• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେମିତି ପ୍ରାଣ ହରାଇଲା ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ? ୨ ମାସ ତଳର ଘଟଣା ଏବେ ସାମ୍ନାକୁ ଆସିବା ପରେ କିଏ କହୁଛି ପ୍ରେମଜନିତ ସୁଇସାଇଡ୍ ତ ଆଉ କାହାର ଆଶଙ୍କା ଅନରକିଲିଂ । କାରଣ ମରଣ ପଛର ସତ କାହାଣୀକୁ ଚାପି ଦେବାକୁ ମିଳିତ ଷଡ଼ଯନ୍ତ୍ରର ସୁରାଗ୍ ଆସିଛି ସାମ୍ନାକୁ । ମାମଲାର ରଫାଦଫା ସଂପର୍କିତ ଜଣେ ବିଜେଡ଼ି ନେତାଙ୍କ ଅଡ଼ିଓ ପରେ ପୋଲିସ ଦପ୍ତରଠୁ ପଲିଟିକାଲ୍ ମୈଦାନ ଯାଏଁ ହୁଲସ୍ତଲ୍ ହୋଇଛି । ଶେଷରେ ପୋଲିସ ସକ୍ରିୟ ହେବା ସହ ଖୋଳତାଡ଼ ଆରମ୍ଭ କରିଛି । ଏସବୁ ଭିତରେ ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।

ଜୁନ୍ ୧୮ରୁ ଅଗଷ୍ଟ ୧୭ । ୧୫/୧୬ ବର୍ଷ ବୟସର ନାବାଳିକାଟିଏ ଆଜି ଯେଭଳି ପ୍ରାଣ ହରାଇଲା ମାହାଙ୍ଗା ଅଞ୍ଚଳରେ, ୨ ମାସ ପରେ ଚେତା ପଶିଛି ପୋଲିସର । ପୋଲିସ ଦପ୍ତରଠୁ ପଲିଟିକାଲ୍ ମୈଦାନ ଯାଏଁ ହୁଲସ୍ତୁଲ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ଼ । ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲ୍ କ୍ରୀଡ଼ା ଶିକ୍ଷକ ଅନୁପମ ରାୟଙ୍କ ଘରେ ପହଞ୍ଚିଛି ପୋଲିସ । କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମା’ଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି । କାରଣ ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଇଥିବା ଏହି ଛାତ୍ରୀଙ୍କ ସହ ସଂପୃକ୍ତ କ୍ରୀଡ଼ା ଶିକ୍ଷକଙ୍କ କୁଆଡ଼େ ଥିଲା ପ୍ରେମ ସଂପର୍କ। ଯାହା ପ୍ରମାଣିତ କରିଛି ଲିକ୍ ହୋଇଥିବା ଏକ ଅଡିଓରେ ।

ମାହାଙ୍ଗାର ବିଜେଡି ନେତା ଶରତ ନାୟକ ଏବଂ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ରହିଛି ସେହି ଅଡିଓରେ। ଯେଉଁଥିରେ ବିନା ପୋଷ୍ଟମର୍ଟମରେ ମୃତଦେହକୁ ପୋଡ଼ିବା, ଅର୍ଦ୍ଧଦଗ୍ଧ ଶରୀର ଓ ପାଉଁଶକୁ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ନଦୀରେ ଭସାଇଦେବା ଏବଂ ମାମଲାର ରଫାଦଫା ପାଇଁ ୭୦ ହଜାର ଟଙ୍କାର ଡିଲ୍ କଥା ରହିଛି । ପୋଲିସ ଏହାର ସତ୍ୟତା ଜାଣିବା ପାଇଁ ଆଜି କ୍ରୀଡ଼ା ଶିକ୍ଷକ ଏବଂ ତାଙ୍କ ମା’ଙ୍କଠୁ ବୟାନ ରେକର୍ଡ କରିଛି ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ? କାରଣ ଭାଇରାଲ୍ ହେଉଥିବା ଏକ ହାତଲେଖା ଚିଠିରେ ସଂପୃକ୍ତ ଛାତ୍ରୀଙ୍କୁ ତାଙ୍କ ବାପା ହତ୍ୟା ଉଦ୍ୟମ କରିଥିବା ଦର୍ଶାଯାଇଛି । ଯଦି ଏହା ସତ ତେବେ କାହିଁକି ? କ୍ରୀଡ଼ା ଶିକ୍ଷକଙ୍କ ସହ ଥିବା ପ୍ରେମ ସଂପର୍କକୁ ବିରୋଧ କରି କୌଣସି ଅନରକିଲିଂ କରାଯାଇନି ତ ? ନା ଘଟଣା ପ୍ରଘଟ ପରେ ନିଜେ ବିଷ ପିଇଦେଲେ ଛାତ୍ରୀ ? ଗତକାଲି ପ୍ରତିକ୍ରିୟାରେ ସଂପୃକ୍ତ ଛାତ୍ରୀଙ୍କ ବାପା କହିଥିଲେ କିିଛି ଲୋକ ବଦନାମ ପାଇଁ ଉଦ୍ୟମ କରୁଛନ୍ତି । ତେବେ କିଏ ସେହି ବ୍ୟକ୍ତି ?

ପ୍ରଭାବଶାଳୀ ବିଜେଡ଼ି ନେତା ପ୍ରତାପ ଜେନାଙ୍କ ଲିଙ୍କରେ ଥିବା ଶରତ ନାୟକଙ୍କ ଆଡ଼କୁ ସେ ଇଙ୍ଗିତ କରୁଛନ୍ତି କି ? କାରଣ ମାମଲାର ରଫାଦଫା ପାଇଁ ଉଦ୍ୟମ କରିଥିବା କଥା ଶରତ ନାୟକଙ୍କ ଅଡ଼ିଓରେ ରହିଛି । କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସେ ଏହି ସ୍ପର୍ଶକାତର ମାମଲାର ରଫାଦଫା ଉଦ୍ୟମ କରୁଥିଲେ ? ଏହି କଥାକୁ ଗତକାଲି ବାଆଁରେଇ ଦେଇଥିବା ଶରତ ନାୟକ ଆଜି ଘରେ ନଥିବାରୁ ଓ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି ।

ଏସବୁ ବ୍ୟତୀତ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏଭଳି ସ୍ପର୍ଶକାତର ଘଟଣା ସଂପର୍କରେ ପୋଲିସର ନୀରବତା । ଅଡ଼ିଓରେ SDPO ଏବଂ ଆଇଆଇସିଙ୍କ ନାଁ ଥିଲେ ବି ପୋଲିସ ନିଜ ଆଡୁ ମାମଲା ରୁଜୁ ନକରିବା ପଛର ଉଦ୍ଦେଶ୍ୟ କ’ଣ ? ଏବେ ଏଭଳି ନାନା ଚର୍ଚ୍ଚା ହେଉଥିବାବେଳେ ବିଜେଡି କିମ୍ବା ବିଜେଡି ନେତା ପ୍ରତାପ ଜେନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ତେଣେ ଘଟଣା ପ୍ରଘଟ ପରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ମହିଳା କମିଶନ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଗ୍ରାମାଞ୍ଚଳ ଏସପିଙ୍କୁ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ମନ୍ଦାକିନୀ କର । ସେହିପରି ମୃତ୍ୟୁପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ଚାଇଲଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ।

  • Reported by:
  • PRAVAT BISOI , CHANDAN PAIKRAY , Manoj Acharya , Sashank Sekhar Panda