ପଢ଼ା ମାତ୍ର ନବମ ଶ୍ରେଣୀ, କିନ୍ତୁ ଚୋରି କରି ବଞ୍ଚୁଥିଲା ଅୟସର ଜୀବନ

କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି ।

Loot

କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି । ତା ନିକଟରୁ ୨୧ ଲକ୍ଷ ଟଙ୍କା, ୭ କେଜି ରୂପା ଅଳଙ୍କାର ଜବତ ହୋଇଛି ।

ତା ନାଁରେ ରହିଛି ୫୦ରୁ ଅଧିକ ମାମଲା । ଏକାଧିକ ଥର ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଛି । କିନ୍ତୁ ଚୋରି ବନ୍ଦ କରିନି ପର୍ଶୁରାମ । ଅତି ଚାଲାକର ସହ ଲୋକଙ୍କ ଘରେ କଳାକନା ବୁଲାଉଥିଲା । ଯେଉଁ ଘର ବନ୍ଦ ଥିବ ସେହି ଘରୁ ଟାର୍ଗେଟ କରୁଥିଲା । ଖାଲି ପାଦରେ ଯାଇ ଝରକା ତାଡି ଲୋକଙ୍କ ଘରେ ପଶୁଥିଲା ।

ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରୁଥିଲା । କିନ୍ତୁ ଇଲେକଟ୍ରୋନିକ୍ସ ସାମଗ୍ରୀ ଚୋରି କରୁନଥିଲା । ଚୋରି କରିବା ପୂର୍ବରୁ ନିଜ ଫୋନକୁ ଫ୍ଲାଇଟ ମୋଡରେ ରଖୁଥିଲା । ଭୁବନେଶ୍ୱରରୁ ଚୋରି କରି ରାଜ୍ୟ ବାହାରକୁ ଯାଇ ସଉକ କରୁଥିଲା । ଦାମୀ ପୋଷାକ ପିନ୍ଧୁଥିଲା ।

ଏକାଧିକ ରାଜ୍ୟ ବୁଲିବା ସହ ସେଠାରେ ବଡ଼ ବଡ଼ ହୋଟେଲରେ ରହୁଥିଲା । ମୁମ୍ବାଇର ତାଜ ହୋଟେଲରେ ମଧ୍ୟ ସେ ଅନେକ ଥର ରହିଛି । ଭୁବନେଶ୍ୱରରେ ମଧ୍ୟ ନିଜର ଘର ଅଛି । ଯାହାକୁ ସେ ଭଡାରେ ଲଗାଇଥିଲା । ନିଜ ଗାଁରେ ମଧ୍ୟ ବଡ଼ ବଡ଼ ଘର କରିଛି । ତେବେ ପର୍ଶୁରାମ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଣା ପଡ଼ିଛି ।

ତା ଘର ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ । ପୋଲିସ ପର୍ଶୁରାମକୁ ଗିରଫ କରିବା ପରେ ରାଜଧାନୀରେ ଏବେ ଚୋରି କମିବ ବୋଲି କମିଶନରେଟ ପୋଲିସ ଆଶା ରଖିଛି ।