• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଅଶାନ୍ତ ମଣିପୁର । କିଛି ଦିନ ଶାନ୍ତି ଫେରିବା ପରେ ପୁଣି କୁହୁଳୁଛି ହିଂସାର ନିଆଁ । ଆଉ ଏହି ହିଂସାର ନିଆଁ, ଗୋଟିଏ ପରିବାରର ୩ ଜଣଙ୍କୁ ଜୀବନ୍ତ ଜାଳିଦେଇଛି । ଏକ ଆମ୍ବୁଲାନ୍ସରେ ଯାଉଥିବା ତିନି ଜଣଙ୍କୁ ଜିଅଁନ୍ତା ଜାଳିଦେଇଛନ୍ତି ଉଗ୍ରବାଦୀ । ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କର ସାତ ବର୍ଷର ଶିଶୁ ଓ ତାଙ୍କର ଜଣେ ସମ୍ପର୍କୀୟ ଅଛନ୍ତି । ମୃତକ ମହିଳା ଜଣକ ମେଇତି ସଂପ୍ରଦାୟର ହୋଇଥିବା ବେଳେ ସେ ଜଣେ କୁକି ସଂପ୍ରଦାୟର ପୁରୁଷଙ୍କୁ ବିବାହ କରିଥିବା କୁହାଯାଉଛି । ଏହି ଖବର ସାମ୍ନାକୁ ଆସିବା ପରେ ଘଟଣାକୁ ସବୁଆଡେ ନିନ୍ଦା କରାଯାଉଛି।

ପୋଲିସ୍‌ ସାମ୍ନାରେ ଘଟିଲା ଏହି ନିର୍ମମ କାଣ୍ଡ

ମଣିପୁରର ଲାମସଙ୍ଗ ଥାନା ଅନ୍ତର୍ଗତ ଇରୋଏସେମ୍ବା ଅଞ୍ଚଳରେ ଏହି ଘଟଣା ଘଟିଛି । ଜୁନ୍ ୪ ତାରିଖ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଉଗ୍ରବାଦୀମାନେ ଏକ ଆମ୍ବୁଲାନ୍ସ ଅଟକାଇ ସେଥିରେ ନିଆଁ ଲଗାଇ ଦେଇଥିଲେ । ଜଣେ ମହିଳା ନିଜ ପିଲାକୁ ହସ୍ପିଟାଲ ନେଇ ଯାଉଥିବା ବେଳେ ଏଭଳି ନିର୍ମମ କାଣ୍ଡ ଘଟିଛି । ତେବେ ସବୁଠାରୁ ବଡ଼ କଥା ହେଲା ପୋଲିସ୍‌ ସାମ୍ନାରେ ହିଁ ଏହି ଲୋମଟାଙ୍କୁରା ଘଟଣା ଘଟିଛି ।

ଲମସଙ୍ଗ ଥାନାର ଜଣେ ଅଧିକାରୀ କହିଛନ୍ତି, ଘଟଣା ପରେ ପୋଲିସ ଆମ୍ବୁଲାନ୍ସ ଭିତରୁ କିଛି ହାଡ ଉଦ୍ଧାର କରାଛି । ଆଉ ସେହି ଦିନ ରାତିରେ ପୋଲିସ ନିଜ ଆଡ଼ୁ ହତ୍ୟା ନେଇ ଏଫ୍ଆଇଆର୍ ପଞ୍ଜୀକୃତ କରିଛି । ମୃତ ତିନି ଜଣ ହେଉଛନ୍ତି ମୀନା ହ୍ୟାଙ୍ଗିଂ, ତାଙ୍କ ସାତ ବର୍ଷର ପୁଅ ଟମସିଂ ଏବଂ ମୀନାଙ୍କ ସମ୍ପର୍କୀୟ ଲିଡିଆ ଲରେମ୍ବମ୍ ।

