Rising Crime
ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା । ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା । ରାଜଧାନୀରେ କେବେ ହତ୍ୟା ତ କେବେ ଚୋରି ପୁଣି କେବେ ଡକାୟତି ତ କେବେ ଭିଭିଆଇପିଙ୍କ ସୁରକ୍ଷାରେ ତ୍ରୁଟି । ବର୍ଷ ଆରମ୍ଭରୁ ଭୁବନେଶ୍ବରର ଛାତି ଉପରେ କ୍ରମାଗତ ଅପରାଧ ଘଟିବା ଏବଂ ସଂପୃକ୍ତ ଅପରାଧୀ ଧରା ନପଡ଼ିବା ସମସ୍ତଙ୍କ ମନରେ ଆତଙ୍କ ବଢ଼ାଇଛି । ସେ ସହଦେବ ହତ୍ୟାକାଣ୍ଡ ହେଉ ଅବା ବରିଷ୍ଠ କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ । ଅଦ୍ୟାବଧି ପୋଲିସ ହାତ ଖାଲି । ଏଭଳି ସ୍ଥିତିରେ RSS ମୁଖ୍ୟ ମୋହନ ଭାଗବତଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ସାମଗ୍ରିକ ଘଟଣାକୁ ଦେଖିଲେ କମିଶନରେଟ୍ ପୋଲିସର ଦାୟିତ୍ବକୁ ନେଇ ଉଠିଛି ନାନା ପ୍ରଶ୍ନ ।
କମିଶନରେଟ୍ ପୋଲିସିଂରେ କାହିଁକି ଏତେ ବିକଳ ଚିତ୍ର ? କୌଣସି ମାମଲାରେ ବି କାହିଁକି ମାଷ୍ଟରମାଇଣ୍ଡଙ୍କ ପତ୍ତା ପାଉନି ପୋଲିସ ? ଭିଭିଆଇପିଙ୍କୁ ବି କାହିଁକି ଦେଇପାରୁନି ସୁରକ୍ଷା ? କେଉଁଠି ରହୁଛି ଭୁଲ୍, କେଉଁଠି ରହୁଛି ସମସ୍ୟା ? ବର୍ଷ ଆରମ୍ଭରୁ ରାଜ୍ୟ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ଦେଖିଲେ ଲାଗୁଛି ପୁରା ହୁଗୁଳା ହୁଗୁଳା ହୋଇପଡିଛି ପୋଲିସିଂ ବ୍ୟବସ୍ଥା । ଜାନୁଆରୀ ୮ ତାରିଖ। ବିଚ୍ ରାସ୍ତାରେ ଏବଂ ସ୍ପଷ୍ଟ ଦିବାଲୋକରେସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କୁ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୃତ୍ତ । ୧୨ ଘଣ୍ଟା ଭିତରେ ପୋଲିସ ୫ ଜଣଙ୍କୁ ଗିରଫ କଲା । କିନ୍ତୁ ମାସ ସରିଯାଇଥିଲେ ମଧ୍ୟ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିପାରିଲାନି ପୋଲିସ । ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସହଦେବଙ୍କ ପତ୍ନୀ । ୨୪ ଘଣ୍ଟା ଭିତରେ ଯଦି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ ନକରେ ତେବେ ସେ ବିଧାନସଭା ଆଗରେ ଦୁଇ ପିଲାଙ୍କୁ ଧରି ଧାରଣା ଦେବେ ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ : ଜବରଦଖଲ ଜମି ହାତକୁ ନେଲା ଶ୍ରୀମନ୍ଦିର ପ୍ରଶାସନ, ଲାଗିଲା ସୂଚନା ଫଳକ।
