Online gaming
ଅନଲାଇନ୍ ବେଟିଂ ଆପ୍ ମାୟାଜାଲରେ ଯୁବପିଢ଼ି। ରାତାରାତି କୋଟି କୋଟି ଟଙ୍କା, ଦାମୀ ଗାଡ଼ି ଜିତିବା ଲୋଭରେ ଲଗାଉଛନ୍ତି ଟଙ୍କା। ଶେଷରେ କିଏ ସର୍ବସ୍ବାନ୍ତ ହେଉଛି ତ’ ଆଉ କିଏ ବାଛିନେଉଛି ଆତ୍ମହତ୍ୟାର ପନ୍ଥା। ଗତକାଲି ଦୁଇ ଦୁଇଟି ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବଢ଼ିଲା 'ବେଟିଂ ଆପ୍' ଚିନ୍ତା। ରାଜ୍ୟର ଲକ୍ଷ ଲକ୍ଷ ଯୁବପିଢ଼ି ଏବେ ଏହିସବୁ ଆପ୍ କବଜାରେ ଫସିଥିବା ବେଳେ, ଏହାକୁ କାହିଁକି ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରାଯାଉନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ।
ଜୀବନ କଣ ଜାଣିବା ଆଗରୁ କିଏ ନିଜ ଜୀବନ ହାରୁଛି... କିଏ ପୁଣି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରୁଛି। ଭୁବନେଶ୍ବରର ୨୩ ବର୍ଷୀୟ ମୃତକ ବିକାଶ ନାୟକ ହୁଅନ୍ତୁ, ଅବା ଏବେବି ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଳେଶ୍ବର ଅଞ୍ଚଳର ସୌରଜିତ ରାୟ...ଆଉ କେତେ ଅଭିମନ୍ୟୁ ବଳି ପଡ଼ିବା ପରେ...ଅନଲାଇନ ଜୁଆ ଚକ୍ରବ୍ୟୁହରେ ଲାଗିବ ଅଂକୁଶ ? ଯେଉଁ ଚକ୍ରବ୍ୟୁହରେ ପଶିବା ସହଜ, ମୁକୁଳିବା ମୁସ୍କିଲ । ଜୁଆଖେଳ ଓ ବେଟିଂ ବେଆଇନ ହୋଇଥିଲେ ବି...କାହିଁକି ସଂପୂର୍ଣ୍ଣ ବ୍ୟାନ୍ ହେଉନି ବେଟିଂ ଆପ୍ ? ଏଥିପାଇଁ ଆଇନରେ କେଉଁଠି ରହୁଛି ଗଳାବାଟ ? ଅଳ୍ପ କିଛି ଟଙ୍କା ଲଗାଇ କୋଟି କୋଟି ଜିତିବାର ପ୍ରଲୋଭନ...ସେଲିବ୍ରିଟିଙ୍କ ତୁହାକୁ ତୁହା ଆଖିଝଲସା ବିଜ୍ଞାପନ...ତା ସହ ରାତାରାତି କୋଟିପତି ବନିବାର ସ୍ବପ୍ନ। ଟାଇମପାସ୍ ପାଇଁ ମୋବାଇଲ୍ ଗେମ୍ ଖେଳୁଖେଳୁ, କେତେବେଳେ ଯେ ବେଟିଂ ଆପ୍ ମାୟାଜାଲରେ ଛନ୍ଦି ହୋଇଯାଉଛନ୍ତି, ତାର ଟେର୍ ପାଉନାହାନ୍ତି ଯୁବପିଢ଼ି। ହେଜିବା ବେଳକୁ ହାତରୁ ସବୁ ଧନ ଖଲାସ୍। ହେଲେ ନିଶା ତ ନଛୋଡ଼ବନ୍ଧା। ନିଜ ଅଣ୍ଟିଧନ ସରିବା ପରେ, ଧାରଉଧାର କରିବାକୁ ବି ପଛାଉନାହାନ୍ତି ଅନେକେ। ଭାଗ୍ୟ ଫିଟିବି ଫିଟିବ ଆଶାରେ, ଶେଷ ହୋଇଯାଉଛି ଧନ...ଆଉ କେତେବେଳେ ଅମୂଲ୍ୟ ଜୀବନ। ଗେମ୍ ହାରିବା ଓ ସର୍ବସ୍ବାନ୍ତ ହେବାର ମାନସିକ ବିଷାଦ, ଆଉ ତା ସହ ପାହାଡ଼ ଭଳି ଋଣ ବୋଝ ସହିବାଠୁ, ଅନେକଙ୍କୁ ସହଜ ଲାଗୁଛି ନିଜେ ନିଜର ଜୀବନ ନେବା।
ଅଧିକ ପଢ଼ନ୍ତୁ: ସବୁ ସାରିଦେଲା ଅନଲାଇନ୍ ଗେମ୍; ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା...