ପୂରା ଘଟଣାବଳୀ

ଜୁନ୍‌ ୪ ତାରିଖ ଦିନ ସ୍ଥାନୀୟ ଅଞ୍ଚଳରେ ଗୁଳିମାଡ଼ ହୋଇଥିଲା । ଆଉ ସେଥିରେ ଟମସନ୍‌ଙ୍କ ମୁଣ୍ଡରେ ଗୁଳି ବାଜି ସେ ଗୁରୁତର ହୋଇଯାଇଥିଲେ । ଏହି ଘଟଣା ପରେ ଗୁରୁତର ଆହତଙ୍କୁ ତାଙ୍କ ମା’ ଓ ଜଣେ ସମର୍କୀୟ ହସ୍ପିଟାଲକୁ ନେଇଯାଉଥିଲେ ।

ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି, ତାଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା । ପିଲାଟିକୁ କାଙ୍ଗପୋକଲି ଜିଲ୍ଲାର ଲିମାଖୋଙ୍ଗ୍‌ ହସ୍ପିଟାଲ ନେଇଯାଇ ଥାଆନ୍ତେ, କିମ୍ବା ସେହି ସ୍ଥାନ ଠାରୁ ୨୦ କିମ୍ବା ଦୂରତାରେ ଥିବା ରାଜଧାନୀ ଇମ୍ପାଲର ହସ୍ପିଟାଲକୁ ନେଇଯିବେ । ଲିମାଖୋଙ୍ଗ ଅଞ୍ଚଳରେ ଅଧିକାଂଶ ଲୋକ କୁକି ସଂପ୍ରଦାୟର ଥିଲେ, କିନ୍ତୁ ରାସ୍ତାରେ ମେଇତି ଗାଁ ବି ପଡ଼ୁଥିଲା । ଅନ୍ୟପଟେ ଇମ୍ପାଲରେ ମେଇତି ସଂପ୍ରଦାୟର ଲୋକ ଅଧିକ ଥିଲେ ଓ ତାହା ପାଖ ମଧ୍ୟ ପଡ଼ୁଥିଲା । ଏଥିପାଇଁ ଆହତଙ୍କୁ ଇମ୍ପାଲ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟ ଜଣେ ସମ୍ପର୍କୀୟ ଚମ୍ପି ହ୍ୟାଙ୍ଗିଙ୍ଗ, ପରିବାର ଲୋକେ ସେମାନଙ୍କୁ ଏଥିପାଇଁ ଯିବାକୁ ଦେଇଥିଲେ। ଉଭୟ ମୀନା ଏବଂ ଲିଡିଆ ମେଇତି ସଂପ୍ରଦାୟର ଥିଲେ । ତେଣୁ ମେଇତି ସଂପ୍ରଦାୟ ରହୁଥିବା ଅଞ୍ଚଳ ଦେଇ ଯିବାରେ କୌଣସି ଭୟ ନାହିଁ ବୋଲି ଭାବିଥିଲେ । ସୁରକ୍ଷା ଦୃଷ୍ଟିରୁ ମଣିପୁରର ପୋଲିସ କର୍ମଚାରୀ ମଧ୍ୟ ସେମାନଙ୍କ ସହ ଦୁଇଟି ଗାଡିରେ ଯାଇଥିଲେ ।

ହେଲେ ଦୁର୍ଭାଗ୍ୟବଶତଃ କେହି ଜଣେ ଗୁଜବ ପ୍ରଚାର କରିଥିଲା । କୁକି ଉଗ୍ରବାଦୀଙ୍କୁ ଏହି ଅଞ୍ଚଳରୁ ବାହାର କରି ଦିଆଯାଉଥିବା ସୂଚନା ଦିଆଯାଇଥିଲା । ଫଳରେ ବାଟରେ ହିଁ ଅନେକ ଲୋକ ଘେରିଯାଇ ଆମ୍ବୁଲାନ୍ସ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ନିଆଁ ଲଗାଇବା ପୂର୍ବରୁ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର ଏବଂ ନର୍ସଙ୍କୁ ଟାଣି ବାହାର କରିଦେଇଥିଲେ ଉଗ୍ରବାଦୀ । ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ ଅକାଳରେ ୩ ନୀରିହଙ୍କ ଜୀବନ ଚାଲିଯାଇଛି ।