Advertisment

ଗର୍ଲଫ୍ରେଣ୍ଡ୍‌କୁ ହତ୍ୟା ପରେ ଖଣ୍ଡ ଖଣ୍ଡ: ମୁଣ୍ଡକୁ ଅଲଗା କରି ଫ୍ରିଜ୍‌ରେ ରଖିଲା ଜହ୍ଲାଦ ପ୍ରେମିକ...

ଗର୍ଲଫ୍ରେଣ୍ଡ୍‌କୁ ଛୁରୀ ଭୁସି ହତ୍ୟା ପରେ ପଥର କଟା ମେସିନ୍‌ରେ ଖଣ୍ଡ ଖଣ୍ଡ କଲା ଯୁବକ। ଏହାପରେ ମୁଣ୍ଡକୁ ଅଲଗା କରି ରଖିବା ସହ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
man kills girlfriend stores chopped body parts in refrigerator

man kills girlfriend stores chopped body parts in refrigerator

ଗର୍ଲଫ୍ରେଣ୍ଡ୍‌କୁ ଛୁରୀ ଭୁସି ହତ୍ୟା ପରେ ପଥର କଟା ମେସିନ୍‌ରେ ଖଣ୍ଡ ଖଣ୍ଡ କଲା ଯୁବକ। ଏହାପରେ ମୁଣ୍ଡକୁ ଅଲଗା କରି ରଖିବା ସହ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା। କିଛିଦିନ ପରେ ଏହାକୁ ଅଳିଆ ଗଦାରେ ଫିଙ୍ଗିବା ସହ ଘର ସଫା କରିଥିଲା। ଫଳରେ କୌଣସି ପ୍ରମାଣ କାହା ହାତରେ ଆଉ ଲାଗିପାରିବନି। ଖାଲି ଏତିକି ନୁହେଁ ବ୍ୟକ୍ତି ଜଣକ ମୃତ ଗର୍ଲଫ୍ରଣ୍ଡ୍‌ର ଫୋନ୍‌ରୁ ତାଙ୍କ ଜଣାଶୁଣା ଲୋକଙ୍କ ପାଖକୁ ମେସେଜ ମଧ୍ୟ କରୁଥିଲା। ଯଦ୍ୱାରା ଆଉ କେହି ସନ୍ଦେହ କରିପାରିବେନି। ଦିଲ୍ଲୀରର ଚର୍ଚ୍ଚିତ ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲା ଭଳି ଏଭଳି ଏକ ଘଟଣା ହାଇଦ୍ରାବାଦରେ ଘଟିଛି। ପୋଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। 

Advertisment

ଅଳିଆଗଦାରୁ ମିଳିଥିଲା ମୃତଦେହ ଖଣ୍ଡ...

ସୂଚନା ଅନୁସାରେ, ମେ’ ୧୭ରେ ସୁଧାକର ନାମକ ଜଣେ ବ୍ୟକ୍ତି ଥିୟାଗଲ୍‌ଗୁଡା ରୋଡ୍‌ରେ ଅଳିଆ ଆବର୍ଜନା ଫିଙ୍ଗା ଯାଉଥିବା ସ୍ଥାନରୁ ଏକ କଳା ରଙ୍ଗର ପଲିଥିନ ପାଇଥିଲେ। ଏହାକୁ ଖୋଲିବା ପରେ ସେ ମହିଳାଙ୍କ ଶରୀରର ଖଣ୍ଡ ପାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ପରେ ଜଣାପଡ଼ିଥିଲା ମୃତ ମହିଳାଙ୍କ ନାଁ ୟେରମ୍‌ ଅନୁରାଧା ରେଡ୍ଡୀ, ବୟସ ୫୫ ବର୍ଷ। ଦୀର୍ଘ ୧୫ ବର୍ଷ ହେଲା ସେ ୪୮ ବର୍ଷୀୟ ବ୍ୟକ୍ତି ଚନ୍ଦ୍ରମୋହନଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଅନୁରାଧାଙ୍କ ସ୍ୱାମୀ ତାଙ୍କୁ ପୂର୍ବରୁ ଛାଡ଼ି ଦେଇଥିଲେ। ତେଣୁ ସେ ଚନ୍ଦ୍ରମୋହନର ଘରେ ରହୁଥିଲେ। 

ଟଙ୍କାକୁ ନେଇ ହୋଇଥିଲା ଝଗଡ଼ା...

