/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726929913.jpg)
Bharatpur Incident
ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ମଠେଇ ଯାଇଛି କି କ୍ରାଇମବ୍ରାଞ୍ଚ ତଦନ୍ତ ? ମାମଲାକୁ ସପ୍ତାହେ ପୂରିଲାଣି, ଏଯାଏଁ କାହା ବିରୋଧରେ ହୋଇନି ଆଖିଦୃଶିଆ ଆକ୍ସନ। କେବଳ ନିଲମ୍ବିତ ହୋଇଛନ୍ତି ଭରତପୁର ଥାନାର ୫ ଦବଙ୍ଗ ପୋଲିସ। ୬ଦିନ ପରେ ଧରାପଡ଼ିଛନ୍ତି ୭
ରୋଡ୍ ରୋମିଓ । ତାହାରି ଭିତରେ ମେଜର୍ ଓ ବାନ୍ଧବୀଙ୍କ ଏକପାଖିଆ ଭିଡ଼ିଓକୁ ଜାଣିଶୁଣି ଭାଇରାଲ୍ କରାଯାଉଥିବାବେଳେ ପୀଡ଼ିତା ସୁଟ୍ କରିଥିବା ଭରତପୁର ଭିଡ଼ିଓକୁ କାହିଁକି ପୋଲିସ ସାମ୍ନାକୁ ଆଣୁନି କି ନିଜେ ସାମ୍ନାକୁ ଆସୁନି, ସେନେଇ ଉଠିଛି ନାନା ପ୍ରଶ୍ନ।
ଭରତପୁର କାଣ୍ଡ ପଛରେ ରଚାଯାଉଛି କି ବଡ଼ ଷଡ଼ଯନ୍ତ୍ର ? ପ୍ରଥମେ ଅଧରାତିରେ ରୋଡ୍ ରୋମିଓଙ୍କ ହରକତ୍ ପରେ ଦୁର୍ବ୍ୟବହାର ଶିକାର ଆର୍ମି ମେଜର୍ ଏବଂ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା, ଆଉ ତା’ପରେ ଉଭୟଙ୍କ ବିରୋଧରେ ପୋଲିସର ପାଲଟା ଅଭିଯୋଗ । ହେଲେ ଯେତେ ଲୁଚାଇଲେ ବି ଲୁଚୁନି ଘଟଣା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ । ଏ ହେଉଛି ସେହି ଘଟଣା। ଚନ୍ଦକା ରାସ୍ତାରେ ୧୫ ତାରିଖ ରାତିରେ ମେଜର୍ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଯୁବକମାନେ ଅଟକାଇ କେମିତି ଛେଡଛାଡ୍ କରୁଛନ୍ତି ଭାଇରାଲ୍ ଭିଡ଼ିଓ ସାମ୍ନାକୁ ଆସିଛି
ଭିଡିଓରେ ଟଣାଓଟରା, କଥା କଟାକଟି, ପ୍ରବଳ ଧସ୍ତାଧସ୍ତି ଏପରିକି ପୀଡ଼ିତାଙ୍କୁ ମାଡ଼ ମାରିଥିବା ବି ସ୍ପଷ୍ଟ ଭାବେ ଦେଖାଯାଉଛି । ଦୀର୍ଘ ସମୟ ଧରି ଚାଲିଥିଲା ଏଭଳିକାଣ୍ଡ । ଶେଷରେ ବଡ଼ କଷ୍ଟରେ ନିଜକୁ ମୁକୁଳାଇ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ ଗୁରୁବଂଶଙ୍କ ବାନ୍ଧବୀ। ଆଉ ସେହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସକୁ ଲାଗିଗଲା ପାଖାପାଖି ସପ୍ତାହେ। ଆଜି ପ୍ରଥମେ ଘଟଣାସ୍ଥଳ ସୁନ୍ଦରପୁରରେ କ୍ରାଇମସିନ୍ ରିକ୍ରିଏସନ୍ ପରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୧୧ଟି ମୋବାଇଲ୍ ଏବଂ ଗୋଟିଏ ଗାଡ଼ି ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ଜଣେ ଜଣେ ଛାତ୍ର। ମୁହଁରେ ମାସ୍କ, ମିଡ଼ିଆ ଆଗରେ ଦେଉଛନ୍ତି ଅନର୍ଗଳ ବୟାନ। ଛୋଟ ମୋଟ ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଯେଉଁଠି ପୋଲିସ୍ ମିଡିଆ ନିକଟରୁ ଦୂରେଇ ରଖେ, ଆଜି ସେହି ପୋଲିସର ହେପାଜତରେ ଥାଇ ନିର୍ଦ୍ୱନ୍ଦ୍ୱରେ ଖୋଲା ବୟାନ ଦେଉଛନ୍ତି । ଅଭିଯୁକ୍ତମାନେ ଘଟଣାକୁ ଖଣ୍ଡନ କରିବା ସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ।
ଏଣେ ନିଲମ୍ବିତ ଭରତପୁର ଥାନା ଅଧିକାରୀଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ସେହିପରି 120 ବାଟାଲିୟନ ଭିତରେ ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ ପରେ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ସାଇବର୍ ସେଲରେ ତର୍ଜମା କରାଯାଇଛି। ତେବେ କୁହାଯାଇଥିଲା, ଘଟଣାରେ ସଂପୃକ୍ତ ବ୍ୟକ୍ତି ଯିଏ ବି ହୁଅନ୍ତୁ, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ସପ୍ତାହେ ହେଲା କାହା ବିରୋଧରେ ବି ହୋଇନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ବରଂ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି।
ସେ ପବ୍ ରେ ଥିବା ସମୟର ଭିଡ଼ିଓ ହେଉ ଅବା ବିଚ୍ ରାସ୍ତାରେ ଅସଦାଚରଣର ଭିଡ଼ିଓ ଲଗାତର ଭାଇରାଲ୍ କରାଯାଉଛି। କିନ୍ତୁ ଭରତପୁର ଥାନା ପରିସରରେ ପୀଡ଼ିତା ସୁଟ୍ କରିଥିବା ଭିଡ଼ିଓ ସବୁ କାହିଁକି ସାମ୍ନାକୁ ଆସୁନି ? ପୀଡ଼ିତାଙ୍କ ଚରିତ୍ର ସଂହାର ସହ ତାଙ୍କୁ ବଦନାମ୍ କରିବା ପାଇଁ ଏକ ପାଖିଆ ଭିଡ଼ିଓ ସବୁ ଭାଇରାଲ୍ କରୁଛି କିଏ ? ଏସବୁ ଭିତରେ ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ନେଇ ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ଦେଇଛି କ୍ରାଇମବ୍ରାଞ୍ଚ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)