• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ନିଜର ଅପହରଣ ନାଟକ ରଚିଲେ ଛାତ୍ରୀ । ଇନ୍ଦୋରରେ ଘର ହୋଇଥିବା ବେଳେ ସହର ଠାରୁ ୫୦ କିମି ଦୂର ଉଜ୍ଜୟିନୀକୁ ପଳାଇଲେ ୧୭ ବର୍ଷିୟ ନାବାଳିକା । କଳା ବିଭାଗରେ ପ୍ରଥମ ବର୍ଷରେ ପାଠ ପଢ଼ୁଥିବା ଛାତ୍ରୀ ଜଣକ ନିଜ ଅପହରଣର ଏପରି କାହାଣୀ ରଚିଥିବା ସୂଚନା ଦେଇଛି ପୋଲିସ୍ । ତେବେ ଅଭିଯୋଗ ପରେ ଛାତ୍ରୀଙ୍କୁ ଉଜ୍ଜୟିନୀରୁ ଉଦ୍ଧାର କରାଯାଇ ଶନିବାର ଦିନ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଗତ ଶୁକ୍ରବାର ଦିନ ଝିଅ ଅପହୃତ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀଙ୍କ ବାପା । ପରୀକ୍ଷା ଫଳ ବାହାରିବାର କିଛି ସମୟ ପରେ କଲେଜରୁ ଘରକୁ ଆସିବା ବାଟରେ ଏକ ମନ୍ଦିର ନିକଟରୁ ଝିଅକୁ ଅପହରଣ କରିନିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗରେ ଛାତ୍ରୀଙ୍କ ବାପା ଉଲ୍ଲେଖ କରିଥିଲେ, ଏକ ଅଜ୍ଞାତ ନମ୍ବରରୁ ଝିଅର କଲ୍‌ ଆସିଥିଲା । ଇନ୍ଦୋର୍‌ରୁ କେହି ତାକୁ ଅପହରଣ କରି ନେଇଥିବା ନେଇ ସେ ଫୋନ୍ କରି ଘରେ ଜଣାଇଛି । କଲେଜରୁ ଫେରିବା ସମୟରେ ଜଣେ ଶିକ୍ଷକ ତାକୁ ମନ୍ଦିର ନିକଟ ଛକରେ ଓହ୍ଲାଇ ଦେବା ପରେ ସେ ଗୋଟାଏ ଇ-ରିକ୍ସା ଚଢ଼ିଥିଲେ । ହେଲେ ଇ-ରକ୍ସା ଡ୍ରାଇଭର୍ ତାଙ୍କୁ ଏଭ ଭିନ୍ନ ସ୍ଥାନକୁ ନେଇ ଜୋରଜବରଦସ୍ତି ମୁହଁରେ କପଡ଼ା ବାନ୍ଧି ତାକୁ ଅଚେତ କରି ଦେଇଥିଲେ । ଆଉ ତା’ପରେ କୁଆଡ଼େ ନେଇଯାଇଥିଲେ ।

ଅଭିଯୋଗ ଆଧାରରେ ସିସିଟିଭି ଫୁଟେଜ୍‌ ଅଣ୍ଡାଳିବା ପରେ ଛାତ୍ରୀଙ୍କ କାରନାମା ଧରାପଡ଼ିଥିଲା । ଛାତ୍ରୀ କହିଥିବା ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରାର ସେଭଳି କୌଣସି ଦୃଶ୍ୟ କଏଦ୍‌ ହୋଇନଥିଲା । ଅନ୍ୟପଟେ ପୋଲିସ୍‌ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ସହ ଛାନଭିନ୍‌ ଜାରି ରଖିଥିଲା ।

ସେହି ସମୟରେ ଅଭିଯୋଗକାରୀ ବାପା ଦେଇଥିବା ଝିଅର ‌ଫଟୋ ସହିତ ଉଜ୍ଜୟିନୀର ଏକ ରେଷ୍ଟୁରାଣ୍ଟରେ ଏକା ବସିଥିବା ଜଣେ ଝିଅର ଫଟୋ ସହିତ ମେଳ ଖାଉଥିଲା । ତା’ପରେ ଛାତ୍ରୀଙ୍କୁ ଇନ୍ଦୋର୍ ଅଣାଯାଇ ବ୍ୟାଗ୍‌ ଯାଞ୍ଚ କରାଯାଇଥିଲା । ସେଥିରୁ ଖଣ୍ଡେ ଇନ୍ଦୋର-ଉଜ୍ଜୟିନୀ ବସ୍‌ ଟିକେଟ୍‌ ଏବଂ ତାଙ୍କୁ ଉଦ୍ଧାର କରାଯାଇଥିବା ରେଷ୍ଟୁରାଣ୍ଟର ବିଲ୍‌ ମିଳିଥିଲା । ଏହାପରେ ଜଣେ ମହିଳା ପୁଲିସ ତାଙ୍କର କାଉନ୍‌ସେଲିଙ୍ଗ କରିଥିଲେ । ପରେ ଛାତ୍ରୀ ଜଣକୁ ତା’ଙ୍କ ବାପାମା’ଙ୍କୁ ହସ୍ତାନ୍ତର କରିଥିଲା ପୋଲିସ୍‌ ।