ଯାଞ୍ଚରୁ ଜଣାପଡ଼ିଥିଲା, ଅନୁରାଧା ସୁଧରେ ଟଙ୍କା ଲଗାଉଥିଲେ। ୨୦୧୮ ମସିହାରେ ଚନ୍ଦ୍ରମୋହନ, ଅନୁରାଧାଙ୍କଠୁ ୭ ଲକ୍ଷ ଟଙ୍କା ନେଇଥିଲା। ଟଙ୍କା ଫେରାଇ ଦେବା ଲାଗି ଅନୁରାଧା ବାରମ୍ବାର କହୁଥିଲେ ମଧ୍ୟ, ଚନ୍ଦ୍ରମୋହନ ଟଙ୍କା ଫେରାଉ ନଥିଲା। ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ସବୁଦିନ ପାଇଁ ଅନୁରାଧାଙ୍କୁ ରାସ୍ତାରୁ ହଟାଇବା ପାଇଁ ଚନ୍ଦ୍ରମୋହନ ଷଡ଼ଯନ୍ତ୍ର ରଚିଥିଲା। ଟଙ୍କାକୁ ନେଇ ମେ’ ୧୨ରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚନ୍ଦ୍ରମୋହନ, ଅନୁରାଧାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଏଥିରେ ଅନୁରାଧାଙ୍କ ମୃତ୍ୟୁ ହୋଇଥିଲା। 

Advertisment

ହତ୍ୟା ପରେ ମୃତଦେହ ଠିକଣା ସ୍ଥାନରେ ଲଗାଇବା ପ୍ଲାନ୍‌...

ଅନୁରାଧାଙ୍କୁ ହତ୍ୟା ପରେ ଚନ୍ଦ୍ରମୋହନ ମୃତଦେହକୁ ଠିକଣା ସ୍ଥାନରେ ଲଗାଇବା ପାଇଁ ପ୍ଲାନ୍‌ ପ୍ରସ୍ତୁତ କରିଥିଲା। ଏଥିପାଇଁ ସର୍ବ ପ୍ରଥମେ ସେ ୨ଟି ପଥର କଟା ମେସିନ୍‌ କିଣିଥିଲା। ଏହି ମେସିନରେ ସେ ପ୍ରଥମେ ମୁଣ୍ଡକୁ ଅଲଗା କରିଥିଲା। ଏହାପରେ ମୃତଦେହକୁ ଚନ୍ଦ୍ରମୋହନ ଖଣ୍ଡ ଖଣ୍ଡ କରିଥିଲା। କଳା ରଙ୍ଗର ପଲିଥିନରେ ମୁଣ୍ଡକୁ ରଖିବା ସହ କଟା ହାତ ଓ ଗୋଡ଼କୁ ପଲିଥିନରେ ଭର୍ତ୍ତି କରି ଫ୍ରିଜ୍‌ରେ ରଖିଥିଲା। ବାକିସବୁ ସୁଟ୍‌କେଶରେ ରଖିଥିଲା। 

ମେ’୧୫ରେ ଚନ୍ଦ୍ରମୋହନ ଅଟୋରେ ଆସିଥିଲା ଓ କଟା ମୁଣ୍ଡକୁ ଅଳିଆଗଦାରେ ଫିଙ୍ଗି ଦେଇ ପଳାଇ ଥିଲା। ଏହାପରେ ସେ ଫିନାଇଲ, ଡେଟଲ୍‌, ପର୍‌ଫ୍ୟୁମ୍‌, ଅଗରବତୀ, କର୍ପୂର ଇତ୍ୟାଦି କିଣିଥିଲା। ଏସବୁକୁ ସେ ଶରୀରର ଅନ୍ୟ ଅଂଶରେ ଲଗାଉଥିଲା, ଫଳରେ କିଛି ଦୁର୍ଗନ୍ଧ ଆସିବ ନାହିଁ। ଖାଲି ଏତିକି ନୁହେଁ ଅଭିଯୁକ୍ତ ଚନ୍ଦ୍ରମୋହନ ମୃତ ଅନୁରାଧାର ଫୋନ୍‌ରୁ ତାଙ୍କ ଜଣାଶୁଣା ଲୋକଙ୍କ ପାଖକୁ ମେସେଜ ମଧ୍ୟ କରୁଥିଲେ। ଯଦ୍ୱାରା କେହିବି ଯେମିତି ଜାଣିପାରିବେ ନାହିଁ ତାଙ୍କର ମୃତ୍ୟୁ ହୋଇଛି। 

Murder
Advertisment
Advertisment