ଜାଗା ମାଫିଆର ଖେଳ ଖତମ୍ ! କବଜାକୁ ଆସିଲା ଶହେ ବାଉନସରଙ୍କ ସର୍ଦ୍ଦାର...

ଦେଢ଼ମାସର ଲୁଚକାଳି ପରେ ରାଘବ ଜେନା ଗିରଫ । ଫୁଙ୍ଗୁଳା ଦେହରେ ଚଲେଇ ଚଲେଇ କୋର୍ଟଚାଲାଣ ।

Bhubaneswar Bouncer Gang Leader Arrested

ଜାଗା ମାଫିଆର ଖେଳ ଖତମ୍ । ପୋଲିସ କବଜାରେ ଶହେ ବାଉନ୍ସରଙ୍କ ସର୍ଦ୍ଦାର ରାଘବ ଜେନା । ପ୍ରାୟ ଦେଢ଼ ମାସର ଲୁଚକାଳି ଖେଳ ପରେ ରାଜଧାନୀରେ ମାଫିଆ ସାମ୍ରାଜ୍ୟ ଚଳାଇଥିବା ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଶେଷରେ ଗିରଫ କରିଛି ପୋଲିସ୍ । ଆଉ ସହଯୋଗୀ ସୌମ୍ୟରଞ୍ଜନ ସହ ଫୁଙ୍ଗୁଳା ଦେହରେ ରାସ୍ତାରେ ଚଲେଇ ଚଲେଇ କୋର୍ଟ ଚାଲାଣ କରିଛି । ବିବାଦୀୟ ଜମିକୁ ସେଟେଲମେଣ୍ଟ କରିବା ଆଳରେ ବାହୁ ବଳରେ ଜବରଦଖଲ କରି ଆତଙ୍କ ରଚିଥିବା ଗ୍ୟାଙ୍ଗ ମୁଖିଆର ଏବେ ଦୟନୀୟ ସ୍ଥିତି ।

ବିବାଦୀୟ ଜମିରେ ମୁଣ୍ଡ ପୂରେଇବା । ଲକ୍ଷ ଲକ୍ଷ ଟଙ୍କାର ଡିଲ ସାଙ୍ଗକୁ ସେଟେଲମେଣ୍ଟ ପାଇଁ ସୁପାରି ନେବା, ରାତି ଅଧିଆ ନିଜ ବାଉନସର ଗ୍ୟାଙ୍ଗକୁ ଲଗାଇ ଗନ୍ ପଏଣ୍ଟରେ ଜାଗା କି 
ଘର ଅକ୍ତିଆର କରିବା । ଇଏ ଥିଲା ରାଘବ ଆଣ୍ଡ କୋ’ର କ୍ରାଇମ୍ ସିଣ୍ଡିକେଟ୍ । ଏମିତିକି ଲେଡି ବାଉନସରଙ୍କୁ କାମରେ ଲଗାଇ ବି ଅପରାଧକୁ ଅପରେଟ୍ କରୁଥିଲା ରାଘବ । ଗୋଟିଏ କି ଦୁଇଟି ନୁହେଁ, ଏନେଇ ରାଜଧାନୀର ବିଭିନ୍ନ ଥାନାରେ ତା ନାଁରେ ମାଳ ମାଳ କେସ୍ । ଲକ୍ଷ୍ମୀସାଗରରୁ ନୟାପଲ୍ଲୀ, ଖଣ୍ଡଗିରି । ହତ୍ୟା ଉଦ୍ୟମ, ହତ୍ୟା ଧମକ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବାଠୁ ନେଇ ଡକାୟତି ଭଳି ସଙ୍ଗୀନ ମାମଲା ରାଘବର ବାଉନ୍ସର ଗ୍ୟାଙ୍ଗ ନାଁରେ ।

ଏମିତିକି ପେଶାଦାର ଅପରାଧୀ ବୋଲି ସିଆରପିସି ୧୧୦ ଧାରା ବି ଲାଗିଥିଲା ତା ବିରୋଧରେ । ତେବେ ଏହି ବାଉନ୍ସର ଗ୍ୟାଙ୍ଗ ସେତିକି ବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ, ନୂଆପଲ୍ଲୀ ଥାନାଠୁ ଅଳ୍ପ ଦୂରରେ ଏକ ବିବାଦୀୟ ଜାଗାକୁ ଅକ୍ତିଆର କରିବାକୁ ଏହା ଉପରେ ଥିବା ଏକ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ବୁଲଡୋଜର ଚଢ଼ାଇ ଦେଇଥିଲା । ପୋଲିସ ଆକ୍ସନ ମୋଡ୍‌କୁ ଆସିବା ପରେ ହିଁ ସାମ୍ନାକୁ ଆସିଲା ରାଜଧାନୀରେ ଅପରେଟ୍ କରୁଥିବା ବାଉନସର ଗ୍ୟାଙ୍ଗର ମାଫିଆ ରାଜ୍ । ବିଭିନ୍ନ ପର୍ଯ୍ୟାୟରେ ଦୁଇ ଲେଡି ବାଉନ୍ସରଙ୍କ ସହ ପୂର୍ବରୁ ୧୯ ଜଣ ଧରା ପଡ଼ିଥିଲେ । ଆଉ ପୋଲିସ ଆଖିରେ ଧୂଳି ଦେଇ ଭୁବନେଶ୍ୱର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଲୁଚି ବୁଲୁଥିବା ମାଷ୍ଟର ମାଇଣ୍ଡ ରାଘବ ଜେନା ଓ ସହଯୋଗୀ ସୌମ୍ୟରଞ୍ଜନ ରଣସିଂହକୁ ଆଜି ବାଙ୍କୀରୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସର ସ୍ପେଶାଲ ଟିମ୍ ।

ରାଘବର ଗିରଫଦାରୀ ପରେ ଏବେ ତାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ୍ ପୋଲିସ୍ ।