• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମିଲର୍ସ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ମିଲିଭଗତରେ ଚଳୁ ହୋଇଯାଇଛି ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି । ବିଶେଷ କରି ରାଜ୍ୟର ୫ ଜିଲ୍ଲା ଯଥା ଭଦ୍ରକ, ଜଗତସିଂପୁର, ସମ୍ବଲପୁର, କଳାହାଣ୍ଡି ଓ ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ଅଡିଟରେ ଧରାପଡ଼ିଛି ଏହି ବହୁ କୋଟି ଟଙ୍କାର ଦୁର୍ନୀତି । ତାମଧ୍ୟରେ ରହିଛନ୍ତି କଳାହାଣ୍ଡିର ସର୍ବାଧିକ ମିଲର୍ସ । ଏସବୁ ଭିତରେ କେଉଁ ମିଲ୍ ଭାଙ୍ଗିରୁଜି ଗଲାଣି ତ ଆଉ କେଉଁ ମିଲ୍ ଦେବାଳିଆ ହୋଇଗଲାଣି । ଏଭଳି ସ୍ଥିତିରେ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ୨୦୨୧, ଡିସେମ୍ବର ୨୭ରେ ଯୋଗାଣ ନିଗମ ଲେଖିଥିବା ଏହି ଚିଠି ଉପରେ ଥରେ ନଜର ପକାନ୍ତୁ । ସ୍ୱତନ୍ତ୍ର ଅଡିଟରେ ଦୁର୍ନୀତି ଧରାପଡ଼ିବା ପରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଣେ କି ଦୁଇ ଜଣ ନୁହଁନ୍ତି, ୧୧ କର୍ମଚାରୀଙ୍କ ବିରୋଧରେ ଜାନୁୟାରୀ ୧୫ ସୁଦ୍ଧା ଡ୍ରାଫ୍ଟ ଚାର୍ଜ ପାଇଁ ଚିଠି ହୋଇଛି ।

ଜିଲ୍ଲାସ୍ତରରେ କର୍ମଚାରୀଙ୍କୁ ସୁରକ୍ଷା ଦେଇଥିବା ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ଏହି ଚିଠି ଲେଖିଛନ୍ତି ନିଗମର ଏମଡି । ପୂର୍ବରୁ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଗମ ଚିଠି କରିଥିଲା । ମାତ୍ର ମାସେ ବିତିଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତାମଧ୍ୟରୁ ଜଣେ ହେଲେ ଭଦ୍ରକର ତତ୍କାଳୀନ ମାର୍କେଟିଂ ଇନିସପେର କ୍ଷୀରାବ୍ଦରାଜ ମହାପାତ୍ର । ଯିଏ ଭଦ୍ରକର ମଙ୍ଗଳମ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ମିଲ୍ ସହ ମିଶି ସର୍ବାଧିକ ୧୧ କୋଟି ୩୧ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି । କେବଳ ଭଦ୍ରକ ନୁହେଁ, କଳାହାଣ୍ଡିର ୬ଟି ମିଲ୍ ଏବଂ ସୁବର୍ଣ୍ଣପୁର, ସମ୍ବଲପୁର ଓ ଜଗତସିଂହପୁରର ଜଣେ ଲେଖାଏଁ ମିଲର ମାଲିକଙ୍କ ହାତ ମିଳାଇ କୋଟି କୋଟି ଟଙ୍କା ହରଣଚାଲ୍ କରିଦେଇଛନ୍ତି ୧୦ ଜଣ ସପ୍ଲାଇ ଇନ୍ସପେକ୍ଟର ।

 

ରାଜ୍ୟ ସରକାର ପ୍ୟାକ୍ସ, ଏସ୍ଏସ୍‌ଜି ଓ ମିଲର୍ସଙ୍କ ଜରିଆରେ ଚାଷୀଙ୍କ ଠୁ ଧାନ ସଂଗ୍ରହ କରିଥାନ୍ତି । ଆଉ ଦିଆଯାଉଥିବା ଧାନର ୬୮ % ଚାଉଳ ଆକାରରେ ମିଲର୍ସମାନେ ଯୋଗାଣ ନିଗମକୁ ଦେବା କଥା । ସେ ବାବଦରେ ସେମାନଙ୍କୁ ପରିବହନ ଓ ମିଲିଂ ଖର୍ଚ୍ଚ ମଧ୍ୟ ମିଳିଥାଏ । ଏହି କାରବାରରେ ସ୍ୱଚ୍ଛତା ପାଇଁ ପ୍ରତି ମିଲ୍ ଦାୟିତ୍ୱରେ ଯୋଗାଣ ବିଭାଗର ଏହି ୧୧ ଅଧିକାରୀ ରହିଥିଲେ । କିନ୍ତୁ ସ୍ୱତନ୍ତ୍ର ଅଡିଟ୍‌ରୁ ଜଣାପଡ଼ିଛି ଯେ, ଏହି ୧୧ ଅଧିକାରୀଙ୍କ ଯୋଗୁଁ ନିଗମର ପ୍ରାୟ ୨୪ କୋଟି ଟଙ୍କା ହଡ଼ପ ହୋଇଯାଇଛି ।

ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଅସାଧୁ ମିଲର୍ସଙ୍କୁ କେମିତି ଠାବ କରିବେ ସରକାର ଏବଂ କି କାର୍ଯ୍ୟାନୁଷ୍ଠାନ ନେବେ, ତାକୁ ଅପେକ୍ଷା ରହିଛି ।