/odishatv-khabar/media/post_attachments/uploadimage/library/16_9/16_9_0/Husband_1752405110.jpg)
Husband
କର୍ଣ୍ଣାଟକର ରାୟଚୁର ଜିଲ୍ଲାର ଗୁର୍ଜାପୁର ବ୍ରିଜ୍ ନିକଟରେ କ୍ରିଷ୍ଣା ନଦୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଯେଉଁଥିରେ ଜଣେ ନବବିବାହିତା ତାଙ୍କ ସ୍ୱାମୀଙ୍କୁ ଫଟୋ ଉଠାଇବାକୁ କହି ଭରା ନଦୀକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗତ ୧୨ ତାରିଖରେ ଘଟିଛି । ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।
ଏହି ପତିପତ୍ନୀଙ୍କର ୩ ମାସ ତଳେ ବିବାହ ହୋଇଛି । ସେମାନେ ଏକ ବାଇକରେ ଯାଉଥିଲେ । ଗୁର୍ଜାପୁର ବ୍ରିଜ୍ ନିକଟରେ ପତ୍ନୀ ଗାଡି ଅଟକାଇ ଫଟୋ ଉଠାଇବାକୁ କହିଥିଲେ । ସ୍ୱାମୀ ରାଜି ହୋଇ ପତ୍ନୀଙ୍କ ଫଟୋ ଉଠାଇଥିଲେ । ଏହା ପରେ ସ୍ୱାମୀ କହିଥିଲେ, ମୋର ବି ଫଟୋ ଉଠାଅ । ପତ୍ନୀ ବ୍ରିଜରେ ସ୍ୱାମୀଙ୍କ ଫଟୋ ଉଠାଇବାକୁ ପ୍ରସ୍ତୁତ ହୋଇଥିଲେ । ସ୍ୱାମୀ ଫଟୋ ପାଇଁ ପୋଜ୍ ଦେବା ପରେ ପତ୍ନୀ କହିଥିଲେ, ଆଉ ଟିକିଏ ପଛକୁ ଯାଅ । ଏହା ପରେ ସ୍ୱାମୀଙ୍କ ପାଖକୁ ଯାଇ ପତ୍ନୀ ନଦୀ ଭିତରକୁ ତାଙ୍କୁ ଠେଲି ଦେଇଥିଲେ । ସ୍ୱାମୀ ନଦୀ ଭିତରକୁ ଖସି ପଡିଥିଲେ ।
ନଦୀରେ ଏବେ ବହୁତ ପାଣି ଅଛି । ପ୍ରବଳ ବର୍ଷା ପରେ କ୍ରିଷ୍ଣା ନଦୀ ଏବେ ଫୁଲିଯାଇଛି । ନଦୀରେ ସୁଅ ବି ଜୋର୍ ଅଛି । ଏଭଳି ସ୍ଥିତିରେ ସ୍ୱାମୀ ନଦୀରେ କିଛି ବାଟ ଭାସି ଯାଇଥିଲେ । କିନ୍ତୁ ସୌଭାଗ୍ୟ କ୍ରମେ ଏକ ପଥରରେ ତାଙ୍କ ହାତ ଲାଗି ଯାଇଥିଲା । ସେ ପଥରକୁ ଜାବୁଡି ଧରି ବଞ୍ଚାଇବାକୁ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକମାନେ ଆସି ବ୍ରିଜ ପାଥରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ନଦୀରେ ଅଧିକ ପାଣିଥିବାରୁ ଉଦ୍ଧାରକାର୍ଯ୍ୟ ସହଜରେ ହୋଇପାରିନଥିଲା । ସ୍ଥାନୀୟ ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରି ଦଉଡି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ ।
ଉଦ୍ଧାର ପରେ ସ୍ୱାମୀ କିଛି ସମୟ ବ୍ରିଜ ଉପରେ ବିଶ୍ରାମ ନେଇଥିଲେ । ପତ୍ନୀ ତାଙ୍କୁ ନଦୀକୁ ଠେଲି ଦେଇଥିବାର ସେ ଅଭିଯୋଗ କରିଥିଲେ । ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ଲାଗିଥିଲା । ପତ୍ନୀ ଠେଲି ନାହାନ୍ତି ବୋଲି ବାରମ୍ୱାର ସଫେଇ ଦେଇଥିଲେ । ଏହା ପରେ ଦୁଇ ଜଣଯାକ ବାଇକରେ ଚାଲି ଯାଇଥିଲେ ।
ତେବେ ସ୍ୱାମୀ ଏ ସଂପର୍କରେ ପୋଲିସ ନିକଟରେ କିଛି ଅଭିଯୋଗ କରିନାହାନ୍ତି । କିନ୍ତୁ ଭାଇରାଲ୍ ହେଉଥିବା ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପତ୍ନୀଙ୍କୁ ମଧ୍ୟ ଏହି ଘଟଣାରେ ପଚରାଉଚରା କରାଯାଇଛି ।
ପୋଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ ଏହି ଘଟଣା ପଛରେ ପାରିବାରିକ ବିବାଦ, ବୈବାହିକ ଅସନ୍ତୋଷ କିମ୍ବା ଅନ୍ୟ କୌଣସି କାରଣ କହିଛି କି ନାହିଁ ।
ସାମାଜିକ ଗଣମାଧ୍ୟମରେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାର ଭିଡିଓ X ସମେତ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ଅନେକ ଲୋକ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଓ କ୍ଷୋଭ ପ୍ରକାଶ କରିଛନ୍ତି। କେହି ଏହାକୁ “ହାଇଡ୍ରାମା” ଭାବେ ବର୍ଣ୍ଣନା କରିଛନ୍ତି, ଆଉ କେହି ଏହାକୁ ଗମ୍ଭୀର ଅପରାଧ ଭାବେ ଦେଖୁଛନ୍ତି। ଏହା ସହ ବୈବାହିକ ସମ୍ପର୍କରେ ବିଶ୍ୱାସ ଓ ନିରାପତ୍ତା ଉପରେ କେହି କେହି ପ୍ରଶ୍ନ ଉଠାଇଛନ୍ତି। ଜଣେ ନବବିବାହିତା ମହିଳାଙ୍କ ଏଭଳି କାର୍ଯ୍ୟକୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)