ଡବଲ ମର୍ଡର ! ମହିଳା ବନ୍ଧୁଙ୍କ ଘରେ ଥିଲା ଯୁବକ, ୱାନ୍‌ ସାଇଡ୍‌ ଲଭର ଆସି କଲା ହତ୍ୟା

ଅଚାନକ ରବିବାର ଦିନ ରାତିରେ ଡ୍ରାଇଭର ରାଜୁ ନାଗ, ଯୁବତୀଙ୍କ ଘରେ ପହଞ୍ଚିଥିଲା । ଆଉ ଯୁବତୀଙ୍କୁ ବାହାରକୁ ଯିବାକୁ ବାଧ୍ୟ କରିଥିଲା ।

One Side Love, Crime

ଏକ ତରଫା ପ୍ରେମରୁ ବିଭତ୍ସ କାଣ୍ଡ । ଯୁବକ-ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜଗାଙ୍ଗପୁରରୁ । ଦୁଇ ଜଣ ସାଙ୍ଗ ଏକାଠି ଏମ୍‌ବିଏ ପଢ଼ୁଥିଲେ । ଜଣେ ଯୁବକ ଆଉ ଜଣେ ଯୁବତୀ । ତାପରେ ଏକାଠି ଇଣ୍ଟର୍ଣ୍ଣସିପ୍‌ ମଧ୍ୟ କରୁଥିଲେ । ଇଣ୍ଟର୍ଣ୍ଣସିପ୍‌ ପାଇଁ ସେମାନେ ଏମ୍‌ସିଏଲ୍‌ ମାଇନ୍‌ସରେ କାମ କରୁଥିଲେ । ହେଲେ କିଏ ଜାଣିଥିଲା ସେଇଠି ତାଙ୍କର କ୍ୟାରିଅର ଆରମ୍ଭ ଆଉ ଶେଷ ।

ଗତକାଲି ବିଳମ୍ବିତ ରାତିରେ କୁତ୍ରା ଥାନା ଅନ୍ତର୍ଗତ ଗମାରଢ଼ିହି କାଶୀପଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଏକତରଫା ପ୍ରେମ କରୁଥିବା ଜଣେ ଡ୍ରାଇଭର ଏହି ଯୁବକ ଯୁବତୀଙ୍କୁ ହତ୍ୟା କରିଛି । ଏନେଇ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।  

ତେବେ ପୂରା ଘଟଣାଟି ହେଲା, ଉଭୟ ସାଙ୍ଗ ଏମ୍‌ସିଏଲ୍‌ ମାଇନ୍‌ସକୁ କାମ କରିବାକୁ ଯାଇଥିବା ବେଳେ କାମ ସରୁ ସରୁ ବିଳମ୍ବ ହୋଇଥିଲା । ତେଣୁ ପୁରୁଷ ବନ୍ଧୁ ଜଣକ ନିଜ ଘରକୁ ନଫେରି ଯୁବତୀଙ୍କ ଘରେ ରହିଗଲେ । ଯୁବତୀଙ୍କ ଘରେ ତାଙ୍କ ପିତା ମାତା ମଧ୍ୟ ରହୁଥିଲେ । ହେଲେ ପୁରୁଷ ବନ୍ଧୁ ଯୁବତୀଙ୍କ ଘରେ ରହିବା ଘଟଣା, ଜଣଙ୍କୁ ଖୁବ୍‌ ବାଧିଥିଲା । ଯିଏ କି ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା । ଆଉ ସେ ହେଲା ସେଇ ଘରର ଡ୍ରାଇଭର ।

ଅଚାନକ ରବିବାର ଦିନ ରାତିରେ ଡ୍ରାଇଭର ରାଜୁ ନାଗ, ଯୁବତୀଙ୍କ ଘରେ ପହଞ୍ଚିଥିଲା । ଆଉ ଯୁବତୀଙ୍କୁ ବାହାରକୁ ଯିବାକୁ ବାଧ୍ୟ କରିଥିଲା । ଟଣା ଓଟରା ମଧ୍ୟ କରିଥିଲା । ହେଲେ ଯୁବତୀ ଜଣକ ଡ୍ରାଇଭର ସହ ବାହାରକୁ ଯିବାକୁ ରାଜି ହୋଇନଥିଲେ । ଫଳରେ ଡ୍ରାଇଭର ଜଣକ ଅତ୍ୟନ୍ତ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲା । ଏଇସବୁ ଘଟଣା ଦେଖି ଯୁବତୀଙ୍କ ବାପା ମା, ଡ୍ରାଇଭରକୁ ବିରୋଧ କରିଥିଲେ ।  ଯାହାଫଳରେ ଡ୍ରାଇଭର ସେମାନଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲା ।

ଏହି ସମୟରେ ପୁରୁଷ ବନ୍ଧୁ ଜଣକ ମଧ୍ୟ ଡ୍ରାଇଭରକୁ ବିରୋଧ କରିଥିଲେ । ହେଲେ ଡ୍ରାଇଭର କିଛି ଶୁଣିନଥିଲା । ସେ ଯୁବକଙ୍କୁ ଛୁରା ମାଡ଼ କରିଥିଲା । ଅନ୍ୟପଟେ ଯୁବତୀ ଯିବାକୁ ରାଜି ନହେବାରୁ ତାଙ୍କୁ ମଧ୍ୟ ଛୁରାମାଡ଼ କରିଥିଲା । ଶେଷରେ କ୍ଷତାକ୍ତ ଅବସ୍ଥାରେ ସେମାନଙ୍କୁ ଛାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଚିତ୍କାର ଶୁଣି ପଡୋଶୀ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଯୁବତୀ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଯୁବକ ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ରାଉରକେଲାରେ ପହଁଚିବା ପରେ ସେଠାରେ ଡାକ୍ତର ଯୁବକଙ୍କୁ ମଧ୍ୟ ମୃତ ଘୋଷଣା କଲେ । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ ଚଳାଇଛି ।