ପାର୍ବଣ ଋତୁରେ ରାଜଧାନୀରେ ହତ୍ୟା ! ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ୟୁନିଟ୍-୮ର ଏକ ବସ୍ତି ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ସଂଘବଦ୍ଧ ହୋଇ କିଛି ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କଲେ ।

Bhubaneswar Crime

ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ଦିନକୁ ଦିନ ରଜଧାନୀରେ ବଢ଼ୁଛି ଅପରାଧ । ଯେମିତି କି ରାଜଧାନୀ ପାଲଟିଯାଇଛି ଅପରାଧୀଙ୍କ ଅଡ୍ଡାସ୍ଥଳୀ । ନିଇତି ଖବର କାଗଜରେ ପ୍ରକାଶ ପାଉଛି ଅପରାଧର କାହାଣୀ । 

ଏବେ ପୁଣି ରାଜଧାନୀରେ ଏକ ହତ୍ୟକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା । ନିଶା ବେପାରୀମାନେ ସଂଘବଦ୍ଧ ହୋଇ ବାଡ଼େଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳରେ ଚାଲିଥିବା ନିଶା କାରବାରକୁ ବିରୋଧ କରିବାରୁ ଚନ୍ଦୁ ନାମକ ଜଣେ ଯୁବକଙ୍କୁ ଗତ ରାତିରେ ହତ୍ୟା କରାଯାଇଛି । ଚନ୍ଦୁଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ, ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିଲା । ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ସମୟ କାଟି ଫେରିଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ ।

ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଆଉ ଗତ ରାତିରେ ଚନ୍ଦୁଙ୍କୁ ସଂଘବଦ୍ଧ ହୋଇ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ ଗୁରୁତର ଅବସ୍ଥାରେ ଚନ୍ଦୁଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଚନ୍ଦୁଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ନିଶା କାରବାର ନେଇ ପୋଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ତାଙ୍କୁ ହତ୍ୟା କରିଛନ୍ତି । ସେପଟେ ଚନ୍ଦୁଙ୍କ ସହ ଥାଇ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଜଣେ ୟୁବକଙ୍କ କହିବା ଅନୁସାରେ, ହତ୍ୟା ପଛରେ ଦେହ ବ୍ୟବସାୟୀର ଲିଙ୍କ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।