• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ପୁତ୍ର ଯଦି ଯୋଗ୍ୟ ହୁଏ ଧନ କାହା ପାଇଁ ସଞ୍ଚୁ, ପୁତ୍ର ଯଦି ଅଯୋଗ୍ୟ ହୁଏ ଧନ କାହା ପାଇଁ ସଞ୍ଚୁ । ଏ କାହାଣୀ ସେହିପରି ଏକ ଅଯୋଗ୍ୟ, କୁଳାଙ୍ଗାର ଓ ବିକୃତ ମାନସିକଧାରୀ ପୁଅର । ଯିଏ ସାମାନ୍ୟ ଖଣ୍ଡିଏ ଚାକିରି ପାଇଁ ଜୀବନ୍ତ ଦେବତାଙ୍କ ଜୀବନ ନେଇଯାଇଛି । ଛତିଶଗଡର ମହସାମୁଣ୍ଡ ଜିଲ୍ଲାରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଟଙ୍କା ଓ ଅନୁକମ୍ପାମୂଳକ ନିଯୁକ୍ତି ଲୋଭରେ ନିଜ ବଂଶ ବୁଡ଼ାଇ ଦେଇଛି । ଏହା ପରେ ମୃତଦେହକୁ ସାନିଟାଇଜର ଓ କାଠ ସହିତ ପୋଡି ଦେଇଛି । ଏତକ କରିବା ପରେ ଧୂର୍ତ୍ତ ଅଭିଯୁକ୍ତ ଜଣକ ଥାନାରେ ବାପାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲା । ଘଟଣାର ତଦନ୍ତ ପାଇଁ ପୋଲିସ ଘରେ ପହଞ୍ଚିବା ପରେ ଘରେ ରକ୍ତର ଛିଡ଼ା ପଡ଼ିଥିବା ଦେଖି ସନ୍ଦେହ କରିଥିଲା ।

କେବଳ ଏତିକି ନୁହେଁ ଛାନଭିନ୍‌ ପରେ ଅଭିଯୁକ୍ତ ଘରୁ ମୃତକଙ୍କ ହାଡ଼ ମଧ୍ୟ ଉଦ୍ଧାର କରିଥିଲା ପୋଲିସ୍‌ । ଏହା ପରେ ମୃତ ଶିକ୍ଷକଙ୍କ ବଡ ପୁଅ ଉଦିତଙ୍କୁ ବାରମ୍ବାର ପଚରାଉଚରା କରାଯାଇଥିଲା । ପଚରାଉଚରା ବେଳେ ସେ ନିଜ ବାପାମା’ ଏବଂ ଆଈଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ପୋଲିସ ଅଭିଯୁକ୍ତ ପୁଅ ବିରୋଧରେ ଧାରା ୩୦୨, ୨୦୧ ଅନୁଯାୟୀ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।

ସମ୍ପୂର୍ଣ୍ଣ ଘଟଣାବଳୀ . .

ମହାସାମୁନ୍ଦ ଜିଲ୍ଲାର ସିଗୋଡା ଥାନା ଅନ୍ତର୍ଗତ ପୁତକା ଗାଁରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଶିକ୍ଷକ ପ୍ରଭାତ ଭୋଇ, ସ୍ତ୍ରୀ ସୁଲୋଚାନା ଭୋଇ , ୭୫ ବର୍ଷିୟ ମା’ ଝରଣା ଭୋଇ ଓ ଦୁଇ ପୁଅଙ୍କ ସହ ସୁନାର ସଂସାର । ପ୍ରଭାତଙ୍କ ବଡ଼ ପୁଅ ଉଦିତ ସେମାନଙ୍କ ସହ ରହୁଥିବା ବେଳେ ସାନ ପୁଅ ପୁଅ ରାୟପୁରରେ ରହି ଏମବିବିଏସ୍ କରୁଛନ୍ତି । ତେବେ ଉଦିତ ଭୋଇ ସବୁବେଳେ ନିଶା ସେବନ କରି ଘରେ ଗଣ୍ଡଗୋଳ କରୁଥିଲା । ଟଙ୍କାପଇସା ପାଇଁ ଝଗଡ଼ା କରିବା ସହ ପିଟାମରା ମଧ୍ୟ କରୁଥିଲା ।

୭ ତାରିଖରେ ହୋଇଥିଲା ବିବାଦ

ପୋଲିସର ସୂଚନା ଅନୁସାରେ, ମେ ୭ରେ ଶିକ୍ଷକ ପ୍ରଭାତ ଭୋଇ ଏବଂ ତାଙ୍କ ପୁଅ ଉଦିତଙ୍କ ମଧ୍ୟରେ ଟଙ୍କା ନେଇ ବିବାଦ ହୋଇଥିଲା । ଆଉ ସେହି ଦିନ ଉଦିତ ତାଙ୍କ ପିତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା । ସମସ୍ତେ ଘରେ ଶୋଇଥିବା ବେଳେ ଉଦିତ ପ୍ରଥମେ ରାତି ୨ ରୁ ୩ ଟା ମଧ୍ୟରେ ହକି ବାଡିରେ ବାପାଙ୍କ ମୁଣ୍ଡକୁ ଏକ ଶକ୍ତ ପାହାର ପକାଇଥିଲେ । ଏଥିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହାପରେ ମା’ ଓ ଜେଜେମା’ଙ୍କୁ ମଧ୍ୟ ହକି ଷ୍ଟିକ୍‌ରେ ବାଡ଼େଇ ହତ୍ୟା କରିଥିଲା ।

ତିନି ଜଣଙ୍କୁ ହତ୍ୟା କରିବା ପରେ ଉଦିତ ମୃତଦେହକୁ ଘରର ବାଥରୁମରେ ରଖିଥିଲା । ଏହାର ଗୋଟିଏ ଦିନ ପରେ ସେ ତିନିଜଣଙ୍କ ମୃତଦେହକୁ ଘର ପଛରେ କାଠ ଓ ସାନିଟାଇଜର ଲଗାଇ ପୋଡି ଦେଇଥିଲା । ହତ୍ୟା କରିବା ପରେ ଉଦିତ ଭୋଇ ଅତି ଚତୁରତାର ସହ ତାଙ୍କ ବାପା,ମା’ ଏବଂ ଆଈ ନିଖୋଜ ହୋଇଯାଇଥିବା ନେଇ ମେ ୧୨ରେ ଥାନାରେ ଅଭିଯୋଗ କରିଥିଲା ।

ସନ୍ଦେହ ହେବାରୁ ପୋଲିସ ଶିକ୍ଷକଙ୍କ ବଡ ପୁଅ ଉଦିତ ଭୋଇଙ୍କୁ ପଚରାଉଚରା କରିଥିଲା । ପ୍ରଥମେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । କିନ୍ତୁ ପୋଲିସର ଥାର୍ଡ ଡିଗ୍ରି ପରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି । ବାରମ୍ବାର ଟଙ୍କା ମାଗିବାରୁ ବାପା ସବୁବେଳେ ରାଗୁଥିଲେ । ଏଥିପାଇଁ ତାଙ୍କୁ ମାରି ମୃତ୍ୟୁ ପରେ ତାଙ୍କ ଚାକିରି ହାତେଇବାକୁ ସେ ଷଡ଼ଯନ୍ତ୍ର ରଚିଥିଲା । ଆଉ ଯୋଜନା ମୁତାବକ ଘରର ସମସ୍ତଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଏବେ ପୋଲିସ ଧାରା ୩୦୨, ୨୦୧ ଅନୁଯାୟୀ ଅଭିଯୁକ୍ତ ପୁଅ ଉଦିତଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।