଇକ୍ରୋ ଫାଇନାନ୍ସର ଜୁଲମ ପାଇଁ ବଢୁଛି ଆତ୍ମହତ୍ୟା । ରାଜ୍ୟରେ ୭ ଦିନରେ ୫ ଜଣ ଜୀବନ ହାରିବା ପରେ ଏଭଳି ଅଭିଯୋଗ ଆସିଛି । ଚିଟଫଣ୍ଡ ପରେ ଏବେ ରାଜ୍ୟରେ ଲୋକଙ୍କୁ ଶୋଷୁଛନ୍ତି ମାଇକ୍ରୋ ଫାଇନାନ୍ସ ସଂସ୍ଥା । ଲୋଭ ଦେଖାଇ ଋଣ ଦେଉଛନ୍ତି ଆଉ ତା’ପରେ ଆଦାୟ ବେଳକୁ ସବୁ ସୀମା ପାର କରିଯାଉଛନ୍ତି । ସବୁଠୁ ବଡ଼ କଥା ହେଲା ୩୦ ପ୍ରତିଶତ ଯାଏଁ ସୁଧରେ ଋଣ ଦେଇ ଆଦାୟ କରୁଛନ୍ତି ଟଙ୍କା । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାରଙ୍କ ପାର୍ଟନରସିପରେ ଏହି ଧନ୍ଦା ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ଚିଟ୍‌ଫଣ୍ଡ ପରେ ମାଇକ୍ରୋ ଫାଇନାନ୍ସ କଂପାନୀ । ସହରଠୁ ଗାଁ, ଛତୁ ଫୁଟିଲା ଭଳି ଖୋଲିଲାଣି ମାଇକ୍ରୋ ଫାଇନାନ୍ସ ଅଫିସ୍ । ଋଣ ଦେଉଛନ୍ତି, ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି । ସେ ପୁଣି କାହାକୁ ୨୦ ପ୍ରତିଶତ ତ କାହାଠୁ ୩୦ ପ୍ରତିଶତ । ମାଇକ୍ରୋ ଫାଇନାନ୍ସ କଂପାନୀଙ୍କ ସଫ୍ଟ ଟାର୍ଗେଟ ସାଜିଛନ୍ତି ଏସଏଚଜି(SHG)।

ଏସ୍ଏଚ୍‌ଜିଙ୍କ ଜରିଆରେ ପ୍ରଥମେ ମାଇକ୍ରୋ ଫାଇନାନ୍ସ କଂପାନୀଗୁଡ଼ିକ ଋଣ ଦେଉଛନ୍ତି । ଆଉ କିସ୍ତି ଦେଇନପାରିଲେ ଗ୍ରୁପ ସଦସ୍ୟାଙ୍କୁ ଲଗାଇ ଜୋରଜବରଦସ୍ତ ଟଙ୍କା ଆଦାୟ କରାଯାଉଛି । ଏମିତି ଏକ ଅଭିଯୋଗ ଆସିଛି ଚାନ୍ଦବାଲିରୁ । SHG ଜରିଆରେ ନିଜ ସ୍ତ୍ରୀ ନାଁରେ ଋଣ ଆଣିଥିଲେ କୃଷ୍ଣନଗର ଗାଁର ସେକ୍ ବାବୁ । ତେବେ କିସ୍ତି ନଦେବାରୁ ଗ୍ରୁପର ଅନ୍ୟ ସଦସ୍ୟାମାନେ କଂପାନୀ ପ୍ରରୋଚନାରେ ସେକ୍ ବାବୁଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଗତ ୭ ଦିନରେ ରାଜ୍ୟର ଏଭଳି ଅନେକ ଘଟଣା ସାମ୍ନାକୁ ଆସିଲାଣି । ପୁରୀ ଜିଲ୍ଲା କଣାସ ଅଁଳାଯୋଡି ଗାଁର ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା ଘଟଣାର ବି କାରଣ ମାଇକ୍ରୋ ଫାଇନାନ୍ସର ଜୁଲମ ବୋଲି କହିଛନ୍ତି ପୁଅ । କିଛି ମାସ ତଳେ ଏକ ଘରୋଇ କଂପାନୀ ଠାରୁ ଲୋନ ଆଣି କିସ୍ତି ଦେଇନପାରିବାରୁ ବାନାମ୍ବର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଦେଇଥିଲେ। ଶେଷରେ ବାନାମ୍ବର ଏବଂ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ । ସେହିପରି ବଲାଙ୍ଗୀର ପୁଇଁତଲା ଥାନା ଓଡିଆପାଲି ଗାଁର ଜଣେ ଯୁବକ ଫାଇନାନ୍ସ କଂପାନୀର ଅତ୍ୟାଚାର ସହି ନପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।

ଗୋଟିଏ ପଟେ ଗୋଟିଏ ଏମିତି ଘଟଣା ସାମନାକୁ ଆସିବା ପରେ ଜୋର ଧରିଛି ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି ଆତ୍ମହତ୍ୟା ପଛରେ ମାଇକ୍ରୋ ଫାଇନାନ୍ସ କଂପାନୀର ଅତ୍ୟାଚାର ଦାୟୀ, ଏହା ଓଡ଼ିଶାରେ ଚିଟଫଣ୍ଡ ରିଟର୍ଣ୍ଣସକୁ ଦର୍ଶାଉଛି । ମାଇକ୍ରୋ ଫାଇନାନ୍ସ କଂପାନୀ ସହ ସରକାର ପାର୍ଟନରସିପ୍‌ ହୋଇ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛି ବିଜେପି । କାହା ପୃଷ୍ଠ ପୋଷକତାରେ କଂପାନୀ ଗୁଡିକ RBI ନିର୍ଦ୍ଦାରିତ ସୁଧ ଠାରୁ ଅଧିକ ଆଦାୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ ।

ସେପଟେ ସରକାର ମିଶନ ଶକ୍ତି ଜରିଆରେ ମହିଲା ସଶକ୍ତୀକରଣ ବଦଳରେ ଏସଏଚଜି ମହିଳାଙ୍କୁ ଶୋଷଣ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଆତ୍ମହତ୍ୟା ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ପାରିବାରିକ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ହେଲେ ଅଯଥା ରାଜନୀତି କରୁଛନ୍ତି ବିରୋଧୀ ।