• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଛା ଥିଲା ରାଜଧାନୀରେ ସ୍ୱପ୍ନର ଘର ଖଣ୍ଡେ ତୋଳିବାକୁ । ହେଲେ ସବୁ ସ୍ବପ୍ନକୁ ଧୂଳିସାତ କରିଦେଲା ରିୟଲ ଇଷ୍ଟେଟ ସଂସ୍ଥା । ଘର ତ ମିଳିଲାନି, ବରଂ ବିଲ୍ଡରଙ୍କ ଦ୍ୱାରା ଚଳୁ ହୋଇଗଲା ଜୀବନ ଯାକର କଷ୍ଟ ଉପାର୍ଜିତ ଟଙ୍କା । ଲକ୍ଷେ କି କୋଟିଏ ନୁହଁ, ଏକାଧିକ ଗ୍ରାହକଙ୍କୁ ୨୦ କୋଟିର ଚୁନା ଲଗାଇଦେଲା ରାଜଧାନୀର ବିଲ୍ଡର୍ ସଂସ୍ଥା ଓଡ଼ିଶା ହୋମ୍ସ । ଅଭିଯୋଗ ହୋଇଛି, ଜଣେ ବିଜେଡି ନେତାଙ୍କ ଛତ୍ରଛାୟାରେ ରହି ରାଜଧାନୀର ପ୍ରାୟ ୫୦ ଜଣଙ୍କୁ ଠକେଇ କରିଛି ଏହି ସଂସ୍ଥା । ଏନେଇ ଅଭିଯୋଗ ପରେ ଓଡ଼ିଶା ହୋମ୍ସର ନୟାପଲ୍ଲୀ ଅଫିସରେ ଚଢ଼ାଉ କରି ଜଣେ ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ । ଫେରାର ଥିବା ଅନ୍ୟ ୨ ନିର୍ଦ୍ଦେଶକଙ୍କୁ ଧରିବାକୁ ଇଓଡବ୍ଲୁ ଜାଲ ବିଛାଇଛି ।

ଭୁବନେଶ୍ୱରର ରଞ୍ଜନ କୁମାର ମହାପାତ୍ର । ନୟାପଲ୍ଲୀ ସ୍ଥିତ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ବିଲ୍ଡର ସଂସ୍ଥାଠୁ ବୁକିଂ କରିଥିଲେ ଥ୍ରୀ ବିଏଚ୍କେ ଫ୍ଲାଟ । ଏଥିପାଇଁ ୬୫ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ୬ ବର୍ଷ ହୋଇଥିଲା, ନା ଫ୍ଲାଟ ମିଳିଲା ନା ଟଙ୍କା ଫେରିଆସିଲା । ଶେଷରେ ଇଓଡବ୍ଲୁରେ ଦ୍ୱାରସ୍ଥ ହୋଇଛନ୍ତି ରଂଜନ ।

ଓଡ଼ିଶା ହୋମ୍ସର ୨ ନିର୍ଦ୍ଦେଶକ ମନୋଜ ପଣ୍ଡା ଏବଂ ସରୋଜ ପଣ୍ଡା । ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତାରା । ଏମାନେ ଶସ୍ତାରେ ଏଠାରେ ଫ୍ଲାଟ ଦେବାର ଲୋଭ ଦେଖାଇ ଗଣପତି ହୋମ୍ସ ନାଁରେ ବୁକିଂ ନେଇଥିଲେ । ୨୦୧୩ରୁ ୨୦୧୬ ମଧ୍ୟରେ ପ୍ରାୟ ୫୦ ଗ୍ରାହକଙ୍କଠୁ ମୋଟ ୨୦ କୋଟି ଟଙ୍କା ଆଦାୟ କରିଥିଲେ । ହେଲେ ଘର ଦେବାର ନାଁ ଗନ୍ଧ ନାହିଁ । ୭ ଜଣଙ୍କ ନାଁରେ ବୁକିଂ ଫ୍ଲାଟକୁ ଏକାଧିକ ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । କେବଳ ଶ୍ୟାମପୁର ନୁହେଁ, ସହିଦନଗର, ଖଣ୍ଡଗିରି ଅଞ୍ଚଳରେ ବି ଫ୍ଲାଟ ନାଁରେ ଠକେଇର ଜାଲ ବିଛାଇଥିଲେ ଏମାନେ । କାହାଠୁ ୬୦/୭୦ ଲକ୍ଷ ନେଇଥିଲେ ତ ଆଉ କାହାଠୁ ନେଇଥିଲେ କୋଟିଏରୁ ଅଧିକ । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକଳ୍ପ ଗୁଡ଼ିକୁ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ମଞ୍ଜୁରୀ ଦେବା ସହ ଋଣ ବି ଦେଇଥିଲେ । ସେହି ବିଶ୍ୱାସରେ ଭଳି ଯାଇଥିଲେ ଲୋକେ ।

ଓଡ଼ିଶା ହୋମ୍ସର ମାଲିକ ହେଉଛନ୍ତି, କୋରାପୁଟ ଜୟପୁରର ମୂଳ ବାସିନ୍ଦା । ସେଠାରେ ବି କଂପାନୀ ପକ୍ଷରୁ ତିଆରି ହେଉଛି ଫ୍ଲାଟ । ତେବେ ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟାରେ ଏଭଳି ଠକେଇ କାରବାର ଚଳାଉଛି ଏହି ବିଲ୍ଡର୍ ସଂସ୍ଥା ? ରାଜଧାନୀରେ ପଚାଶ ପଚାଶ ଜଣଙ୍କୁ ଚୁନା ଲଗାଇଥିବା ଏହି ସଂସ୍ଥାକୁ କିଏ ଦେଇଛି ଅଭୟ ବର ?

ରଘୁନାଥ ପାଢ଼ୀ ନାମକ ଜଣେ ବ୍ୟକ୍ତି ପୋଲିସ୍ ଡିଜିଙ୍କୁ ଟୁଇଟ୍ କରି ଲେଖିଛନ୍ତି, ଏହି ସଂସ୍ଥାରେ ବହୁଳ ମାତ୍ରାରେ ଅର୍ଥ ବିନିଯୋଗ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ । ସେ ଏହି ଠକ ବିଲ୍ଡର୍ ସଂସ୍ଥାର ଗଡ୍ ଫାଦର ତେବେ ରବି ନନ୍ଦ କହିଛନ୍ତି, ରାଜନୈତିକ ଆକ୍ରୋଶ ରଖି ବିଭିନ୍ନ ବ୍ୟକ୍ତି ଟାର୍ଗେଟ କରୁଛନ୍ତି । ଏମିତି ବିଲ୍ଡର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।

ତେବେ ଠକେଇ ଅଭିଯୋଗ ପରେ ଇଓଡବ୍ଲୁ ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତାରାଙ୍କୁ କୋର୍ଟଚାଲାଣ କରିଥିବାବେଳେ ଫେରାର୍ ୨ ନିର୍ଦ୍ଦେଶକ ମନୋଜ ପଣ୍ଡା ଏବଂ ସରୋଜ ପଣ୍ଡାଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା କହିଛନ୍ତି ଇଓଡବ୍ଲୁ ଏସପି ।