ପୁଣି କିଟ୍, ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏବଂ ତା’ପରବର୍ତ୍ତୀ ଘଟଣାକ୍ରମକୁ ନେଇ ରାଜ୍ୟରୁ ସାରା ଦେଶ ସ୍ତବ୍ଧ ଥିବାବେଳେ ଅଢ଼େଇ ମାସର ବ୍ୟବଧାନ ପରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ, ଚହଳ ପକାଇଛି ଚାରିଆଡ଼େ । କାରଣ ଫେବୃୟାରୀ ୧୬ରେ ଯେଉଁ ହଷ୍ଟେଲରେ ଅଘଟଣ ଘଟିଥିଲା, ସେହି ହଷ୍ଟେଲରେ ହିଁ ଗତରାତିରେ ଅନ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ ଯାଇଛି । ଯାହାକୁ ନେଇ ବୈଦେଶିକ ମନ୍ତ୍ରାଳୟଠାରୁ ଆରମ୍ଭ କରି ନେପାଳ ଦୂତାବାସ ଯାଏଁ, ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜାତୀୟ ମାନବାଧିକାର କମିଶନଙ୍କ ଯାଏଁ ଉଦବେଗ ପ୍ରକାଶ କରିଛନ୍ତି। ସେପଟେ ପରିବାର ଲୋକ ପହଞ୍ଚିବା ପରେ ଆଜି ମୃତ ଛାତ୍ରୀଙ୍କ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଲେ NHRC, କମିଶନ୍ ସଦସ୍ୟ କହିଲେ ‘ଖୁବଶୀଘ୍ର ହେବ ତଦନ୍ତ’
ପୁଣି ସେହି କିଟ୍ । ପୁଣି ସେହି କୁଇନ୍ସ ହଷ୍ଟେଲ୍ । ପୁଣି ସେହି ନେପାଳୀ ଛାତ୍ରୀ । ସ୍ତବ୍ଧ ନେପାଳ ଦୂତାବାସ । ଉଦବେଗ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ । କାରଣ ମୃତ୍ୟୁର ଧାରାରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଯାଇଛି ନିରୀହ ଜୀବନ । ଯାହାଙ୍କ ନାଁ ପ୍ରୀଶା ଶାହ । ବିଟେକ୍ କମ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ରୀ । ଘର ନେପାଳ ବୀରଗଞ୍ଜ । ଫେବ୍ରୁୟାରୀ ୧୬ରେ ଯେଭଳି ଢଙ୍ଗରେ ମିଳିଥିଲା ପ୍ରକୃତିଙ୍କ ମୃତଦେହ, ସେହି ଢଙ୍ଗରେ କୁଇନ୍ସ ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା ପ୍ରୀଶାଙ୍କ ଡେଡବଡ଼ି ।
ସୂଚନା ଅନୁଯାୟୀ, ସମୟ ସଂଧ୍ୟା ପ୍ରାୟ ସାଢ଼େ ୭ଟା । କ୍ୟାମ୍ପସରେ ଚହଳ ପଡ଼ିଲା, ପ୍ରୀଶାଙ୍କୁ ନେଇ । କାରଣ ଭିତର ପଟୁ ରୁମ୍ ଲକ୍ ଥିଲା, ତାହାରି ଭିତରେ ନିସ୍ତେଜ୍ ହୋଇଯାଇଥିଲେ ନେପାଳୀ ଛାତ୍ରୀ । ଶେଷରେ ତାଙ୍କୁ ଉଦ୍ଧାର କରି କିମ୍ସକୁ ନିଆଯାଇଥିଲେ ବି ମୃତ ଘୋଷଣା କରିଥିଲେ ଡାକ୍ତର । ଏ ସଂପର୍କରେ ଖବର ପାଇ ଦଳବଳ ସହ ସିପି, ଡିସିପି, ଅତିରିକ୍ତ ଜିଲ୍ଲାପାଳ ପହଞ୍ଚିଥିଲେ କ୍ୟାମ୍ପସରେ । ତାହାରି ଭିତରେ କିମ୍ସରୁ ମରଶରୀକୁ ଧରି ବ୍ୟବଛେଦ ପାଇଁ ତୁରନ୍ତ ନିଆଯାଇଥିଲା ଭୁବନେଶ୍ବର ଏମ୍ସ ।
