/odishatv-khabar/media/post_attachments/uploadimage/library/16_9/16_9_0/Keonjhar_1676734493.jpg)
Keonjhar
ଘର ଦୁଆରେ ପିଲାଙ୍କୁ ନେଇ ବସିଛି ମାଆ। ଆଉ ତାକୁ ଘେରି ରହିଛନ୍ତି କୁନିକୁନି ପିଲା। କିଏ ମାଆର ଚୁଟି ସହ ଖେଳୁଛି ତ ଆଉ କିଏ ମାଆ ମୁହଁକୁ ବଲବଲ ହୋଇ ଚାହିଁରହିଛି। ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ ମାଆ ସହ ପିଲାମାନେ ଖେଳୁଛନ୍ତି ଏଥିରେ ଅସୁବିଧା ରହିଲା କେଉଁଠୁ?
ଦର୍ଶକବନ୍ଧୁ ଏଇ ମାଆ ଏଇଠି ୩ଦିନ ୩ ରାତି ହେଲା ବସି ରହିଛି। ତାହାର ଦୋଷ ହେଲା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା। ୧୧ ପିଲାର ମାଆ ହେବା ପରେ ଅପରେସନ୍ କରିଥିବାରୁ ରାଗରେ ଘରେ ପୂରାଉନାହିଁ ସ୍ୱାମୀ। କଣ କରିବ? କୁଆଡେ ଯିବ? ଏଇ କଥା ଭାବିଭାବି ଏଇଠି ଏମିତି ବସିଛି ଏଇ ମାଆ।
ଅପରେସନ୍ ହେଲା ବୋଲି ହେବ ମାରା ହୋଇଗଲା। ପୂର୍ବ ପୁରୁଷମାନେ ଆଉ ପିଣ୍ଡ ପାଇବେ ନାହିଁ କହି ସ୍ୱାମୀ ଭଲରେ କଥାବାର୍ତ୍ତା ବି ହେଉନି। ଘରେ ନପୂରାଇବାରୁ ଆମ୍ବ ଗଛ ମୂଳେ ବସିରହିଛି ସ୍ତ୍ରୀ। ଯେତେ ବୁଝାଇଲେ କି କାକୁତିମୀନତି ହେଲେ କିଛି ଶୁଣୁନି। ଯିଏ ବୁଝାଇବାକୁ ଯାଉଛି ଧନୁ ତୀର ଧରି ମାରିଦବେ ବୋଲି କହୁଛି।
ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ତେଲକୋଇ ବ୍ଲକରେ। ସ୍ଥାନୀୟ ସଲେଇକେନା ପଞ୍ଚାୟତ ଡ଼ିମିରିଆ ଗାଁର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀଙ୍କର ୧୧ ପିଲା। ଜଣେ ଚାଲିଯିବା ପରେ ଏବେ ପିଲାଙ୍କ ସଂଖ୍ୟା ୧୦। ଏତେ ସଂଖ୍ୟାରେ ପିଲା ଜନ୍ମ ହେବାରୁ ଜାନକୀ ଦୁର୍ବଳ ହେବା ସହ ଅସୁସ୍ଥ ମନେ କରୁଥିଲେ। ତେଣୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କଲେ। କିନ୍ତୁ ରାଗରେ ଗରଗର ହେଉଥିବା ସ୍ୱାମୀ ଜାନକୀଙ୍କୁ ଘରେ ପୂରାଉ ନାହିଁ।
ସେପଟେ ଘର ବାହାରେ ବସିଥିବା ପିଲାଙ୍କ କଥା ଯଥାସମ୍ଭବ ଆଶାକର୍ମୀ ବୁଝୁଥିବା ବେଳେ ପରିବାର ଲୋକଙ୍କୁ ପ୍ରଶାସନ ବୁଝାଇବା ସହିତ ସେମାନଙ୍କର ଖାଇବା ଓ ରହିବା ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବ୍ଲକ୍ ସ୍ୱାସ୍ଥ୍ୟ ଅଧିକାରୀ। ୧୦ ପିଲାର ମାଆ ହେବା ପରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ଜଣେ ସ୍ତ୍ରୀଙ୍କୁ ମହଙ୍ଗା ପଡିଛି। ଅପରେସନ୍ ହେବା ପରେ ଏବେ ଆମ୍ବଗଛ ମୂଳେ ବିତୁଛି ଜୀବନ। ଯାହାକୁ ନେଇ ପୂରା ଜିଲ୍ଲାରେ ବଢିଛି ଚର୍ଚ୍ଚା।
ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ,ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)