Advertisment

ନାଟକୀୟ ଭାବେ ପିହୁର ଅପହରଣ, ଆଶ୍ଚର୍ଯ୍ୟଜନକ ଢଙ୍ଗରେ ଉଦ୍ଧାର

ଗତକାଲି  ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ ।

ଅଦ୍ୟତନ ହୋଇଛି
undefined

Pihu Kidnap

Advertisment

ଉଷୁନା ଧାନ ଗଜା ହେଇଛି । ୬ ବର୍ଷର କୁନି ଝିଅ ଭଲ ଅଛି । ସବୁ ଆଶଙ୍କାକୁ ମାରି, ଛାତିରେ ଡରକୁ ଧରି, ଗାଁରେ ଖୁସି ଖେଳାଇ ଘରକୁ ଫେରିଛି । କାଲିଠୁ ଏବେ ଯାଏଁ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ପିହୁ ଅପହରଣର କ୍ଲାଇମାକ୍ସକୁ ନେଇ ସମସ୍ତେ ଆଶ୍ୱସ୍ତ । ପରିବାରକୁ ପୁଣି ଫେରିଛି ଆନନ୍ଦ ।

Advertisment

ପୂରା କାହାଣୀଟି ଏମିତି। କାଲି ଅପରାହ୍ଣ ୪ଟା ବେଳେ ଜେଜେ ମା ହାତ ଧରି ଟ୍ୟୁସନରୁ ଫେରିବା ବେଳେ ଦେବଗଡ଼ ଟାଉନ ଥାନାରୁ ମାତ୍ର ଶହେ ମିଟର ଦୂର ପୁଣି ଜନଗହଳି ପୂର୍ଣ୍ଣ ଷ୍ଟେଟ୍ ବ୍ୟାଙ୍କ ଛକରୁ କୁନି ଝିଅ ପିହୁକୁ ଅପହରଣ କରି ନେଇଥିଲେ ଦୁଇ ଦୁର୍ବୃତ୍ତ । ବାଇକରେ ଆସିଥିଲେ, ଆଈକୁ ଧକ୍କା ମାରି ନାତୁଣୀକୁ ଛ଼ଡ଼ାଇ ଆଖି ପିଛୁଳାକେ ଫେରାର ମାରିଥିଲେ ।

ଘଟଣା ସଂପର୍କରେ ଜାଣି ତୁରନ୍ତ ପୋଲିସରେ ଖବର ଦେଇଥିଲେ ବାପା ତଥା ବ୍ୟବସାୟୀ ଆଲୋକ ଅଗ୍ରୱାଲ୍। ସବୁ ଏକଜିଟ୍ ପଏଣ୍ଟରେ ନାକା କରି, ପଡ଼ୋଶୀ ଜିଲ୍ଲାକୁ ଖବର ଦେଇ ପୋଲିସ ତନାଘନା ଚଳାଇଥିଲେ ବି ବିଳମ୍ବିତ ରାତି ଯାଏଁ କିଛି ପତ୍ତା ନଥିଲା। ହେଲେ ରାତି ପ୍ରାୟ ୪ଟା ବେଳେ ଅତି ଆଶ୍ଚର୍ଯ୍ୟଜନକ ଭାବେ ସୁନ୍ଦରଗଡ଼ ଭୋଇପାଲିରେ ମିଳିଥିଲା ପିହୁର ସନ୍ଧାନ ।

Advertisment

ଆଉ ତା ପରର କାହାଣୀ । ବାଇକରେ ଧରି ଆସିଥିଲେ, ପରେ କାରରେ ପିହୁକୁ ନେଉଥିଲେ ବି, ଧରାପଡ଼ିଯିବା ଭୟରେ ହାଡ଼ ଭଙ୍ଗା ଜାଡ଼ ରାତିରେ ଭୋଇପାରିଲ ଲକ୍ଷ୍ମୀକାନ୍ତଙ୍କ ଘର ସାମ୍ନାରେ ଝିଅକୁ ଛାଡ଼ି ଚାଲିଯାଇଥିଲେ ଦୁର୍ବୃତ୍ତ। ହେଲେ ପିହୁର ସାହସ, ଧୈର୍ଯ୍ୟ ଓ ବୁଦ୍ଧିମତାକୁ ଦେଖନ୍ତୁ, ଦୁର୍ବୃତ୍ତଙ୍କ ପାଖରୁ ମୁକୁଳି ସେ ଆଉ ଜଣେ ଅଚିହ୍ନା ମଣିଷ ଆଡ଼କୁ ଧାଇଁ ଯିବା ସହ ବାପାଙ୍କ ଫୋନ୍ ନମ୍ବର ଦେଲା କଣ୍ଟାକ୍ଟ କରିବାକୁ ।

ଆଖିରୁ ଲୁହ ବୋହି ଯାଉଥିଲେ ବି ଲକ୍ଷ୍ମୀକାନ୍ତଙ୍କ ସହ ପରିବାର ସାଙ୍ଗରେ କଥା ହେଲା ପିହୁ । ଝିଅ ଏଇଠି ଭଲରେ ଥିବା ନେଇ ଲକ୍ଷ୍ମୀକାନ୍ତଙ୍କଠୁ ଆଶ୍ୱାସନା ପାଇବା ପରେ ପରିବାର ଲୋକଙ୍କ ଦେହରେ ଜୀବନ ପଶିଲା । ଆଉ ତୁରନ୍ତ ସୁନ୍ଦରଗଡ଼ ଆସି ଲକ୍ଷ୍ମୀକାନ୍ତଙ୍କ ପାଖରୁ ବାପା ଆଲୋକ ଝିଅ ପିହୁକୁ କୋଳେଇ ନେଇଥିଲେ ।

Advertisment

ଏହାପରେ ପରିବାର ଲୋକେ ପିହୁକୁ ପ୍ରଥମେ ଦେବଗଡ଼ ସଦର ହସପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଘରକୁ ନେଇଯାଇଥିଲେ । ଉତ୍ସବରେ ବୁଡ଼ିଥିଲେ ପଡ଼ୋଶୀ ଓ ପରିବାର। ଗେଲବସରର ଝିଅକୁ ଫେରି ପାଇ ମା, ଜେଜେ ମାଙ୍କ ଖୁସି ତ କହିଲେ ନସରେ।

ଯାହା ବି ହେଉ ପିହୁ ଫେରି ଆସିଛି। ପରିବାର ଲୋକେ ଖୁସିରେ ଝୁମୁଥିଲା ବେଳେ, ବଡ଼ କଥା ହେଉଛି ପିହୁକୁ ଅପହରଣ କରି ନେଇଥିବା ସେ ଦୁର୍ବୃତ୍ତ ଦୁହେଁ କିଏ ? ଅପହରଣ ପଛର କାରଣ କଣ ? ପରିବାର ଲୋକେ ସେମାନଙ୍କର କାହା ସହ ଶତ୍ରୁତା ନଥିବା କହୁଥିବାରୁ, ଟଙ୍କା ପାଇଁ ଅପହରଣ କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ତୁରନ୍ତ ଅପହରଣକାରୀଙ୍କ ଗିରଫ ଦାବି କରିଥିଲା ବେଳେ, ପୋଲିସ୍ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ କରୁଥିବା ଏସପି କହିଛନ୍ତି ।

Kidnapping Case Kidnap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