ତେବେ କାହିଁକି ହେଲା ପ୍ରୀଶାଙ୍କ ମୃତ୍ୟୁ ? ଏହା କେବଳ ଆତ୍ମହତ୍ୟା ନା ଆଉ କିଛି ? ମୃତ୍ୟୁ ପଛରେ ରହିଛି କି କାହା ଲିଙ୍କ୍ ? ଆଜି ଦିନତମାମ କମିଶନରେଟ୍ ପୋଲିସର ତନାଘନା ଭିତରେ ପ୍ରୀଶାଙ୍କ ସହପାଠୀ ଏବଂ ହଷ୍ଟେଲ୍ ୱାର୍ଡେନଙ୍କ ବୟାନ ରେକର୍ଡ କରାଯାଇଛି। ତା’ସହ ଘଟଣାସ୍ଥଳରେ ତଦନ୍ତ କରିବା ସହ ଏକ ଲ୍ୟାପଟପ୍ ଏବଂ ମୋବାଇଲକୁ ଜବତ କରିଛି ପୋଲିସ। କିନ୍ତୁ ମିଳିନାହିଁ କୌଣସି ସୁଇସାଇଡ୍ ନୋଟ୍ ।
ଅଢ଼େଇ ମାସର ବ୍ୟବଧାନ ପରେ ଆଉ ଜଣେ ବିଦେଶୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ। ଘଟଣା ସଂପର୍କରେ ମୃତକଙ୍କ ପରିବାର ଏବଂ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ରହିଛୁ । ମୃତକଙ୍କ ପରିବାରକୁ ଓଡ଼ିଶା ସରକାର ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ମନ୍ତ୍ରାଳୟ କହିଛି ।
ସେପଟେ କିଟ୍ ଛାତ୍ରୀ ମୃତ୍ୟୁର ନିରପେକ୍ଷ ତଦନ୍ତ ହେଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନେପାଳ ଦୂତାବାସ ଅନୁରୋଧ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଛି। ତାସହ କିଟ୍ ପ୍ରତିନିଧିଙ୍କୁ ଦୂତାବାସକୁ ଡାକି ଘଟଣା ସଂପର୍କରେ ପଚାରି ବୁଝିଛୁ ବୋଲି କୁହାଯାଇଛି । ଏଣେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଘଟଣାର ତଦନ୍ତ କରୁଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ।
ନେପାଳି ଛାତ୍ରୀ ପ୍ରୀଶାଙ୍କ ମୃତ୍ୟୁ ସଂପର୍କରେ କିଟ୍ କର୍ତ୍ତୃପକ୍ଷ ଏକ ପ୍ରେସ ରିଲିଜ୍ ଜାରି କରି ଦର୍ଶାଇଛନ୍ତି, ଘଟଣା ସଂପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଉପସ୍ଥିତିରେ ଛାତ୍ରୀଙ୍କୁ ଉଦ୍ଧାର କରି କିମ୍ସ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ପରବର୍ତ୍ତୀ ପଦକ୍ଷେପ ପାଇଁ ଭୁବନେଶ୍ବର AIIMSକୁ ପଠାଯାଇଥିଲା ମୃତଦେହ। ବିଶ୍ବବିଦ୍ୟାଳୟ ପକ୍ଷରୁ ମୃତ ଛାତ୍ରୀଙ୍କ ପରିବାରକୁ ତୁରନ୍ତ ସୂଚନା ଦିଆଯାଇଥିବା କିଟ୍ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746197720.jpg)