କି ସାହସ.. ମାନିବାକୁ ପଡ଼ିବ ! ସରକାରୀ ଘରେ ମେଡିକାଲ ପରିସରରେ ଡାକ୍ତର ଖୋଲିଥିଲେ କ୍ଲିନିକ୍‌

ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ।

Nayagarh CDMO Raid

ସରକାରୀ କ୍ୱାର୍ଟର୍ସରେ କ୍ଲିନିକ୍ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ । ହଠାତ ଚଢ଼ାଉ କଲେ ସିଡିଏମଓ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏ ଘଟଣା । ମେଡିକାଲ ପରିସରରେ ଥିବା କ୍ୱାର୍ଟର୍ସରେ ଶିଶୁ ରୋଗ ବିଶେଷଜ୍ଞ ଆଶିଷ ଦୀକ୍ଷିତ କ୍ଲିନିକ ଚଲାଇବା ସହ ରୋଗୀ ପିଛା ୩୦୦ ଟଙ୍କା ଫି’ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଖବର ପାଇ ନୟାଗଡ଼ ସିଡିଏମଓ ଅଚାନକ ଚଢାଉ କରିଥିଲେ । ଘଟଣାରେ ଡାକ୍ତରଙ୍କ ଦୁଇ ବ୍ୟକ୍ତିଗତ ସହଯୋଗୀଙ୍କୁ ମେଡିକାଲ ଫାଣ୍ଡିରେ ଅଟକ ରଖାଯାଇଛି । ମେଡିକାଲ ପରିସରରେ ଏଭଳି କ୍ଲିନିକ ଖୋଲିବା ବେଆଇନ ବୋଲି କହିଛନ୍ତି ସିଡିଏମଓ ମକରନ୍ଦ ବେଉରା ।

ଆଜି ପ୍ରାୟ ସକାଳ ସାଢେ ୭ଟା ପରେ ଡାକ୍ତର ଆଶିଷ ଦୀକ୍ଷିତଙ୍କ ସରକାରୀ କ୍ୱାର୍ଟର୍ସ ସମ୍ମୁଖରେ ଦେଖିବାକୁ ମିଳିଥିଲା ଅସମ୍ଭବ ଭିଡ଼ । ପ୍ରାୟ ୧୦୦ ପାଖାପାଖି ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ଉକ୍ତ ସମୟରେ ସିଡିଏମ୍‌ଓ ମକରନ୍ଦ ବେଉରା ପୋଲିସ୍‌ ଟିମ୍‌ ସହ ହଠାତ୍‌ ଡାକ୍ତରଙ୍କ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। 

ଏନେଇ ସିଡିଏମ୍‌ଓ କହିଛନ୍ତି, ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ।  ଡାକ୍ତରଜଣକ ଓପିଡି ଆସୁ ନ ଥିବା ଅଭିଯୋଗ ହେଉଥିବା ବେଳେ ଉକ୍ତ ସମୟରେ ସେ ଘରେ ରୋଗୀ ଦେଖୁଛନ୍ତି । ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ନ ହୋଇ କ୍ୟାମ୍ପସରେ ଘରୋଇ ଭାବେ ଚିକିତ୍ସିତ ହେବା ସମୀଚିନ ନୁହେଁ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିଏମ୍‌ଓ ।