ଗୁପ୍‌ଚୁପ୍‌ ପାଇଁ ଲଙ୍କାକାଣ୍ଡ ! ଖାଇବାକୁ ମନା କରିବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା

ସାମାନ୍ୟ ଗୁପ୍‌ଚୁପ୍‌ ଖିଆକୁ ନେଇ ଜଣଙ୍କ ଜୀବନ ଚାଲିଗଲା । ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କଲେ ପଡ଼ୋଶୀ ।

ଗୁପ୍‌ଚୁପ୍‌ ପାଇଁ ଚାଲିଗଲା ଜୀବନ

ଗୁପ୍‌ଚୁପ୍‌ ପାଇଁ ହତ୍ୟାକାଣ୍ଡ । ଗୁପ୍‌ଚୁପ୍‌ ଖାଇବା ପାଇଁ ମନା କରିବାରୁ ମହିଳାଙ୍କୁ ପିଟି ପିଟି ମାରିଦେଲେ । ଦିଲ୍ଲୀର ଶାହଦରା ଜିଲ୍ଲାର ଜିଟିବି ଏନକ୍ଲେଭ ଅଞ୍ଚଳରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗୁପଚୁପ୍‌ ଖାଇବାକୁ ମନା କରିବା ପରେ ବୃଦ୍ଧା ମହିଳାଙ୍କୁ ଚାରି ଜଣ ପଡ଼ୋଶୀ ଏକତ୍ରିତ ହୋଇ ଆକ୍ରମଣ କରିଥିଲେ । ରାଗରେ ତାଙ୍କୁ ଠେଲି ଦେବାରୁ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କ ବୋହୂ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ମୃତକ ମହିଳା ଜଣକ ହେଲେ ଶକୁନ୍ତଳା ଦେବୀ (୬୮ ବର୍ଷ ) । ଏହି ମାମଲାରେ ବୋହୂ ଚାରି ମହିଳାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବୋହୂଙ୍କ ଅଭିଯୋଗ ଅନୁସାରେ ପୋଲିସ ଚାରିଜଣ ମହିଳାଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ: ବିବାହ ଉତ୍ସବରେ ରସଗୋଲା ନିଅଣ୍ଟ ପଡ଼ିବାରୁ ଲଙ୍କାକାଣ୍ଡ; ଜଣେ ମୃତ, ୫ ଗୁରୁତର

ମୃତକଙ୍କ ବୋହୂ କହିଛନ୍ତି, ଘଟଣା ଦିନ ତାଙ୍କ ଶାଶୂ କବାଟ ପାଖରେ ଠିଆ ହୋଇଥିଲେ । ସେହି ସମୟରେ ପଡ଼ୋଶୀ ଘରର ଶୀତଳ ହାତରେ ଗୁପଚୁପ୍‌ ଧରି ଘର ସାମ୍ନା ଦେଇ ଯାଉଥିଲେ । ଆଉ ସେ ଶକୁନ୍ତଳା ଦେବୀଙ୍କୁ ଗୁପ୍‌ଚୁପ୍‌ ଖାଇବାକୁ କହିଥିଲେ । ହେଲେ ମନ ନାହିଁ କହି ଶକୁନ୍ତଳା ଦେବୀ ଗୁପ୍‌ଚୁପ୍‌ ଖାଇବା ପାଇଁ ମନା କରିଦେଇଥିଲେ ।

ଏହି କଥା ଶୀତଲଙ୍କୁ ଏତେ ଆଘାତ ଦେଇଥିଲା ଯେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । ଉଭୟଙ୍କ କଳି ଶୁଣି ଶୀତଲଙ୍କ ମା’ ଏବଂ ଦୁଇ ଭାଉଜ ସେଠାରେ ପହଞ୍ଚିଯାଇଥିଲେ । ଚାରିଜଣ ଶକୁନ୍ତଲାଙ୍କୁ ପିଟିବା ଆରମ୍ଭ କରିଥିଲେ । ଫଳରେ ଶକୁନ୍ତଳା ଦେବୀ ତଳେ ପଡ଼ିଯାଇଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ​​ ତାଙ୍କୁ ସଂଗେ ସଂଗେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ବୋହୂର ଅଭିଯୋଗ ଅନୁସାରେ ଏବେ ପୋଲିସ୍‌ ମାମଲାର ଛାନଭିନ୍‌ ଆରମ୍ଭ କରିଛି । ଚାରି ଅଭିଯୁକ୍ତ ଶୀତଲ, ମଧୁ, ମୀନାକ୍ଷୀ ଏବଂ ଶାଲୁଙ୍କୁ ଗିରଫ କରାଯାଇଛି ।