ଏ ତ ଗଲା, ବର୍ଷ ଆରମ୍ଭରୁ କ୍ୟାପିଟାଲର ଛାତି ଥରାଇଥିବା ଲୋମଟାଙ୍କୁରା କାଣ୍ଡ। ଏବେ ଆସିବା ହାଇପ୍ରୋଫାଇଲ୍ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ଘରେ ଦୁଇ ଦୁଇ ଥର ଲୁଟେରାଙ୍କ ପ୍ରବେଶ। ୨୫ ତାରିଖ ରାତି ଅଧରେ ପଶି ନଗଦ ଅଢ଼େଇ ଲକ୍ଷ ଟଙ୍କା ସହ ୫୦ ଲକ୍ଷର ଗହଣାଗାଣ୍ଠି ଲୁଟିନେଲା ଦୁର୍ବୃତ୍ତ। ଏହି ଘଟଣାକୁ ୩ ଦିନ ଯାଇନି, ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଆଉ ଏକ ଘରୁ ଅନ୍ୟ ଜଣେ ଲୁଟେରାର ଲୁଟ୍ ଉଦ୍ୟମ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦ୍ବିତୀୟ ଘଟଣାରେ ଲୋକେ ତତ୍ପର ହେଲେ ବୋଲି ଦୁର୍ବୃତ୍ତ ଧରାପଡ଼ିଗଲା। କିନ୍ତୁ ପ୍ରଥମ ଲୁଟ୍ ଘଟଣାରେ ଲୁଟେରାର ଚେହେରା, ସିସିଟିଭିରେ କଏଦ୍ ହୋଇଥିବାବେଳେ ଏଯାଏଁ ପୋଲିସ ହାତ ଖାଲି। ସେତେବେଳେ ଖୁବଶୀଘ୍ର ଲୁଟେରା ଧରାପଡ଼ିବ ବୋଲି ସିପି, ଡିସିପି ଦମ୍ଭର ସହ ବୟାନ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ, ଏଯାଏଁ କମିଶନରେଟ୍ ପୋଲିସ ସୁରାଗ୍ ପାଇନଥିବାରୁ ନିରଞ୍ଜନ କ୍ଷୁବ୍ଧ।
କେବଳ ଏହି ଦୁଇଟି ଘଟଣା ନୁହେଁ, ଗତ ୨୩ ତାରିଖରେ ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରୁ ATM ଲୁଟ୍ ହେଉ କିମ୍ବା ୨୮ ତାରିଖରେ ଲିଙ୍ଗିପୁର ଦୟାନଦୀ କୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହେଉ। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ତ ଦୂରର କଥା, କୌଣସି ଗୋଟିଏ ହେଲେ ଘଟଣାର ପର୍ଦ୍ଦାଫାସ୍ କରିପାରିନି ପୋଲିସ। ଭିଭିଆଇପିଙ୍କୁ ସୁରକ୍ଷା ଦେବାରେ ବି ପୋଲିସ ବିଫଳ। ଶିଳ୍ପ ମହାକୁମ୍ଭବେଳେ ହାଇସିକ୍ୟୁରିଟି ଜୋନରେ ଥିବା ରାଜଧାନୀରେ ବେଦାନ୍ତ କମ୍ପାନୀ ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ଗାଡ଼ି ଆଗରେ କଳାପତାକା ଦେଖାଇଲେ ବିକ୍ଷୋଭକାରୀ। ଆଉ ଗତକାଲି ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ କଳା ପତାକା ପ୍ରଦର୍ଶନ କରି ବାଟ ଓଗାଳିଲେ ଛାତ୍ର କଂଗ୍ରେସ କର୍ମୀ। ତେବେ କାହିଁକି ଏଭଳି ଢିଲା ସୁରକ୍ଷା ? କେମିତି ଆଗୁଆ ସୁରାଗ୍ ପାଇପାରିଲାନି ଗୁଇନ୍ଦା ? ଯଦି ଗୁଇନ୍ଦା ସୂଚନା ଦେଇଥିଲା ତେବେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କାହିଁକି ରୋକିପାରିନଥିଲେ ବିକ୍ଷୋଭକାରୀଙ୍କୁ ? ଯଦି କୌଣସି ବଡ଼ ଅଘଟଣ ଘଟିଥାନ୍ତା, ଦାୟୀ ହୋଇଥାନ୍ତା କିଏ ? ଏବେ ଏଭଳି ନାନା ପ୍ରଶ୍ନ ନାନା ଚର୍ଚ୍ଚା। ହେଲେ ପୋଲିସର କିନ୍ତୁ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738343946.jpg)