ସାଇବର ଏକ୍ସପର୍ଟଙ୍କ ମତରେ, ପ୍ରଥମେ ଏସବୁ ବେଟିଂ ଆପ୍ ସୋସିଆଲ ମିଡିଆରେ ଗେମ୍ ଆପ୍ ନାଁରେ ବିଜ୍ଞାପନ ଦେଉଛନ୍ତି। ୯୯ ଭାଗ ଲୁଜର୍ଙ୍କୁ ନଦେଖାଇ, ଜଣେ ୨ଜଣ ୱିନର୍ କେମିତି କୋଟି କୋଟି ଟଙ୍କା ଓ ଦାମୀ ଗାଡ଼ି ଜିତୁଛନ୍ତି, ଏସବୁ ଦେଖାଉଛନ୍ତି। ଫଳରେ ଏଥିପ୍ରତି ଆକର୍ଷିତ ହେଉଛନ୍ତି ଅସଚେତନ ଯୁବପିଢ଼ି। ବେଟିଂ ଆପ୍ ଦୁଇ ପ୍ରକାରର ହୋଇଥିବା ବେଳେ, ମୁଣ୍ଡ ଖଟାଇ ଖେଳିବାକୁ ପଡ଼ୁଥିବା ମାଇଣ୍ଡ୍ ଗେମ୍ ବେଟିଂ ଆପ୍କୁ ସରକାରଙ୍କ ଅନୁମୋଦନ ମିଳିଛି। କିନ୍ତୁ ଗାମ୍ବଲିଂ ବେଟିଂ ଆପ୍ ସଂପୂର୍ଣ୍ଣ ବେଆଇନ। ଆଇନଜୀବୀଙ୍କ ମତରେ, ଓଡ଼ିଶା ସରକାର ଗ୍ୟାମ୍ବଲିଂ ନିରୋଧୀ ଆଇନ ୧୯୫୫ ଅନୁସାରେ, ରାଜ୍ୟରେ ଅନଲାଇନ ଗେମ୍ ପ୍ରଚାର ପ୍ରସାରକୁ ବ୍ୟାନ୍ କରିଛନ୍ତି। କିନ୍ତୁ ଏହାର ପ୍ଲାଟ୍ଫର୍ମକୁ ସିଜ୍ କରାଯାଇନି। ତେଣୁ ଏଭଳି ବେଟଂ ଆପ୍କୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ନୂଆ ଆଇନ ଆଣିବାର ଆବଶ୍ୟକତା ରହିଛି।
ସେପଟେ ଏଥିରୁ ନିସ୍ତାର ପାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମନସ୍ତତ୍ତ୍ବବିତ୍ ଓ ମାନସିକ ରୋଗ ବିଶେଷଜ୍ଞ । ଏଭଳି ଆପ୍ କବଳରେ ଫସି ମୁକୁଳିନପାରିବା ଏବଂ ବାରମ୍ବାର ହାରି ବିଷାଦଗ୍ରସ୍ତ ହେବାକୁ ଗାମ୍ବଲିଂ ଡିଜ୍ଅର୍ଡର୍ କୁହାଯାଏ । ଅଭିଭାବକ ଓ ସାଙ୍ଗସାଥିମାନେ ଜଣଙ୍କ ଉପରେ ନଜର ରଖିଲେ, ହୁଏତ ତାଙ୍କୁ ସତର୍କ କରି ଏଭଳି ସମସ୍ୟାକୁ ଏଡ଼ାଯାଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745164110.jpg)