• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ଆଉ ଏକ ମର୍ଡର ମିଷ୍ଟ୍ରି । ହତ୍ୟା ନା ଆତ୍ମହତ୍ୟା ? ନା କେହି ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ନା କୌଣସି ପ୍ରମାଣ ମିଳିଛି । ବୁଧବାର ରାତିରେ ବର୍ବରକାଣ୍ଡ ଘଟିଛି ଇନଫୋସିଟି ଥାନା ଶିଖରଚଣ୍ଡି ପାହାଡ଼ ଉପରେ । ମୃତକ ହେଉଛନ୍ତି ନନ୍ଦନକାନନ ବାଲିପଡ଼ା ଗାଁର ଅବିନାଶ ପ୍ରଧାନ । ପେଶାରେ ସେ ଜଣେ ସଫ୍ଟେଓ୍ବୟାର ଇଂଜିନିୟର । ଭୁବନେଶ୍ୱରର ଏକ କମ୍ପାନୀରେ ନିୟୋଜିତ ଥିଲେ ଅବିନାଶ । ଅଫିସକୁ ଯାଇ ପୁଅ ଘରକୁ ନଫେରିବାରୁ ଅବିନାଶଙ୍କୁ ତାଙ୍କ ବାପା ବାରମ୍ବାର ଫୋନ୍ କରିଥିଲେ ସଂଧ୍ୟାରୁ ରାତି ଯାଏଁ ।

ଶେଷଥର ପାଇଁ ରାତି ୮ଟା ୨୪ରେ ଫୋନ୍ କଲ୍ ଏବଂ ରାତି ପ୍ରାୟ ୧୦ଟା ୧୦ ମିନିଟରେ ହ୍ୱାଟ୍ସଆପ୍ ଚାଟରେ କେବଳ ଯାହା ଉତ୍ତର ପାଇଥିଲେ ବାପା ଲଳାଟେନ୍ଦୁ । ଅବିନାଶ କହିଥିଲେ ଜଲଦି ଘରକୁ ଆସିବି । ହେଲେ ଏହାର କିଛି ଘଣ୍ଟା ପରେ ଇନଫୋସିଟି ପୋଲିସ ଫୋନ୍ କରିଥିଲା ଅବିନାଶଙ୍କ ବାପାଙ୍କୁ । ଆଉ ମେଡ଼ିକାଲ୍ ଡକାଇଥିଲା । ସେତେବେଳକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶିଖରଚଣ୍ଡି ପାହାଡ଼ରୁ ଅବିନାଶଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । କିନ୍ତୁ ମେଡ଼ିକାଲ୍ ନେବା ବାଟରେ ହିଁ ମୃତ୍ୟୁ ହୋଇଯାଇଥିଲା ଅବିନାଶଙ୍କର । ବାପାଙ୍କ ଅଭିଯୋଗ, ପୁଅକୁ ହତ୍ୟା କରାଯାଇଛି ।

ତେବେ ଅବିନାଶଙ୍କ ଏଭଳି ମୃତ୍ୟୁ ପଛର ରହସ୍ୟ କଣ ? ଯଦି ହତ୍ୟା, ତେବେ କିଏ ଓ କାହିଁକି ନିଆଁରେ ଜାଳିପୋଡ଼ି ଏଭଳି ଭାବେ ହତ୍ୟା କରିଛି ? ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଏକ ବାଇକ୍, ବ୍ୟାଗ୍ ଓ ଗତ ଏପ୍ରିଲ ୨୦ ତାରିଖ ଥିବା ହାତଲେଖା କାଗଜ ମିଳିଛି ।

ସେପଟେ ଏହି ହାତ ଲେଖା ପୁଅ ଅବିନାଶର ବୋଲି ଚିହ୍ନଟ କରିଛନ୍ତି ବାପା ଲଳାଟେନ୍ଦୁ । ତାହେଲେ କଣ ଏହି ଭାବବିହ୍ୱଳ ଚିଠି ପଛରେ ରହିଛି କି ପ୍ରେମ ସମ୍ପର୍କର ରହସ୍ୟ ? ନିଜ ପ୍ରେମିକାଙ୍କୁ ଏଭଳି ଚିଠି ଲେଖିଥିଲେ କି ଅବିନାଶ ? କୁହାଯାଉଛି, ସଂପୃକ୍ତ ଯୁବତୀ ଜଣକ ଅବିନାଶଙ୍କ ନିଜ ଗାଁ ଇଲାକାର । ମୃତ୍ୟୁ ପୂର୍ବରୁ ସଂପୃକ୍ତ ଯୁବତୀଙ୍କୁ ଏକାଧିକ ଥର ଫୋନ୍ କଲ୍ ଯାଇଛି ଅବିନାଶଙ୍କ ମୋବାଇଲରୁ ।

ତେବେ କୌଣସି ଅନ୍ତରଙ୍ଗ ସମ୍ପର୍କରେ ତିକ୍ତତା ଆଉ ସେହି ତିକ୍ତତାରୁ ଘଟିଗଲା କି କୌଣସି ଅଘଟଣ ? କିଏ ତାଙ୍କୁ ରାସ୍ତାରୁ ହଟାଇବାକୁ ଏଭଳି ହତ୍ୟାକାଣ୍ଡ ଭିଆଇ ନି ତ ? ନା ଏଭଳି ମୃତ୍ୟୁ ପଛରେ ରହିଛି ଅନ୍ୟ କୌଣସି ବିବାଦ ? ଡିସିପି କହିଛନ୍ତି, ଏନେଇ ଦଫା ୩୦୨ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଉଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ସବିଶେଷ ତଥ୍ୟ ପଦାକୁ ଆସିବ ।